ଦୀର୍ଘ ୫୨ ବର୍ଷର ପ୍ରତୀକ୍ଷାର ଅନ୍ତ। ସଫଳତା ୫୨ ରନରେ ମିଳିଲା। ୫୨ ବର୍ଷର ମହିଳା କ୍ରିକେଟ୍ ବିଶ୍ୱକପ୍ ଇତିହାସରେ ନଭେମ୍ୱର ୨ ରବିବାର ରାତି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଗଲା। ଭାରତୀୟ ମହିଳା କ୍ରିକେଟ୍ ଟିମ୍ ସର୍ବପ୍ରଥମ ବିଶ୍ୱକପ୍ ହାତେଇଲା। ବିଶ୍ୱ କପ୍ ମୁକୁଟ ପିନ୍ଧିବା ପରେ ମହିଳା କ୍ରିକେଟରେ ଏକ ବୈପ୍ଳବିକ ପରିବର୍ତ୍ତନର ଶୁଭାରମ୍ଭ ହୋଇଛି। ୨୦୦୫ ଫାଇନାଲରେ ଅଷ୍ଟ୍ରେଲିଆ ଓ ୨୦୧୭ ଫାଇନାଲରେ ଇଂଲଣ୍ଡଠୁ ହାରି ରନର୍ସଅପ୍ ହୋଇଥିବା ଭାରତୀୟ ଦଳ ଏଥର କିନ୍ତୁ ବିଶ୍ୱକପ୍ ମୁକୁଟ ହାତେଇବାକୁ ସକ୍ଷମ ହେଲା। ନଭି ମୁମ୍ୱାଇର ଡିଓ୍ୱାଇ ପାଟିଲ୍ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇ ଏହି ଐତିହାସିକ କ୍ଷଣକୁ ସାଉଁଟି ନେଇଛି। ଫାଇନାଲରେ ଶେଫାଳି ଓ ଦୀପ୍ତିଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଭ଼ାରତୀୟ ମହିଳା କ୍ରିକେଟର ଚମକ ସାରା ବିଶ୍ୱକୁ ଦେଖାଇଲା। ଶେଫାଳୀ ବର୍ମାଙ୍କ ୮୭ ରନ ଓ ୨ ଓ୍ୱିକେଟ ଆଉ ଦୀପ୍ତି ଶର୍ମାଙ୍କ ୫୮ ରନ୍ ସାଙ୍ଗକୁ ୫ଟି ଓ୍ୱିକେଟ ଏହି ମ୍ୟାଚରେ ନିର୍ଣ୍ଣାୟକ ସାଜିଲା। ଦୀପ୍ତି ଶର୍ମା ପ୍ଲେୟାର ଅଫ ଦି ସିରିଜ୍ ହୋଇଛନ୍ତି। ଶେଫାଲୀ ପ୍ଲେୟାର ଅଫ ଦି ମ୍ୟାଚ୍ ଘୋଷିତ ହୋଇଛନ୍ତି। ଆଉ ବିଶ୍ୱବିଜୟୀ ଏହି ଟିମକୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି। ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କଠୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ସୁବର୍ଣ୍ଣ ଓ ଐତିହାସିକ ବିଜୟରେ ଅଜସ୍ର ଶୁଭକାମନା ଦେଇଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଏହି ବିରଳ ମୂହୂର୍ତ୍ତକୁ ଟିଭି ପରଦାରେ ଅନାଇ ବସିଥିଲେ। ଆଉ ଟିମ୍ ବିଜୟ ଦେଖି ତାଳି ମାରି ଖୁସି ଜାହିର କରିବା ସହ ଅଭିନନ୍ଦନ ଜଣାଇଛନ୍ତି ମୋହନ। ଆଉ ଚାରିଆଡ଼େ ସେଲିବ୍ରେସନର ମାହୋଲ। ବାଣ ଫୁଟାଇ, ବାଜା ବଜାଇ, ତ୍ରିରଙ୍ଗା ହଲାଇ ରବିବାର ରାତି ଭାରତ ଲାଗି କେମିତି ଐତିହାସିକ ମୂହୂର୍ତ୍ତ ଥିଲା, ଏ ସବୁ ଦୃଶ୍ୟ ବୟାନ କରିବାକୁ ଯଥେଷ୍ଟ ଥିଲା। ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଛା ଦେଇଛନ୍ତି। ବିଜେତା ଟିମ୍ ପାଇଁ ୫୧ କୋଟି ଟଙ୍କା ନଗଦ ପୁରଷ୍କାର ଘୋଷଣା କରିଛି ବିସିସିଆଇ। ଟିମ୍ର ଖେଳାଳୀ, କୋଚଙ୍କୁ ଏହି ଅର୍ଥ ମିଳିବ। ଏହି ପ୍ରାଇଜ୍ ମନି ଆଇସିସି ବିଜେତାଙ୍କୁ ଦେଉଥିବା ରାଶିରୁ ଅଧିକ ଅଟେ। କାରଣ ଆଇସିସି ବିଶ୍ୱକପ୍ ଓ୍ୱିନିଂ ଟିମକୁ ପ୍ରାୟ ୩୯.୭୮ କୋଟି ଦେଇଥାଏ। କ୍ୟାପଟେନ ହରମନପ୍ରୀତ ଓ ତାଙ୍କ ଟିମ୍ କେବଳ ଟ୍ରଫି ଜିତିଲେନି। ବରଂ ପ୍ରତି ଭାରତୀୟର ହୃଦୟ ବି ଜିତିନେଲେ। ମହିଳା କ୍ରିକେଟରେ ଏହି ବିଜୟ ପରବର୍ତ୍ତୀ ପୀଢ଼ିକୁ ପ୍ରୋତ୍ସାହିତ କରିବାର ବାଟ ଫିଟାଇଦେଲା। ବିସିସିଆଇ ସଚିବ ଭାବେ ଜୟ ଶାହାଙ୍କ ଭୂମିକାକୁ ଏ ବିଜୟ ପଛରେ ପ୍ରମୁଖ ଭାବେ ପରିଗଣିତ କରାଯାଉଛି। ବେତନ ସମାନତାକୁ ପ୍ରାଥମିକତା ଦିଆଯାଇଥିଲା। ଗଲା ମାସରେ ଆଇସିସି ଅଧ୍ୟକ୍ଷ ଜୟ ଶାହା ମହିଳାଙ୍କ ପୁରଷ୍କାର ରାଶିରେ ୩ଶହ ପ୍ରତିଶତ ବୃଦ୍ଧି କରିଥିଲେ। ଦକ୍ଷିଣ ଆଫ୍ରିକା ଟସ୍ ଜିତି ଆଗ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ୫୦ ଓଭଲରେ ୭ ଓ୍ୱିକେଟ ହରାଇ ୨୯୮ ରନ୍ କରିଥିଲା। ଆଉ ୨୯୯ ରନର ଟାର୍ଗେଟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଟିମ୍ ୪୫.୩ ଓଭରରେ ସମସ୍ତ ଓ୍ୱିକେଟ ହରାଇ ମାତ୍ର ୨୪୬ ରନ୍ କରିପାରିଥିଲା। ହରମନପ୍ରୀତ କୌର କ୍ୟାପଟେନ ଭାବେ ଏକଦିବସୀୟ ବିଶ୍ୱକପ୍ ଟାଇଟଲ ଜିତିବାରେ ତୃତୀୟ ଭାରତୀୟ ଖେଳାଳୀ ହୋଇଗଲେ। ଏହା ପୂର୍ବରୁ କପିଲ ଦେବ୍ ଓ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଓ୍ୱାନ-ଡେ ଓ୍ୱାର୍ଲଡ କପ୍ ଭାରତ ଜିତିଥିଲା। ଦକ୍ଷିଣ ଆଫ୍ରିକାର କ୍ୟାପଟେନ୍ ଲାରା ବୁଲଓ୍ୱାଟ୍ ଦମଦାର ପ୍ରଦର୍ଶନ କରିଥିଲେ। ହେଲେ ତାଙ୍କ ଶତକ ତାଙ୍କ ଟିମକୁ ଜିତାଇପାରିଲାନି।ବିଶ୍ୱ ବିଜୟିନୀ ଟିମ ଖେଳାଳୀଙ୍କ ପରିବାର ଲୋକେ ବି ସେହି ମୂହୂର୍ତ୍ତକୁ ବେଶ୍ ପ୍ରତୀକ୍ଷାର ସହ ଚାହିଁ ବସିଥିଲେ। ଆଉ ଯେତେବେଳେ ଏହି ଐତିହାସିକ ବିଜୟରେ ତାଙ୍କ ଝିଅ ଭାରତକୁ ଗୌରବାନ୍ୱିତ କରିଥିଲା, ସେତେବେଳେ ଆନନ୍ଦର ଲୁହ ଆପେ ଆପେ ବାହାରିଯାଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now