ଏସିଆ କପରେ ଗୋଟିଏ ପରେ ଗୋଟିଏ କାଣ୍ଡ ଜାରି ରହିଛି। ଏସିଆ କପ୍ ୨୦୨୫ ଜାରି ରହିଛି। ଏବେ ଭାରତ ଓ ପାକିସ୍ତାନ କ୍ରିକେଟ ବୋର୍ଡ ଗଲା ଦିନର ହୋଇଥିବା ଘଟଣାକ୍ରମକୁ ନେଇ ପୁଣି ଥରେ ସାମ୍ନାସାମ୍ନି ହୋଇଛନ୍ତି। ହାରିସ ରାଉଫଙ୍କ ପ୍ଲେନକ୍ରାସ୍ ଓ ସାହିବଜାଦା ଫରହାନଙ୍କ ଗନ୍ ସେଲିବ୍ରେସନ ଉପରେ ବିସିସିଆଇ କଠୋର ହୋଇଛି। ବିସିସିଆଇ ଏ ନେଇ ଆଇସିସିକୁ ବିଧିବଦ୍ଧ ଅଭିଯୋଗ କରିଛି। ସେପଟେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ କାର୍ଯାନୁଷ୍ଠାନ ସମ୍ଭାବନା ଅଛି। ଭାରତ ବିରୁଦ୍ଧରେ ସୁପର୍-୪ ମ୍ୟାଚରେ ଫାଷ୍ଟବୋଲର ହାରିସ ରାଉଫ ପ୍ଲେନ କ୍ରାସ୍ ଲ୍ୟାଣ୍ଡିଂ ଉପରେ ରିଆକ୍ସନ ଦେଇଥିଲେ। ଏହା ବ୍ୟତୀତ ଅଭିଷେକ ଶର୍ମା ଓ ଶୁବମନ ଗିଲଙ୍କ ସହ ମୈଦାନରେ ଝଗଡ଼ା ବି ହୋଇଥିଲା। ବ୍ୟାଟ୍ସମ୍ୟାନ୍ ସାହିବଜାଦା ଫରହାନ୍ ହାଫ ସେଞ୍ଚୁରୀ ମାରିବା ପରେ ଗନ୍ ଫାୟାରିଂ ସେଲିବ୍ରେସନ କରିଥିଲେ। ଏହି ହରକତ ବିରୁଦ୍ଧରେ ବିସିସିଆଇ କଠୋର ହୋଇଛି। ଏହି ଦୁଇ ଖେଳାଳୀଙ୍କ ବିରୁଦ୍ଧରେ ମ୍ୟାଚ୍ ରେଫରୀ ଏଣ୍ଡି ପାୟକ୍ରାଫ୍ଟଙ୍କ ପାଖରେ ବିଧିବଦ୍ଧ ଅଭିଯୋଗ କରାଯାଇଛି। ଭାରତୀୟ ଟିମ୍ ସେପ୍ଟେମ୍ୱର ୨୧ରେ ହୋଇଥିବା ସୁପର୍ ୪ ମ୍ୟାଚ୍ ଫରହାନ୍ ଓ ହାରିସ ରାଉଫଙ୍କ ଏଭଳି ଆଚରଣକୁ ନେଇ ଆକ୍ସନ ଲାଗି ଦାବି କରିଛି। ପାକିସ୍ତାନ କ୍ରିକେଟ ବୋର୍ଡ ଅର୍ଥାତ୍ ପିସିବି ଭାରତୀୟ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ ବିରୁଦ୍ଧରେ ଆଇସିସିରେ ଅଭିଯୋଗ କରିଥିଲେ। ପିସିବିର ଅଭିଯୋଗ ଅନୁସାରେ ମ୍ୟାଚ୍ ରେଫରୀ ରିଚି ରିଚାର୍ଡସନଙ୍କୁ ଦୁଇଟି ରିପୋର୍ଟ ପଠାଇଛି। ସୂର୍ଯ୍ୟକୁମାର ଯାଦବ ଯେଭଳି ମ୍ୟାଚ୍ ପ୍ରେଜେଣ୍ଟେସନ ଓ ପ୍ରେସମିଟରେ ଅପରେସନ ସିନ୍ଦୂର, ଭାରତୀୟ ଆର୍ମି ଓ ଭାରତ-ପାକିସ୍ତାନ ବିବାଦ ଉପରେ ଦେଇଥିବା ଟିପ୍ପଣୀକୁ ନେଇ ଦୁଇଟି ଅଭିଯୋଗ କରାଯାଇଛି। ପାକିସ୍ତାନ କ୍ୟାପଟେନ୍ ସଲମାନ ଆଗାଙ୍କ ସହ ହାତ ମିଳାଇନଥିଲେ ସୂର୍ଯ୍ୟକୁମାର। ସୂର୍ଯ୍ୟକୁମାରଙ୍କ ବୟାନକୁ ରାଜନୈତିକ ବୟାନ ବୋଲି କହିଛି