ବାଂଲାଦେଶୀ କ୍ରିକେଟରଙ୍କୁ କିଣି ଅକଳରେ KKR- ବିବାଦରେ ଶାହାରୁଖ!

ଆଇପିଏଲରେ ବାଂଲାଦେଶୀ କ୍ରିକେଟରଙ୍କୁ କିଣି ବିବାଦରେ ଶାହାରୁଖ ଖାନ୍। ଶାହାରୁଖଙ୍କ ମାଲିକାନାରେ ଥିବା କେକେଆର୍ ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରେହେମାନଙ୍କୁ ୯ କୋଟିରେ କିଣିଛି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅକଥନୀୟ ଅତ୍ୟାଚାର ଜାରି ଥିଲା ବେଳେ କେକେଆର୍ କେଉଁ ଆଧାରରେ ବାଂଲାଦେଶୀ କ୍ରିକେଟରଙ୍କୁ କିଣିଲେ ବୋଲି ବିବାଦ ଉଠିଛି। ଶାହାରୁଖଙ୍କୁ ଦେଶ ବିରୋଧୀ ତତ୍ତ୍ୱ ବୋଲି କହି ଅନେକ ବିଜେପି ନେତା ଗର୍ଜିଛନ୍ତି। ବିଧାୟକ ନନ୍ଦକିଶୋର ଗୁର୍ଜର ଶାହାରୁଖଙ୍କୁ ରାକ୍ଷସ ଓ ଜିହାଦୀ ବୋଲି କହିଛନ୍ତି। ଶାହାରୁଖଙ୍କ ଫିଲ୍ମ ଦେଖନ୍ତୁନି ବୋଲି ଲୋକଙ୍କୁ ଅପିଲ୍ କରିଛନ୍ତି ଗୁର୍ଜର। ୟୁପିର ପୂର୍ବତନ ବିଜେପି ବିଧାୟକ ସଙ୍ଗୀତ ସୋମ ଶାହାରୁଖଙ୍କୁ ଛଦ୍ମବେଶୀ ବୋଲି କହିଛନ୍ତି। ଏଭଳି ଛଦ୍ମବେଶୀ ଭାରତରେ ରହିବାର କୌଣସି ଅଧିକାର ନାହିଁ ବୋଲି କହିଛନ୍ତି ସୋମ୍। ଭାରତବାସୀଙ୍କ ଆଦରରୁ ଆଜି ଶାହାରୁଖ ଏତେ ଉପରକୁ ଉଠିଛନ୍ତି। କିନ୍ତୁ ଦେଶ ସହ ବିଶ୍ୱାସଘାତକ କଲେ। ଶାହାରୁଖଙ୍କୁ ଏୟାରପୋର୍ଟ ବାହାରକୁ ଆସିବାକୁ ଦିଆଯିବନି। ସେପଟେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଜିଲ୍ଲା ଅଧ୍ୟକ୍ଷା ମୀରା ରାଠୋର ତ କହିଛନ୍ତି, ଶାହାରୁଖ ହିନ୍ଦୁସ୍ତାନର ଖାଉଛନ୍ତି। କିନ୍ତୁ ବାଂଲାଦେଶ ଓ ପାକିସ୍ତାନ ପ୍ରେମ ଦେଖାଉଛନ୍ତି। ଯିଏ ଶାହାରୁଖଙ୍କ ଜିଭ କାଟି ଆଣିବ, ତାକୁ ସେ ଲକ୍ଷେ ଟଙ୍କା ପୁରଷ୍କାର ଦେବେ ବୋଲି ଘୋଷଣା କରିଛନ୍ତି ମୀରା। ଅନେକ ଧାର୍ମିକ ଗୁରୁ ବି ଶାହାରୁଖଙ୍କୁ ଟାର୍ଗେଟ କରିଛନ୍ତି। ଡିସେମ୍ୱର ୧୬ରେ ଅକ୍ସନ ହୋଇଥିଲା। ମାର୍ଚ୍ଚରେ ଆଇପିଏଲ ସିଜିନ୍ ଆରମ୍ଭ ହେବ। ଭାରତ ଓ ବାଂଲାଦେଶ ଭିତରେ ସମ୍ପର୍କ ତିକ୍ତ ଥିଲା ବେଳେ ଏ ବିବାଦ ଅଧିକ ଘନୀଭୂତ ହୋଇଛି। ସେପଟେ ବିସିସିଆଇ କେକେଆରକୁ ସମନ କରିଛି। ତୁରନ୍ତ ରେହେମାନଙ୍କୁ ବିଦା କରିବାକୁ ନିର୍ଦେଶ ଦେଇଛି ବିସିସିଆଇ। ବିସିସିଆଇର ଆଶା ଥିଲା ଯେ, ବିବାଦ ଉଠିବା ପରେ କେକେଆର ନିଜ ଆଡ଼ୁ ରେହେମାନଙ୍କୁ ରିଲିଜ୍ କରିଦେବ। କିନ୍ତୁ ଏଭଳି ହୋଇନଥିଲା। କେକେଆର ରେହେମାନଙ୍କ ବଦଳରେ ଅଲଗା ଖେଳାଳୀଙ୍କୁ କିଣିପାରିବେ। ଶାହାରୁଖଙ୍କ ସମର୍ଥନରେ ବାହାରିଛନ୍ତି ପୂର୍ବତନ କ୍ରିକେଟର ଓ ବିରୋଧୀ ଦଳ। ଟିଏମସି, କଂଗ୍ରେସ, ଆମ୍ ଆଦମୀ ଦଳ ଓ ସପା ଭଳି ବିରୋଧୀ ଦଳ କହିଛି, ହିନ୍ଦୁଙ୍କ ଉପରେ ଅତ୍ୟାଚାରର ବିରୋଧ ଠିକ୍। ହେଲେ ମୋଦି କାହିକି ନୀରବ। ବିଦେଶ ମନ୍ତ୍ରୀ କାହିଁକି ଢାକା ଗଲେ। ଶେଖ୍ ହାସିନା ଭାରତରେ ପୁଣି କେମିତି ରହିଛନ୍ତି। ବିସିସିଆଇ ବାଂଲାଦେଶୀ ଖେଳାଳୀଙ୍କୁ ନିଲାମୀରେ କାହିଁକି ସାମିଲ୍ କରୁଛି। ଜୟ ଶାହା ପାକିସ୍ତାନ ସହ କ୍ରିକେଟ ଖେଳିବାକୁ ଅନୁମତି ଦେଲେ କେମିତି। ଏମିତିରେ କେବଳ ଶାହାରୁଖଙ୍କୁ ଟାର୍ଗେଟ କରିବା କେତେଦୂର ଯୁକ୍ତିଯୁକ୍ତ। ପୂର୍ବତନ କ୍ରିକେଟର ଅତୁଲ କହିଛନ୍ତି, କ୍ରିକେଟ ଆୟୋଜନ କରୁଥିବା ବିସିସିଆଇକୁ କେହି ପ୍ରଶ୍ନ କରୁନାହାନ୍ତି କାହିଁକି। ବାଂଲାଦେଶୀ ଖେଳାଳୀଙ୍କ ନାଁ ଥିବାରୁ ତ ନିଜ ଜରୁରୀ ହିସାବରେ କେକେଆର ତାଙ୍କୁ ନିଲାମରେ ନେଲା। ଶାହାରୁଖ ଅସଲ ଦେଶଭକ୍ତ ଅଟନ୍ତି। କ୍ରିକେଟ ଆଗ ନା ଦେଶ ଆଗ। ବେପାର ଆଗ ନା ବଲିଉଡ୍ ଆଗ। ଏମିତି ତମାମ ପ୍ରଶ୍ନ ଆନ୍ଦୋଳିତ କରିଥିଲା କେକେଆରର ଏଭଳି ନିଷ୍ପତ୍ତିରେ। ଜାତୀୟ ସ୍ୱାର୍ଥ କଥା ଉଠୁଥିଲା ବେଳେ ହିନ୍ଦୁ- ମୁସଲମାନ କଥା କହି ଅଯଥା ଅଲଗା ଦୃଷ୍ଟିକୋଣରେ ଦେଖାନଯାଉ ବୋଲି ବି ସ୍ୱର ଶାଣିତ ହେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *