୧୮ ବର୍ଷ ପ୍ରତୀକ୍ଷାର ଅନ୍ତ ହେଲା। ଆରସିବି ଆଇପିଏଲ ଚାମ୍ପିଅନ ହେଲା। ଅସୀମିତ ରୋମାଞ୍ଚ, ଅପୂର୍ବ ଉତ୍କଣ୍ଠା ଭିତରେ ଶେଷରେ ପଞ୍ଜାବ କିଙ୍ଗସକୁ ୬ ରନରେ ହରାଇ ବାଜି ମାରିନେଲା ଆରସିବି। ୧୮ ବର୍ଷ ପରେ ଆଇପିଏଲର ୧୮ତମ ସଂସ୍କରଣରେ ୧୮ ନମ୍ୱର ଜର୍ସି ପିନ୍ଧି ଖେଳୁଥିବା କୋହଲିଙ୍କ ବହୁ ପ୍ରତୀକ୍ଷିତ ଆଶା ପୂରଣ ହେଲା। ଜିତିବାର ଅବ୍ୟବହିତ ଆଗରୁ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ କୋହଲି। ଆଉ କୋହଲିଙ୍କ ପ୍ରତିଟି ମୂହୂର୍ତ୍ତ ଯେମିତି କ୍ରିକେଟ ଫ୍ୟାନ୍ସଙ୍କୁ ବେଶ ଆନ୍ଦୋଳିତ କରୁଥିଲା। ଟିଭି ପରଦାରେ ବାରମ୍ୱାର କୋହଲିଙ୍କ ରିଆକ୍ସନ, ଆଖି ଛଳ ଛଳ, ଲୁହ ପୋଛିବାର ଦୃଶ୍ୟ କ୍ରିକେଟ କ୍ରେଜର ଏକ ଭିନ୍ନ ଦୃଶ୍ୟକୁ ଦେଖାଉଥିଲା। ୧୯୧ରନର ବିଜୟ ଟାର୍ଗେଟକୁ ପିଛା କରୁଥିବା ପଞ୍ଜାବ କିଙ୍ଗସ ୧୮୪ ରନରେ ଅଟକିଯାଇଥିଲା। ଆଉ ଆଇପିଏଲ ଟ୍ରଫି ଦୀର୍ଘ ୧୮ ବର୍ଷ ପରେ ଧରିବା ଖୁସିରେ କୋହଲିଙ୍କ ପ୍ରତିଟି ମୁଡ୍ ଯେମିତି ଆଇପିଏଲ ଫାଇନାଲକୁ ଅଧିକ ଜୀବନ୍ତ କରି ତୋଳିଥିଲା। ରବି ଶାସ୍ତ୍ରୀଙ୍କୁ କୁଣ୍ଢାଇ ଝୁଲିବା ହେଉ ଅବା ଅଭିନେତ୍ରୀ ପତ୍ନୀ ଅନୁସ୍କାଙ୍କୁ ଆଲିଙ୍ଗନ କରିବା। ପୁରା ଟିମ୍ ସହ ଆଇପିଏଲ ଟ୍ରଫିକୁ ଧରି ପଡ଼ିଆ ଯାକ ବୁଲିବାର ଗୌରବମୟ କ୍ଷଣ। ସେପଟେ ଆରସିବିର ଏହି ଐତିହାସିକ ବିରାଟ ବିଜୟରେ ପଡ଼ିଆରୁ ନେଇ ସଡ଼କ ଯାଏ। ରାତି ଯାକ ଯେମିତି ଚାଲିଥିଲା ସେଲିବ୍ରେସନର ମାହୋଲ। ଆରସିବି ଫ୍ୟାନ୍ ଖୁସିରେ ଏତେ ପାଗଳ ହୋଇଯାଇଥିଲେ ଯେ, କେଉଁଠି ରାସ୍ତାରେ ଟ୍ରକ ଡ୍ରାଇଭରକୁ ଗାଡ଼ି ହର୍ଣ୍ଣ ବଜାଇବା ତାଳରେ ଝୁମିଥିଲେ ତ ପୁଣି କେଉଁଠି ପୁଲିସ ସାଇରନର ତାଳେ ତାଳେ। ବାଜାବାଣ ରୋଷଣୀରେ ଅଦିନିଆ ଦୀପାବଳୀର ଭ୍ରମ ସୃଷ୍ଟି କରିଥିଲା ଏହି ଭିକଟ୍ରି। ପଡ଼ିଆରେ ଆରସିବିର ବିଜୟ ପରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ ବି ଖୁସିରେ ଝୁମିଥିଲେ। ଆରସିବି ବିଜୟ ପଛରେ ମୁଖ୍ୟ ଆର୍କିଟେକ୍ ଭାବେ ମହମ୍ମଦ ବୋବାଟଙ୍କୁ ବି ଶ୍ରେୟ ଦିଆଯାଉଛି। ବୋବାଟ ହେଉଛନ୍ତି ଆରସିବିର ଡାଇରେକ୍ଟର। ଆଇପିଏଲ ଫାଇନାଲ ପୂର୍ବରୁ ପତ୍ନୀ ଅନୁଷ୍କାଙ୍କ ସହ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ କୋହଲି। ଟ୍ରଫି ଜିତିଲା ପରେ କୋହଲି କହିଛନ୍ତି, ସବୁ ଭଗବାନଙ୍କ ଇଛା। ୧୮ ବର୍ଷ ଧରି ଥିବା ଆଶା, ସ୍ୱପ୍ନ ଏବେ ଯାଇ ପୂରଣ ହେଲା। ସେପଟେ ଆଉ ବଲ୍ ବାକି ଥିଲେ ପଞ୍ଜାବ କିଙ୍ଗସ ଟ୍ରଫି ହାସଲ କରିପାରିଥାଆନ୍ତା। କାରଣ ଶଶାଙ୍କ ସିଂ ସିଙ୍ଗଲ ହ୍ୟାଣ୍ଡେଡ୍ ଯେଭଳି ବିସ୍ଫୋରକ ବ୍ୟାଟିଂ କରୁଥିଲେ, ତାହା ବେଶ୍ ପ୍ରଶଂସନୀୟ ଥିଲା। ହାରିବା ପରେ ଶଶାଙ୍କ ବି କାନ୍ଦି ପକାଇଥିଲେ। ଟିମ୍ ଯେତେବଳେ ଚାପରେ ଥିଲା, ସେତେବେଳେ ୩୦ ବଲରେ ଅପରାଜିତ ୬୧ ରନ୍ କରିଥିଲେ ଶଶାଙ୍କ। ପ୍ରୀତି ଜିଣ୍ଟାଙ୍କ ଆଶା ବି ଏଥର ସାକାର ହେଲାନି। ହାରିବା ପରେ ପ୍ରୀତିଙ୍କ ଚେହେରା ପୁରା ଶୁଖିଯାଇଥିଲା। ପ୍ରୀତିଙ୍କୁ କ୍ୟାପଟେନ ଶ୍ରେୟସ ଆୟାରଙ୍କ ସମେତ ଅନେକ ଖେଳାଳୀ ସାନ୍ତ୍ୱନା ଦେଇଥିଲେ। ପ୍ରୀତିଙ୍କ ଆଖି ବି ଓଦା ଥିଲା। କିନ୍ତୁ ଶେଷରେ ଖେଳୁଆଡ଼ ମନୋଭାବର ପରିଚୟ ଦେଇଛି ଉଭୟ ଆରସିବି ଓ ପଞ୍ଜାବ କିଙ୍ଗସ ଟିମ୍। ପ୍ରୀତି ଜିଣ୍ଟା ୨୦୦୮ରୁ ଆଇପିଏଲରେ ସାମିଲ ଅଛନ୍ତି। ୨୦୧୪ରେ ଥରେ ମାତ୍ର ପଞ୍ଜାବ କିଙ୍ଗସ ଫାଇନାଲ ଖେଳିଥିଲା। ୧୮ ବର୍ଷର ପ୍ରତୀକ୍ଷା। ଆରସିବି ବାଜି ମାରିବା ସହ କୋହଲିଙ୍କ ଭାବବିହ୍ୱଳ ମୂହୂର୍ତ୍ତ ଫାଇନାଲ ଇତିହାସରେ ଏକ ଅଧ୍ୟାୟ ଯୋଡ଼ିଲା। ଆଉ ଜିତୁ ଜିତୁ ହାରିଥିବା ପଞ୍ଜାବ କିଙ୍ଗସର ଶେଷ ପର୍ଯ୍ୟନ୍ତ ଲଢ଼େଇ, ଶଶାଙ୍କଙ୍କ ଦମଦାର ବ୍ୟାଟିଂ ବି ବେଶ୍ ସ୍ମରଣୀୟ ହୋଇ ରହିଲା।


Naxatra News is now on Whatsapp
Join and get latest news update delivered to you via whatsapp
Join Now