ବିସିସିଆଇକୁ କ୍ଷମା ମାଗିଲେ ମୋହସିନ ନକଭି। କିନ୍ତୁ ଏସିଆ କପ୍ ଟ୍ରଫି ଓ ମେଡାଲ ଫେରସ୍ତ କରିବାକୁ ମନା କରିଦେଇଛନ୍ତି। ନକଭି କହିଛନ୍ତି, ଯାହା ହେଲା, ତାହା ହେବାର ନଥିଲା। ଟ୍ରଫି ଓ ମେଡାଲ ଫେରାଇବା ନେଇ ଅଜବ ସର୍ତ୍ତ ରଖିଛନ୍ତି। ଭାରତୀୟ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ନିଜେ ଏସିସି ବା ଏସିଆ କାଉନସିଲ ଅଫିସ ଆସି ଟ୍ରଫି ନେଇଯାଆନ୍ତୁ। ଏହାର ଅର୍ଥ ଟ୍ରଫିକୁ ନେଇ ଚାଲିଥିବା ବିବାଦ ଏବେ ସରିନି। ଏସିଆ କପ୍ ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୫ ଓ୍ୱିକେଟରେ ହରାଇ ନବମ ଥର ପାଇଁ ଏସିଆ କପ୍ ଜିତିଛି ଭାରତ। କିନ୍ତୁ ଏସିସି ଅଧ୍ୟକ୍ଷ ମୋହସିନ ନକଭିଙ୍କ ହାତରୁ ଟ୍ରଫି ନେବାକୁ ମନା କରିଦେଇଥିଲା ଭାରତୀୟ ଟିମ୍। ବିନା ଟ୍ରଫିରେ ବିଜୟ ସେଲିବ୍ରେସନ କରିଥିଲେ। ମଞ୍ଚରେ ଦୀର୍ଘ ସମୟ ଧରି ଟ୍ରଫି ଦେବାକୁ ନକଭି ଛିଡ଼ା ହୋଇଥିଲେ ସୁଦ୍ଧା କେହି ଗଲେନି। ରାଗରେ ଗର ଗର ହୋଇ ଟ୍ରଫି ଓ ମେଡାଲକୁ ଧରି ନକଭି ପଡ଼ିଆରୁ ଚାଲିଯାଇଥିଲେ। ଏହି ବିବାଦ ପରେ ନକଭିଙ୍କୁ ଟ୍ରଫି ଫେରାଇଦେବାକୁ ବିସିସିଆଇ କହିଥିଲା। ଟ୍ରଫି ନ ଫେରାଇଲେ ଆଇସିସିରେ ଅଭିଯୋଗ କରିବାକୁ କହିଥିଲା ବିସିସିଆଇ। ଗଲା କାଲି ଏସିସିର ଭର୍ଚ୍ଚୁଆଲ ବୈଠକରେ ବିସିସିଆଇ ଓ ପିସିବି ଭିତରେ ବେଶ୍ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ଏହା ପରେ ମୋହସିନ୍ କ୍ଷମା ସିନା ମାଗିଲେ। କିନ୍ତୁ ନିଜ ଜିଦରେ ଏବେ ବି ଅଡ଼ି ବସିଛନ୍ତି। ଆଜି ଲାହୋର ଫେରିଯାଇଛନ୍ତି ନକଭି। ବିସିସିଆଇ ଜବାବରେ କହିଛି, ସୂର୍ଯ୍ୟକୁମାର ଏସିସି ଅଫିସ ଯିବେନି। ଏସିସି ଅଫିସରେ ନକଭି ଥିଲା ଯାଏ ତାଙ୍କ ହାତରୁ ଟ୍ରଫି ନେଲାନି ଟିମ୍। ଏବେ ସୂର୍ଯ୍ୟକୁମାର ନିଜେ ଯାଇ ଟ୍ରଫି ଆଣିବେ ବୋଲି ଭାବିପାରୁଛନ୍ତି କେମିତି ନକଭି।

Naxatra News is now on Whatsapp
Join and get latest news update delivered to you via whatsapp
Join Now