ଆଇପିଏଲ-୨୦୨୬ ପାଇଁ ଭାରତରେ ଏଥର ହେବ ଖେଳାଳୀ ନିଲାମୀ ପ୍ରକ୍ରିୟା। ବିଗତ ଦୁଇଟି ନିଲାମୀ ଦୁବାଇ ଓ ଜେହାଦରେ ହୋଇଥିଲା। ୨୦୨୩ରେ ଦୁବାଇ ଓ ୨୦୨୪ରେ ଜେହାଦରେ ଖେଳାଳୀଙ୍କ ନିଲାମୀ ଡକାଯାଇଥିଲା। ଆଉ ଏଥର ମିନି ଅକ୍ସନ ଭାରତରେ ହେବ। ସମ୍ଭାବ୍ୟ ତାରିଖ ଡିସେମ୍ୱର ୧୫ ରହିଛି। କିନ୍ତୁ ସମସ୍ତ ଫ୍ରାଞ୍ଚାଇଜ୍ ଟିମ୍ ଗୁଡ଼ିକର ରିଟେନସନର ଶେଷ ତାରିଖ ରହିଛି ନଭେମ୍ୱର ୧୫। ଆଉ ମାତ୍ର ୪ଟା ଦିନ ରହିଲା ହାତରେ। ଏହାରି ଭିତରେ ସ୍ପଷ୍ଟ ହୋଇଯିବ, ଟିମ୍ କେଉଁ କେଉଁ ସମ୍ଭାବ୍ୟ ପ୍ଲେୟାରଙ୍କୁ ନେବେ। କେଉଁ ପ୍ଲେୟାରଙ୍କୁ ରିଲିଜ୍ କରି ନିଲାମୀରେ ବସିବାକୁ ପଠାଇବେ। କେଉଁ କେଉଁ ପ୍ଲେୟାର ନିଲାମୀରେ ଭାଗ ନେବେ। ତେବେ ସମସ୍ତଙ୍କର ନଜର ୫ ଖେଳାଳୀଙ୍କ ଉପରେ। ଏହି ୫ ଖେଳାଳୀ ନିଲାମୀରେ ଭାଗ ନେଲେ ଫ୍ରାଞ୍ଚାଇଜ ମାନେ ସେମାନଙ୍କ ଉପରେ ଟଙ୍କା ବର୍ଷା କରିପାରନ୍ତି। ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଜେକ୍ ଫ୍ରେଜର ମ୍ୟାକଗର୍କ ଆଇପିଏଲ-୨୦୨୪ରେ ଧୂଆଁଧାର ବ୍ୟାଟିଂ ପାଇଁ ବେଶ୍ ନାଁ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ-୨୦୨୫ର ମେଗା ଅକ୍ସନରେ ମ୍ୟାକଗର୍କଙ୍କୁ ୯ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ଫ୍ରେଜର୍ ପୁରାପୁରି ଫେଲ୍ ମାରିଗଲେ। ସେ ୬ଟି ମ୍ୟାଚରେ କେବଳ ୫୫ ରନ୍ କରିପାରିଥିଲେ। ଏଥର ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରେଜରଙ୍କ ପ୍ରତିଭାକୁ ଅଣଦେଖା କରିନପାରେ। ଫ୍ରେଜରଙ୍କୁ ରିଲିଜ୍ କରିବ ନଚେତ ନିଲାମୀରେ ତାଙ୍କ ଲାଗି ମୋଟା ଟଙ୍କା ଲଗାଇପାରେ। ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର କୈମରନ୍ ଗ୍ରୀନ୍ ଆଇପିଏଲ-୨୦୨୫ରେ ଆଘାତ କାରଣରୁ ଖେଳିପାରିନଥିଲେ। କିନ୍ତୁ ଏବେ ଆଇପିଏଲ-୨୦୨୬ରେ ମିନି ଅକ୍ସନରେ ସାମିଲ୍ ହେବେ। ଆଇପିଏଲ-୨୦୨୩ରେ ମୁମ୍ୱାଇ ଇଣ୍ଡିଆନ୍ସ ପାଇଁ ଖେଳି ଡେବ୍ୟୁ କରିଥିଲେ ଗ୍ରୀନ୍। ଆଗତ ପୂର୍ବରୁ ଦୁଇଟି ଯାକ ସିଜିନରେ ଦମଦାର ପ୍ରଦର୍ଶନ କରିଥିଲେ। ସେଥିଲାଗି ସେ ଅକ୍ସନକ୍ ଓହ୍ଲାଇଲେ ତାଙ୍କ ଉପରେ ଟଙ୍କା ବର୍ଷା କରିପାରିନ୍ତି ଫ୍ରାଞ୍ଚାଇଜ୍। ଗ୍ରୀନ୍ ୨୯ ଆଇପିଏଲ ମ୍ୟାଚରେ ୭୦୭ ରନ୍ କରିବା ସହ ୧୬ ଓ୍ୱିକେଟ୍ ନେଇଛନ୍ତି। ଆଇପିଏଲ-୨୦୨୫ରେ ଦମଦାର ପ୍ରଦର୍ଶନ ସତ୍ତ୍ୱେ ହେନପରିକ କ୍ଲାସେନଙ୍କୁ ସନରାଇଜର୍ସ ହାଇଦ୍ରାବାଦ ରିଲିଜ୍ କରିପାରେ। କ୍ଲାସେନଙ୍କୁ ୨୩ କୋଟିରେ କିଣିଥିଲା ସନରାଇଜର୍ସ ହାଇଦ୍ରାବାଦ। ତେବେ ଏତେ ଟଙ୍କାରେ ଅନ୍ୟ ଖେଳାଳୀଙ୍କୁ କିଣିବାକୁ ଚାହୁଁଛି ଏସଆରଏଚ। ସେପଟେ ଟି.ନଟରାଜନଙ୍କୁ ଆଇପିଏଲ-୨୦୨୫ ମେଗା ଅକ୍ସନରେ ଦିଲ୍ଲୀ କ୍ୟାପିଟାଲ୍ସ ୧୦.୭୫ କୋଟିରେ କିଣିଥିଲା। ତା ସତ୍ତ୍ୱେ ତାଙ୍କୁ କେବଳ ଗୋଟିଏ ମ୍ୟାଚ୍ ଖେଳାଇଥିଲା ଡିସି। ଏଥିରୁ ଜଣାପଡ଼ିଥିଲା, ନଟରାଜନ ଦିଲ୍ଲୀ କ୍ୟାପିଟାଲ୍ସ ର ଅଂଶ ଥାଇ ନଥାଇ ଭଳି ଥିଲେ। ଏଥର ନଟରାଜନଙ୍କୁ ରିଲିଜ୍ କରିପାରେ ଦିଲ୍ଲୀ କ୍ୟାପିଟାଲ୍ସ। ରିଲିଜ୍ ପରେ ନିଲାମୀରେ ଅଂଶ କରିପାରିବେ ନଟରାଜନ। ନଟରାଜନ ୬୭ ଓ୍ୱିକେଟ ନେବା ସହ ଭଲ ବୋଲର ଭାବେ ନାଁ କମାଇଛନ୍ତି। ଯଦି ନଟରାଜନ ନିଲାମୀରେ ଭାଗ ନେବେ, ତାଙ୍କ ପାଇଁ ଫ୍ରାଞ୍ଚାଇଜ ଟିମ୍ ଭିତରେ ବିଡିଂ ଓ୍ୱାର୍ ବି ହେବାର ସମ୍ଭାବନା ଅଛି। ଆଇପିଏଲ-୨୦୧୯ରେ ଡେବ୍ୟୁ କରଇଥିବା ଜନି ବେୟରଷ୍ଟୋ ଯଦି ଅକ୍ସନରେ ଭାଗ ନିଅନ୍ତି, ତେବେ ତାଙ୍କୁ କିଣିବାକୁ ବଡ଼ ପ୍ରତିଯୋଗିତା ହୋଇପାରେ। ୨୦୨୫ରେ ଜନି ବେୟରଷ୍ଟୋଙ୍କୁ କେହି କିଣିନଥିଲେ। ତାଙ୍କୁ ପରେ ବିଲ୍ ଜେକ୍ସଙ୍କ ଜାଗାରେ ମୁମ୍ୱାଇ ଇଣ୍ଡିଆନ୍ସରୁ ସୁଯୋଗ ମିଳିଥିଲା। ବେୟରଷ୍ଟୋ ୨ ଟି ମ୍ୟାଚ୍ ଖେଳିଥିଲେ। ୧୮୪.୭୮ ଷ୍ଟ୍ରାଇକ୍ ରେଟରେ ୮୫ ରନ୍ କରି ସମସ୍ତଙ୍କୁ ଇମ୍ପ୍ରେସ କରିଥିଲେ। ଏମିତିରେ ଯଦି ସେ ଏଥର ଅକ୍ସନକୁ ଆସନ୍ତି, ତାଙ୍କୁ କିଣିବାକୁ ଫ୍ରାଞ୍ଚାଇଜ୍ ଭିତରେ ଜୋରଦାର ପ୍ରତିଯୋଗିତାର ସମ୍ଭାବନା ରହିଛି। ସେପଟେ ୫ ଖେଳାଳୀଙ୍କୁ କେହି କିଣିବେନି ବୋଲି ଚର୍ଚ୍ଚା ହେଉଛି। ଗ୍ଲେନ ମ୍ୟାକ୍ସଓ୍ୱେଲ ଆଇପିଏଲରେ ଲମ୍ୱା ସମୟ ଧରି ଫେଲ୍ ହୋଇଆସୁଛନ୍ତି। ଗଲା ୨ଟି ସିଜିନରେ ୧୭ ମ୍ୟାଚ୍ ଖେଳି ମାତ୍ର ଶହେ ରନ୍ କରିପାରିଛନ୍ତି। ପଞ୍ଜାବ କିଙ୍ଗସ ଗ୍ଲେନ ମ୍ୟାକ୍ସଓ୍ୱେଲଙ୍କୁ ରିଲିଜ୍ କରିଦେଇଛି। ମ୍ୟାକ୍ସଓ୍ୱେଲ ଅକ୍ସନ ଟେବୁଲଲକୁ ଆସିଲେ ଏଥର ଅନସୋଲଡ ରହିପାରନ୍ତି। ଦ୍ରୁତ ବୋଲର ଇଶାନ୍ତ ଶର୍ମା ଗୁଜରାଟ ଟାଇଟନ୍ସ ଟିମରେ ଖେଳନ୍ତି। ୭ଟି ମ୍ୟାଚ୍ ଖେଳିବା ପରେ ଗଲା ସିଜିନରେ ମାତ୍ର ୪ ଓ୍ୱିକେଟ ନେଇଥିଲେ ଇଶାନ୍ତ। ଇକୋନୋମି ୧୧ରୁ ଅଧିକ ଥିଲା। ସେ ନିଜ କ୍ୟାରିଅରର ଅନ୍ତିମ ପର୍ଯ୍ୟାୟରେ ଅଛନ୍ତି। ରିଲିଜ ପରେ ତାଙ୍କୁ ବି କେହି କିଣିବେନି ବୋଲି ଆଶଙ୍କା ରହିଛି। ଇଶାନ୍ତ ପୂର୍ବରୁ ବି ଅନେକ ଅକ୍ସନରେ ଅନସୋଲଡ ହୋଇଛନ୍ତି। ଦୀପକ ହୁଡ୍ଡାଙ୍କୁ ଚେନ୍ନାଇ ସୁପର କିଙ୍ଗସ ବଡ଼ ଆଶା ନେଇ କିଣିଥିଲା। କାରଣ ଟି-ଟ୍ୱେଣ୍ଟି ଇଣ୍ଟରନାସନାଲ କ୍ରିକେଟରେ ସେ ଶତକ କରିଥିଲେ। କିନ୍ତୁ ଆଇପିଏଲର ୭ଟି ମ୍ୟାଚରେ ସେ କେବଳ ୩୧ ରନ୍ କରିପାରିଥିଲେ। ୨୦୧୫ରୁ ଆଇପିଏଲ ଖେଳି ଆସୁଛନ୍ତି