ଧୋନିଙ୍କ ଉପରେ ମ୍ୟାଚ୍ ଫିକ୍ସିଂର ଆରୋପ ଲଦିଥିବା ପୂର୍ବତନ ଆଇପିଏସ ଅଫିସରଙ୍କୁ ଲାଗିଛି ଆଉ ଏକ ଅଦାଲତି ଝଟକା। ଧୋନିଙ୍କ ଦ୍ୱାରା ଦାଏର ହୋଇଥିବା ଶହେ କୋଟି ଟଙ୍କାର ଅଦାଲତ ଅବମାନନା ମାମଲାରେ ଅବସରପ୍ରାପ୍ତ ଆଇପିଏସ ଜି ସମ୍ପତ କୁମାରଙ୍କ ବିରୁଦ୍ଧରେ ଚାଲିଥିବା ମାମଲାକୁ ରଦ୍ଦ କରିବାକୁ ମନା କରିଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ସମ୍ପତ କୁମାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ୨୦୧୩ ଆଇପିଏଲ ମ୍ୟାଚରେ ଧୋନି ଫିକ୍ସିଂ କରିଥିବାର ଆରୋପ ଲଦିଥିଲେ ସମ୍ପତ କୁମାର। ଜଷ୍ଟିସ ଏସଏମ ସୁବ୍ରମଣ୍ୟମ ଓ ଜଷ୍ଟିସ ଏମ ଜୋତିରମଣଙ୍କ ଖଣ୍ଡପୀଠ ସମ୍ପତଙ୍କ ଆବେଦନକୁ ଖାରଜ କରିଛନ୍ତି। ଡିସେମ୍ୱର ୨୦୨୧ରେ କୁମାରଙ୍କ ଆବେଦନକୁ ଜଣିକିଆ ଖଣ୍ଡପୀଠ ଖାରଜ କରିଥିଲେ। ୨୦୧୪ରେ ଶହେ କୋଟି ଟଙ୍କାର ମାନହାନି ମକଦ୍ଦମା କରିଥିଲେ ଧୋନି। ଜି ମିଡିଆ କର୍ପୋରେସନର ସମ୍ପାଦକ ତଥା ବିଜନେସ୍ ହେଡ୍ ସୁଧୀର ଚୌଧୁରୀ, ଆଇପିଏସ ଅଫିସର ଜି ସମ୍ପତ କୁମାର ଓ ନ୍ୟୁଜ୍ ନେସନ ନେଟଓ୍ୱର୍କ ଲିମିଟେଡ୍ ବିରୁଦ୍ଧରେ ଧୋନି ମାନହାନି ମକଦ୍ଦମା କରିଥିଲେ। କୁମାର ଯୁକ୍ତି ବାଢ଼ିଥିଲେ ଯେ, ସେ ଜଣେ ସଚ୍ଚୋଟ ଅଫିସର। ସେ କେବଳ ନିଜର ଡ୍ୟୁଟି କରୁଥିଲେ। ସେ ବିଭାଗୀୟ ଆକ୍ସନର ଶୀକାର ହୋଇଛନ୍ତି। ତାଙ୍କ ବିରୁଦ୍ଧରେ ଅଭିଯୋଗ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା। ତେବେ ଜଣିକିଆ ଖଣ୍ଡପୀଠ ହୃଦବୋଧ କରିଥିଲେ ଯେ, ଟ୍ରାଏଲ ବେଳେ କୁମାରଙ୍କ ଏ କଥା ଗ୍ରହଣୀୟ ହୋଇପାରେ। କିନ୍ତୁ ମାମଲାକୁ ରଦ୍ଦ କରିବାର ଏହା ଆଧାର ହୋଇନପାରେ। ଅଗଷ୍ଟ ୨୦୨୫ରେ ମାଡ୍ରାସ ହାଇକୋର୍ଟ ଟ୍ରାଏଲ ଆଗକୁ ନେବାକୁ କହିଥିଲେ। ଆଉ ଧୋନିଙ୍କ ସାକ୍ଷ୍ୟପ୍ରମାଣ ରେକର୍ଡ କରିବାକୁ ଜଣେ ଆଡ଼ଭୋକେଟ କମିଶନରଙ୍କୁ ନିଯୁକ୍ତି ଦେଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now