ସରିନି କୋଭିଡ୍ ବିରୋଧୀ ଲଢେଇ – ପ୍ରଧାନମନ୍ତ୍ରୀ

ସତର୍କ ରହିବାକୁ ପଡ଼ିବ। କୋଭିଡକୁ ମୁକାବିଲାରେ ଯଦିଓ ଅନ୍ୟ ଦେଶ ତୁଳନାରେ ଭାରତ ବେଶ୍ ଆଗରେ ରହିଛି। ହେଲେ ସଂକ୍ରମଣର ବିପଦ ସମ୍ପୂର୍ଣ୍ଣ ଟଳିନି। କିଛି ରାଜ୍ୟରେ ମାମଲା ବଢିବାରେ ଲାଗିଲାଣି। ସେଥିଲାଗି ସ୍ୱାସ୍ଥ୍ୟ ଭିତ୍ତିଭୂମି ଯେତେ ଉନ୍ନତମାନର ଥିଲେ ବି ଏହାକୁ ଅଧିକ ବ୍ୟବସ୍ଥିତ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଟିକାକରଣରେ ବି ବେଶ୍ ଆଗରେ ରହିଛି ଦେଶ। କିନ୍ତୁ ଏବେ ପିଲାଙ୍କୁ ଟିକାକରଣ ପ୍ରାଥମିକତା ଭିତ୍ତିରେ କରାଇବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରିଭେଣ୍ଟିଭ୍, ପ୍ରୋଆକ୍ଟିଭ୍ ଆପ୍ରୋଚ୍ ନେଇ କାମ କରିବାକୁ ହେବ ବୋଲି କହିଛନ୍ତି ମୋଦି।
କୋଭିଡ୍ ମୁକାବିଲା ଦିଗରେ ପାରସ୍ପରିକ ସହଯୋଗର ଅପିଲ୍ କରିଥିଲେ ପ୍ରଧାନମନ୍ତ୍ରୀ। କୋଭିଡ୍ ଲାଗି ଆର୍ଥିକ ସ୍ଥିତି ଉପରେ ପଡ଼ୁଥିବା ଚାପରୁ ବାହାରିବାକୁ ହେଲେ କେନ୍ଦ୍ର ଓ ରାଜ୍ୟ ଭିତରେ ତାଳମେଳ ରହିବା ଜରୁରୀ। ହେଲେ ଅନେକ ରାଜ୍ୟ ମାନୁନାହାନ୍ତି। ୟୁକ୍ରେନ ଯୁଦ୍ଧ ବିଭୀଷିକା ଲାଗି ପେଟ୍ରୋଲ ଡିଜେଲ ଦର ବଢିବା ବେଳେ ନଭେମ୍ୱରରୁ କେନ୍ଦ୍ର ଏକ୍ସାଇଜ୍ ଡ୍ୟୁଟି କମାଇବା ପରେ ରାଜ୍ୟମାନଙ୍କୁ ଭାଟ୍ କମାଇବାକୁ ଅନୁରୋଧ କରିଥିଲେ। ହେଲେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ର, କେରଳ ଓ ଝାଡ଼ଖଣ୍ଡ ଭଳି ରାଜ୍ୟ ମାନିଲେନି। ରାଜସ୍ୱ ସଂଗ୍ରହ କରି ରାଜକୋଷ ଭରିଲେ ସତ। ହେଲେ ସେ ସବୁ ରାଜ୍ୟର ଲୋକେ କିନ୍ତୁ ଦରବୃଦ୍ଧିରୁ ହନ୍ତସନ୍ତ ହେଲେ ବୋଲି କହିବାକୁ ପଛାଇନାହାନ୍ତି ମୋଦି। ସେଥିଲାଗି ଅନ୍ତତଃ ଏବେ ଭାଟ୍ କମାନ୍ତୁ ଓ ଲୋକଙ୍କୁ ଆଶ୍ୱସ୍ତ କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କେବଳ ଏତିକି ନୁହେଁ, ହସ୍ପିଟାଲରେ ଅଗ୍ନିବିପତ୍ତିର ନଜିର ଦେଇ କିଭଳି ସମସ୍ତ ହସ୍ପିଟାଲରେ ନିରାପତ୍ତା ଅଡିଟ୍ ପ୍ରାଥମିକତା ଭିତ୍ତିରେ ହେବ, ତା ଉପରେ ଜୋର୍ ଦେବାକୁ ନିବେଦନ କରିଛନ୍ତି ମୋଦି।
ସେପଟେ କୋଭିଡ୍ ସମୀକ୍ଷା ଆଳରେ ତେଲ ଉପରୁ ଭାଟ୍ କମାଇନଥିବାରୁ କିଛି ରାଜ୍ୟକୁ ଦୋଷ ଦେଇଥିବା ମୋଦିଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। କେବଳ ବିରୋଧୀ ଶାସିତ ରାଜ୍ୟକୁ ଟାର୍ଗେଟ କରିବାର ମୋଦିଙ୍କ ମାନସିକତା ବୋଲି କୁହାଯାଉଛି। ରାଜ୍ୟ ଦ୍ୱାରା ଆଦାୟ ଟିକସରୁ କେନ୍ଦ୍ର ତିନି ଗୁଣା ଅଧିକ ଆଦାୟ କରିଛି। ପେଟ୍ରୋଲ ଡିଜେଲର ୨୬ ଲକ୍ଷ କୋଟି ଟଙ୍କା ଆଦାୟ କରିଛି। ରାଜ୍ୟକୁ ଜିଏସଟିର ଅଂଶ ଠିକ୍ ସମୟରେ ଦେଉନି କେନ୍ଦ୍ର। ଦେଇକି ଭାଟ୍ କମାଇବାକୁ କହିଥିଲେ ସାଜନ୍ତା।
କୋଭିଡ୍ ବିରୋଧୀ ଲଢେଇ ସରିନି। ଏହାକୁ ମୁକାବିଲା କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟର ସହଯୋଗ ଓ ସମନ୍ୱୟ ଜରୁରୀ। ହେଲେ ପିଏମ-ସିଏମ ସମୀକ୍ଷାରେ ଯେମିତି ପରାମର୍ଶ ଛଳରେ ସହଯୋଗ ବନାମ ସମାଲୋଚନାର ପର୍ବ ଦେଖାଦେଇଛି।