ପିସିବି। ଏହା ସ୍ପୋର୍ଟସମ୍ୟାନସିପ୍ ନଥିଲା। ଏହି ମାମଲାରେ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଆକ୍ସନ ହେବାର ସମ୍ଭାବନା ରହିଛି। ଯେବେ ହାରିସ ରାଉଫ ଓ ସାହିବଜାଦା ଫରହାନ ଉପରେ ଆଇସିସି ପକ୍ଷରୁ ଆକ୍ସନ ହୋଇପାରେ। ବିସିସିଆଇ ବୁଧବାର ଦୁଇ ଖେଳାଳୀଙ୍କ ବିରୁଦ୍ଧରେ ଅଭିଯୋଗ କରିଛି। ଆଉ ଆଇସିସିକୁ ଇମେଲ୍ କରିସାରିଛି। ଯଦି ରାଉଫ୍ ଓ ଫରହାନ୍ ଏଭଳି ଅଭିଯୋଗକୁ ଖଣ୍ଡନ କରନ୍ତି, ତାହେଲେ ଏମାନଙ୍କୁ ଆଇସିସିର ଏଲିଟ ପ୍ୟାନେଲ ରେଫରି ରିଚି ରିଚାର୍ଡସନଙ୍କ ସାମ୍ନାରେ ଶୁଣାଣୀ ଲାଗି ହାଜର ହୋଇପାରନ୍ତି। ଗନ୍ ଫାୟାରିଂ ସେଲିବ୍ରେସନକୁ ନେଇ ଟ୍ରୋଲ ପରେ ଫରହାନ ସଫେଇ ଦେଇଥିଲେ ଯେ, ସେ ଏମିତିରେ ଅଧିକ ସେଲିବ୍ରେସନ କରନ୍ତିନି। କିଛି ଅଲଗା କରିବାକୁ ଅଚାନକ ମୁଣ୍ଡକୁ ବୁଦ୍ଧି ଆସିଥିଲା। କିନ୍ତୁ ଏହାକୁ ନେଇ ଲୋକେ କିଭଳି ଗ୍ରହଣ କରୁଛନ୍ତି, ତାଙ୍କୁ କୌଣସି ଫରକ ପକାଏନା। ସେପଟେ ଏସିଆନ କ୍ରିକେଟ କାଉନସିଲ୍ ବା ଏସିସିର ଅଧ୍ୟକ୍ଷ ମୋହସିନ ନକଭି ବୁଧବାର ଏକ୍ସ-ରେ କ୍ରିଷ୍ଟିଆନୋ ରୋନାଲଡୋଙ୍କ ଏକ ସ୍ଲୋ ମୋସନ ଭିଡ଼ିଓ ପୋଷ୍ଟ କରିଛନ୍ତି। ରୋନାଲ୍ଡୋ ଏମିତି ସଙ୍କେତ ଦେଉଛନ୍ତି ଯେମିତିକି କୌଣସି ବିମାନ ଅଚାନକ ପଡ଼ିଯାଉଛି। ରାଉଫ ଯେମିତି ମ୍ୟାଚ୍ ବେଳେ କରିଥିଲେ। ନକଭି ପିସିବିର ଅଧ୍ୟକ୍ଷ ସହ ପାକିସ୍ତାନର ଗୃହମନ୍ତ୍ରୀ। ସେ ଭାରତ ବିରୁଦ୍ଧରେ ଅନେକ ସମୟରେ ଉସୁକାଇଲା ଭଳି ବୟାନବାଜି କରିଥାଆନ୍ତି। ଏବେ ଦୁଇ ଦେଶର ଖେଳାଳୀଙ୍କୁ ଆଇସିସି ପାଖରେ ସଫେଇ ଦେବାକୁ ହାଜର ହେବାକୁ ପଡ଼ିବ। କିନ୍ତୁ ପ୍ୟାନେଲ ଯଦି ସଫେଇରେ ସନ୍ତୁଷ୍ଟ ନ ହୁଏ, ତାହେଲେ ଆଚାର ସଂହିତା ଆଧାରରେ ସଜ୍ଜାର ସାମ୍ନା କରିବାକୁ ପଡ଼ିପାରେ। ଏବେ ଭାରତ ଟିମ୍ ଏସିଆ କପ୍ ଫାଇନାଲରେ ପହଞ୍ଚିସାରିଛି। ଦେଖିବାର କଥା, ଏସିସି ଅଧ୍ୟକ୍ଷ ଭାବେ ମଞ୍ଚ ସେୟାର କରିବେ କି ନାହିଁ ନକଭି। ଏହା ଉପରେ ବିସିସିଆଇ ଓ ଆଇସିସିର କର୍ତ୍ତୃପକ୍ଷଙ୍କ ନଜର ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now