ଦୀପକ। ୨୦୨୨ ସିଜିନକୁ ଛାଡ଼ିଦେଲେ କୌଣସି ସିଜିନରେ ଦୀପକ ୨ଶହ ରନ୍ କରିପାରିନାହାନ୍ତି। ଅନୁଭବୀ ଦ୍ରୁତ ବୋଲର ମୋହିତ ଶର୍ମା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଗଲା ସିଜିନରେ ଖେଳିଥିଲେ। ୮ଟି ମ୍ୟାଚରୁ ମାତ୍ର ୨ ଓ୍ୱିକେଟ୍ ନେଇପାରିଥିଲେ ମୋହିତ ଶର୍ମା। ଇକୋନୋମି ବି ୧୦ ଉପରେ ଥିଲା। ସେଥିଲାଗି ମୋହିତଙ୍କୁ ରିଲିଜ୍ ପରେ ସେ ଏଥର ଅନସୋଲଡ ରହିପାରନ୍ତି। ଆଇପିଏଲ-୨୦୨୬ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ ଟିମ୍ ଟ୍ରେଡ୍ ଓ୍ୱିଣ୍ଡୋ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଦୁଇ ଟିମ୍ ଖେଳାଳୀଙ୍କୁ ଅଦଳବଦଳ କରିପାରନ୍ତି। ଏହାର ଅର୍ଥ ବିନା ନିଲାମୀରେ ଖେଳାଳୀ ଗୋଟିଏ ଟିମରୁ ଅନ୍ୟ ଟିମକୁ ଅଦଳବଦଳ ହେବେ। ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନଙ୍କ ବଦଳରେ ରବୀନ୍ଦ୍ର ଜାଡ଼େଜା ଓ ସୈମ କରନଙ୍କୁ ସିଏସକେରୁ ଟ୍ରେଡ୍ କରିପାରେ। ଏହି ଓ୍ୱିଣ୍ଡୋ ଆଇପିଏଲ ସିଜିନ ସରିବାର ଠିକ୍ ୭ ଦିନ ପରେ ଆରମ୍ଭ ହୁଏ। ଆଉ ଅକ୍ସନର ୭ ଦିନ ପୂର୍ବରୁ ବନ୍ଦ ହୋଇଯାଏ। ଏହି ଅବସରରେ କୌଣସି ଫ୍ରାଞ୍ଚାଇଜ୍ ବାକି ୯ ଟିମରୁ ଖେଳାଳୀଙ୍କୁ ଟ୍ରେଡ୍ କରିପାରେ। ଅବଶ୍ୟ ନିୟମ ଅନୁସାରେ, ଅକ୍ସନରେ ନିକଟରେ କିଣାଯାଇଥିବା ନୂଆ ଖେଳାଳୀଙ୍କୁ ସିଜିନ ଆରମ୍ଭ ପୂର୍ବରୁ ଟ୍ରେଡ୍ କରାଯାଇପାରିବନି। ତାଙ୍କୁ ପରବର୍ତ୍ତୀ ସିଜିନ୍ ପରେ ହିଁ ଟ୍ରେଡିଂ କରାଯାଇପାରିବ। ଟ୍ରେଡର କୌଣସି ସୀମା ନାହିଁ। ଟିମ୍ ଯେତିକି ଚାହିଁବ, ସେତିକି ଖେଳାଳୀ ଟ୍ରେଡ କରିପାରିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now