ଶେଷରେ ପରସ୍ପରଠୁ ଆଇନଗତ ଭାବେ ଅଲଗା ହେଲେ ୟୁଜଭେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା। ବାନ୍ଦ୍ରା କୋର୍ଟ ଉଭୟଙ୍କ ଭିତରେ ଚାଲିଥିବା ଛାଡ଼ପତ୍ର ମାମଲାର ରାୟ ଶୁଣାଇଛନ୍ତି। ଆଗ ଚହଲ ପରିବାର ଅଦାଲତରେ ପହଞ୍ଚିଥିଲେ। ଏହା ପରେ ୧୧ଟାରେ ଧନଶ୍ରୀ କୋର୍ଟରେ ପହଞ୍ଚିଥିଲେ। ଦୁହେଁ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର ହେବା ପରେ ଉଭୟଙ୍କ ଭିତରେ ବିଧିବଦ୍ଧ ଛାଡ଼ପତ୍ର ହେଲା ବୋଲି ବିଚାରପତି ରାୟ ଶୁଣାଇଥିଲେ। ବମ୍ୱେ ହାଇକୋର୍ଟ ବାନ୍ଦ୍ରା ମାଜିଷ୍ଟ୍ରେଟ କୋର୍ଟକୁ ଗୁରୁବାର ସୁଦ୍ଧା ଛାଡ଼ପତ୍ର ଆବେଦନ ଉପରେ ବିଚାର କରିବାକୁ ନିର୍ଦେଶ ଦେଇଥିଲେ। ଚହଲ ମାସ୍କ ଲଗାଇ ବ୍ଲାକହୁଡ୍ ପିନ୍ଧି କୋର୍ଟ ଯାଇଥିଲେ। ଜଷ୍ଟିସ୍ ମାଧବ ଜାମଦାରଙ୍କ ଖଣ୍ଡପୀଠ କହିଥିଲେ ଯେ, ଚହଲ ମାର୍ଚ୍ଚ ୨୧ ପରେ କୋର୍ଟରେ ହାଜର ହୋଇପାରିବେନି। ସେ ଆଇପିଏଲ ମ୍ଯାଚରେ ବ୍ୟସ୍ତ ରହିବେ। ଏହି କାରଣରୁ ପରିବାର ଅଦାଲତ ଛାଡ଼ପତ୍ର ମାମଲାକୁ ଆଜି ସୁଦ୍ଧା ଶୁଣାଇବାକୁ ନିର୍ଦେଶ ଦେଇଥିଲେ। ୩୪ ବର୍ଷୀୟ ୟୁଜବେନ୍ଦ୍ର ଚହଲ ଆଇପିଏଲ-୨୦୨୫ରେ ପଞ୍ଜାବ କିଙ୍ଗସ ପକ୍ଷରୁ ଖେଳିବେ। ୨୨ ମାର୍ଚ୍ଚରୁ ଆରମ୍ଭ ଆଇପିଏଲ-୨୦୨୫ ସିଜିନରେ ପଞ୍ଜାବ ଟିମ୍ ନିଜର ପ୍ରଥମ ମ୍ଯାଚ୍ ମାର୍ଚ୍ଚ ୨୫ରେ ଗୁଜରାଟ ଟାଇଟନ୍ସ ବିରୁଦ୍ଧରେ ଖେଳିବ। ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ମାଲିକାନାରେ ଥିବା ପଞ୍ଜାବ ଟିମ୍ ଆଇପିଏଲ-୨୫ ମେଗା ଅକ୍ସନରେ ଚହଲଙ୍କୁ ୧୮ କୋଟି ଟଙ୍କାରେ କିଣିଛି। ଚହଲ ଓ ବର୍ମା ଅଢ଼େଇ ବର୍ଷ ହେଲା ପରସ୍ପରଠୁ ଅଲଗା ରହୁଛନ୍ତି। ଭରଣପୋଷଣ ବାବଦକୁ ଦୁଇ ପକ୍ଷ ଭିତରେ ସହମତି ଓ ସର୍ତ୍ତର ଅନୁପାଳନ ହୋଇଛି। ଚହଲ ଧନଶ୍ରୀଙ୍କୁ ୪କୋଟି୭୫ଲକ୍ଷ ଟଙ୍କା ଭରଣପୋଷଣ ବାବଦକୁ ଦେବାକୁ କଥା ଛିଣ୍ଡିଥିଲା। ଏ ଯାବତ୍ ୨କୋଟି୩୭ଲକ୍ଷ ଟଙ୍କା ଦେଇସାରିଛନ୍ତି ଚହଲ।

Naxatra News is now on Whatsapp
Join and get latest news update delivered to you via whatsapp
Join Now