ଆଜି ଟି-ଟ୍ୱେଣ୍ଟିରେ ଡେବ୍ୟୁ କରିଥିଲେ ସୂର୍ଯ୍ୟକୁମାର ଓ ଇଷାନ କିଶାନ- କେମିତି ଥିଲା ୫ ବର୍ଷର ଯାତ୍ରା

ଆଜିକୁ ଠିକ୍ ୫ ବର୍ଷ ତଳେ ଟି-ଟ୍ୱେଣ୍ଟିରେ ଡେବ୍ୟୁ କରିଥିଲେ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷାନ। ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୫ ବର୍ଷ ପୁରା କରିଛନ୍ତି ଉଭୟ ସୂର୍ଯ୍ୟ ଓ କିଷାନ। ମାର୍ଚ୍ଚ ୧୪,୨୦୨୧ରେ ୩୦ ବର୍ଷ ବୟସରେ ସୂର୍ଯ୍ୟକୁମାର ଅହମଦାବାଦରେ ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଟି-ଟ୍ୱେଣ୍ଟି ଖେଳିଥିଲେ। ହେଲେ ବ୍ୟାଟିଂ କରିବାକୁ ମଉକା ମିଳିନଥିଲା। କିନ୍ତୁ ଚତୁର୍ଥ ଟି-ଟ୍ୱେଣ୍ଟିରେ ପ୍ଲେୟାର ଅଫ ଦି ମ୍ୟାଚ୍ ସାଜିଥିଲେ। ନିଜ କ୍ୟାରିଅରର ପ୍ରଥମ ବଲରେ ହିଁ ଛକା ମାରି ଐତିହାସିକ ଆରମ୍ଭ କରିଥିଲେ ସୂର୍ଯ୍ୟକୁମାର। ଆଉ ୫ ବର୍ଷ ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ହାତେଇଲା ଏଥର ଭାରତ। ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ବଲରେ ଛକା ମାରି ସମସ୍ତଙ୍କୁ ତାଜୁବ୍ କରିଦେଇଥିଲେ ସୂର୍ଯ୍ୟକୁମାର। ଭାରତୀୟ ଟି-ଟ୍ୱେଣ୍ଟି ଟିମର କ୍ୟାପଟେନ୍ ସୂର୍ଯ୍ୟକୁମାର ଆଜି ଏକ୍ସ-ରେ ଭାବବିହ୍ୱଳ ପୋଷ୍ଟ କରି ଭିଡ଼ିଓ ସେୟାର କରିଛନ୍ତି। ୧୧୩ ଟି-ଟ୍ୱେଣ୍ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ରେ ସୂର୍ଯ୍ୟକୁମାର ୩୬.୩୫ ଆଭରେଜ ଓ ୧୬୨.୯୪ ଷ୍ଟାଇକ୍ ରେଟରେ ୩୨୭୨ ରନ୍ କରିଛନ୍ତି। ତାଙ୍କ ନାଁରେ ଟି-ଟ୍ୱେଣ୍ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ୪ ଶତକ ଓ ୨୫ ଅର୍ଦ୍ଧଶତକ ସାମିଲ ଅଛି। ଇଂଲଣ୍ଡ ବିରୁଦ୍ଧରେ ୨୦୨୨ରେ ସେ ସର୍ବୋଚ୍ଚ ସ୍କୋର ୧୧୭ ରନ୍ କରିଛନ୍ତି। ୨୦୨୪ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜୟୀ ଟିମର ବି ଅଂଶ ଥିଲେ ସୂର୍ଯ୍ୟକୁମାର।  ୨୦୨୪ ବିଶ୍ୱକପ୍ ପରେ ଗୌତମ ଗାମ୍ଭୀର ଭାରତୀୟ ଟିମର ମୁଖ୍ୟ କୋଚ୍ ହୋଇଥିଲେ। ଆଉ ସେ ଟି-ଟ୍ୱେଣ୍ଟିର ପରବର୍ତ୍ତୀ କ୍ୟାପଟେନ୍ ଭାବେ ସୂର୍ଯ୍ୟକୁମାରଙ୍କୁ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ସେତେବେଳେ ସମସ୍ତଙ୍କୁ ଲାଗିଥିଲା ଯେ, ରୋହିତ ଶର୍ମାଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପଟେନ୍ ଦାୟିତ୍ୱ ମିଳିପାରେ। କିନ୍ତୁ ଟିମ୍ ସୂର୍ଯ୍ୟକୁମାରଙ୍କ ଉପରେ ଭରସା କଲା। ଅଧିନାୟକ ଭାବେ ସୂର୍ଯ୍ୟକୁମାରଙ୍କ ଟ୍ରାକ୍ ରେକର୍ଡ ବି ବେଶ୍ ଭଲ ଅଛି। ସେ ୫୨ ଟି-ଟ୍ୱେଣ୍ଟି ମ୍ୟାଚରେ ଭାରତର କମାଣ୍ଡ ସମ୍ଭାଳିଛନ୍ତି। ଯେଉଁଥିରେ ଭାରତ ୪୦ଟି ମ୍ୟାଚରେ ଜିତିଛି। ୮ଟି ହାରିଛି। ଇଶାନ କିଷାନ ବି ୫ ବର୍ଷ ତଳେ ଆଜିକା ଦିନରେ ଇଂଲଣ୍ଡ ବିରୁଦ୍ଧରେ ଟି-ଟ୍ୱେଣ୍ଟି ଡେବ୍ୟୁ କରିଥିଲେ। ନିଜ ପ୍ରଥମ ମ୍ୟାଚରେ ଇତିହାସ ରଚିଥିଲେ କିଷାନ। ସେତେବେଳେ କିଷାନଙ୍କ ବୟସ ୨୨ ଥିଲା। କିଷାନ ୩୨ ବଲରେ ୪ଟି ଛକା ଓ ୫ଟି ଚୌକା ବଳରେ ୫୬ ରନ୍ କରିଥିଲେ। ଆଉ ପ୍ଲେୟାର ଅଫ ଦି ମ୍ୟାଚ୍ ହୋଇଥିଲେ। କୋହଲିଙ୍କ ଅପରାଜିତ ୭୩ ରନ ସହ ଭଲ ପାର୍ଟନରସିପ୍ କରିଥିଲେ। ଟି-ଟ୍ୱେଣ୍ଟି ଡେବ୍ୟୁରେ ଅର୍ଦ୍ଧଶତକ କରିଥିବା ଦ୍ୱିତୀୟ ଭାରତୀୟ ସାଜିଥିଲେ କିଷାନ। ଆଉ ସବୁଠୁ ଅଧିକ ଚୌକା ମାରିଥିବା ପ୍ରଥମ ଭାରତୀୟ ହୋଇଥିଲେ। ୨୦୧୧ରେ ଆଜିଙ୍କ୍ୟ ରାହାଣେଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡର ୧୬୪ ରନ୍ ପିଛା କରି ଭାରତ ୭ ଓ୍ୱିକେଟରେ ଜିତିଥିଲା। ଟି-ଟ୍ୱେଣ୍ଟି ବିଶ୍ୱକପ-୨୦୨୬ରେ କିଷା ଧମାକାଦାର ପ୍ରଦର୍ଶନ କରିଥିଲେ। ୯ ମ୍ୟାଚରେ ୩୧୭ ରନ୍ କରି ଏହି ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ସର୍ବାଧିକ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍ ସାଜିଥିଲେ। ୨୦୨୬ରେ ୫୩୨ ରନ୍ ସହ ସବୁଠୁ ଅଧିକ ଟି-ଟ୍ୱେଣ୍ଟି ରନ୍ କରିଥିବା ବ୍ୟାଟ୍ସମ୍ୟାନ ଅଟନ୍ତି କିଷାନ୍। ସେ ଆଇସିସି ଟି-ଟ୍ୱେଣ୍ଟି ରାକିଂରେ ଟପ୍ -୧୦ରେ ସାମିଲ୍ ହୋଇସାରିଛନ୍ତି। ଟି-ଟ୍ୱେଣ୍ଟି ବିଶ୍ୱକପରେ ରୋହିତ ଶର୍ମାଙ୍କ ୨୫୭ ରନ ର ରେକର୍ଡକୁ ବି ପଛରେ ପକାଇଦେଇଛନ୍ତି କିଷାନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *