ଏଣ୍ଟ୍ରି ଗେଟ୍ କ୍ଲୋଜ୍ରୁ‌ ଦଳାଚକଟା- ଅଢ଼େଇ ଲକ୍ଷ ଲୋକ ଜମା ହୋଇଥିଲେ- ୨୧ରୁ ମାତ୍ର ଖୋଲା ଥିଲା ୩ଟି ଗେଟ୍

ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ସମ୍ମୁଖରେ ଆୟୋଜିତ ଆରସିବି (Royal Challengers Bengaluru) ଦଳର ଆଇପିଏଲ୍ ଜିତିବା ପରିପ୍ରେକ୍ଷୀରେ ବିଜୟ ଉତ୍ସବରେ ଅଘଟଣ ଘଟିଥିଲା। ଏହି ଘଟଣାରେ ୧୧ ଜଣ ମୃତ୍ୟୁବରଣ କରିଛନ୍ତି ଓ ୩୦ରୁ ଅଧିକ ଆହତ ହୋଇଛନ୍ତି।ଯେଉଁଠି ଷ୍ଟାଡିୟମର କ୍ଷମତା କେବଳ ୩୫,୦୦୦ ଥିଲା। ସେଠାକୁ କିନ୍ତୁ ଲକ୍ଷ ଲକ୍ଷ ଲୋକ ଯାଇ ଭିଡ଼ କରିଥିଲେ। ଲୋକେ ଷ୍ଟାଡ଼ିଅମ ଭିତରକୁ ଜବରଦସ୍ତି ପ୍ରବେଶ କରିବାକୁ ଉଦ୍ୟମ ବେଳେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଅଣନିଃଶ୍ୱାସୀ ହୋଇ ଅନେକଙ୍କ ଜୀବନ ଯାଇଥିଲା।ଘଟଣା ପରେ କର୍ଣ୍ଣାଟକ ହାଇକୋର୍ଟ ନିଜ ଆଡ଼ୁ ଏହି ମାମଲାର ସଂଜ୍ଞାନ ନେଇ ଆଜି ଶୁଣାଣୀ କରିଛନ୍ତି। କାର୍ଯ୍ୟକାୀ ଚିଫ୍ ଜଷ୍ଟିସ୍ ଭି. କାମେଶ୍ୱର ରାଓ ଓ ନ୍ୟାୟମୂର୍ତ୍ତି ସି.ଏମ୍. ଜୋଶୀଙ୍କ ଖଣ୍ଡପୀଠ କର୍ଣ୍ଣାଟକ ସରକାରଙ୍କୁ ନୋଟିସ୍ ଜାରି କରିଥିଲେ। ସରକାର ଏହି ଘଟଣା ହେବାର କାରଣ ଓ ପୂର୍ବପ୍ରସ୍ତୁତି ନେଇ ବିସ୍ତୃତ ଜଣାଇବାକୁ ନିର୍ଦେଶ ଦିଆଯାଇଥିଲା। ଆଉ ଏହି ମାମଲା ଉପରେ ଅପରାହ୍ନ ସାଢ଼େ ୨ଟାରୁ ଶୁଣାଣୀ ଆରମ୍ଭ ହୋଇଥିଲା। କୋର୍ଟ ଏସଓପି ଅନୁପାଳନ ହୋଇଥିଲା କି ନାହିଁ ଜାଣିବାକୁ ଚାହିଁଥିଲେ। ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହେବ, ସେଥିଲାଗି ସରକାରଙ୍କ ପାଖରେ କିଛି ରଣନୀତି ଅଛି କି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ ଜେନେରାଲ ଶଶୀ କିରଣ ସେଟ୍ଟୀ କହିଥିଲେ, ଏହା ଏକ ଜନସ୍ୱାର୍ଥ ମାମଲା। ଉତ୍ସବ ବେଳେ ପୁଲିସ କମିଶନର, ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ମୋଟ୍ ୧୪୮୩ ଅଫିସର ଗ୍ରାଉଣ୍ଡରେ ଉପସ୍ଥିତ ଥିଲେ। ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଚିନ୍ନାସ୍ୱାମୀ ଷ୍ଟାଡିୟମ ଆଗରେ ଭିଡ଼ ଜମାଇଥିଲେ। ଆଜି ସୁଦ୍ଧା ଆହତଙ୍କ ଭିତରୁ ୬ଜଣଙ୍କୁ ଡିସଚାର୍ଜ କରାଯିବ। ଆଉ ମୃତକଙ୍କ ଭିତରେ ୬ ପୁରୁଷ ଓ ୫ ମହିଳା ଅଛନ୍ତି। ଏମାନ ଦକ୍ଷିଣ କନ୍ନଡ଼,କୋଲାର, ୟାଦଗିର ଓ ତୁମକୁରର ଅଟନ୍ତି। କୋର୍ଟ ପୁଣି ପଚାରିଥିଲେ, ଘଟଣା ବେଳେ ଆଂବୁଲାନ୍ସ ଥିଲା କି ନାହିଁ। ଏଜି ସେଟ୍ଟୀ କହିଥିଲେ, ଯଦିଓ ଆଂବୁଲାନ୍ସ ଥିଲା, ତାହା ପର୍ଯ୍ୟାପ୍ତ ନଥିଲା। ଫ୍ରି ଏଣ୍ଟ୍ରି ବୋଲି ପ୍ରଚାର ହୋଇଥିବାରୁ ଅଢ଼େଇ ଲକ୍ଷ ଲୋକ ପଳେଇ ଆସିଥିଲେ। ଏଣ୍ଚ୍ରି ଗେଟ୍ ରେ ହିଁ ଦଳାଚକଟା ହୋଇଥିଲା। ଯେତେବେଳେ ଆଇପିଏଲ ମ୍ୟାଚ ହେଉଛି, ସେଠାରେ ପୁଣି ସବୁ ବ୍ୟବସ୍ଥିତ ହେଉଛି କେମିତି ବୋଲି ପଚାରିଥିଲେ କୋର୍ଟ। ଏହାର ଉତ୍ତରରେ ସରକାର କହିଥିଲେ, ଆରସିବିର ଇଭେଣ୍ଟ ମ୍ୟାନେଜମେଣ୍ଟ ଏହା କରୁଥିଲା ଓ ସୁରକ୍ଷା ବ୍ୟବସ୍ଥା ବି ତାଙ୍କର ଦାୟିତ୍ୱ ଥିଲା। ଇଭେଣ୍ଟ ମ୍ୟାନେଜମେଣ୍ଟ ଏଥିଲାଗି ଅନୁମତି ନେଇଥିଲା କି ପଚାରିବାରୁ ସରକାର କହିଥିଲେ, ପ୍ରବଳ ଭିଡ଼ ହୋଇଥିବାରୁ ଏହାକୁ ସମ୍ଭାଳିବା ମୁସ୍କିଲ ହୋଇଥିଲା। ୧୫ ଦିନ ଭିତରେ ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଆସିବ। ଯେଉଁ ସ୍ଥାନରେ ୧୧ ଜଣଙ୍କ ମୃତ୍ୟୁ ହେଲା, ସେଇ ଗେଟ୍ ପାଖରେ ହିଁ ୬୬ ଜଣ ଆହତ ହୋଇଥିଲେ। ପ୍ରତିପକ୍ଷ ଓକିଲ କହିଥିଲେ, ଏହା ପୁରା କ୍ରିମିନାଲ ନେଗଲିଜେନ୍ସ। ଆଉ ରାଜ୍ୟ ସରକାର ନିଜକୁ ଦୋଷମୁକ୍ତ କରିବାକୁ ପ୍ରୟାସ କରୁଛନ୍ତି। କିଏ ଆରସିବି ଖେଳାଳୀଙ୍କୁ ସମ୍ୱର୍ଦ୍ଧିତ ଦେବାକୁ ନିଷ୍ପତ୍ତି ନେଇଥିଲା। ଦେଶ ଲାଗି ଖେଳୁନଥିବା ଖେଳାଳୀଙ୍କୁ ଏମିତି କାହିଁକି ସମ୍ୱର୍ଦ୍ଧନା। ପବ୍ଲିକକୁ ନିୟନ୍ତ୍ରଣ କରିବାକୁ ସେଫଟି ପ୍ରୋଟୋକଲ ନିଆଯାଇଥିଲା କି। ଷ୍ଟାଡ଼ିୟମରେ ମାତ୍ର ୩ଟି ଗେଟ୍ ଖୋଲାଯାଇଥିଲା। ସରକାର କହିଥିଲେ, ସରକାର କୌଣସି କଥାକୁ ଲୁଚାଇବାକୁ ପ୍ରୟାସ କରୁନାହାନ୍ତି। ଷ୍ଟାଡ଼ିଅମରେ ମୋଟ୍ ୨୧ଟି ଗେଟ୍ ଅଛି। ସବୁ ଖୋଲା ଥିଲା। ଲୋକେ ଏଣ୍ଟ୍ରି କରି ବସିବାକୁ ଅନୁମତି ଥିଲା। ଏହାର ତଦନ୍ତ ଆରମ୍ଭ ହୋଇଛି। ସମସ୍ତଙ୍କୁ ନୋଟିସ ହୋଇଛି। ଏତଲା ବି ହୋଇଛି। ସେପଟେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏହି ଦୁଃଖଦ ଘଟଣା ପ୍ରତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓ କହିଛନ୍ତି ଯେ ସରକାର କିମ୍ବା କର୍ଣ୍ଣାଟକ କ୍ରିକେଟ ଅସୋସିଏସନ୍ (KSCA) ଏତେ ବଡ଼ ଭିଡ଼ ଆସିବାକୁ ଆଶା କରିନଥିଲେ। ଘଟଣାରେ ପ୍ରତି ମୃତ ପରିବାରକୁ ₹10 ଲକ୍ଷ ଓ ଆହତଙ୍କୁ ମାଗଣା ଚିକିତ୍ସା ଦିଆଯିବା ଘୋଷଣା କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *