ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତ ୪ ୱିକେଟ୍ ହରାଇ ସଂଗ୍ରହ କରିଛି ୨୮୮ ରନ୍

Spread the love

ବନ୍ଦର ଅଫ୍ ସ୍ପେନ୍ : କ୍ୱିନ୍ ପାର୍କ ଓଭାଲରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତ ୪ଟି ୱିକେଟ୍ ହରାଇ ୨୮୮ ରନ୍ ସଂଗ୍ରହ କରିଛି । ଦିନର ଖେଳ ଶେଷସୁଦ୍ଧା ବିରାଟ କୋହଲି ୮୭ରନ୍ ଏବଂ ରବିନ୍ଦ୍ର ଜାଡେଜା ୩୬ ରନ୍ ରେ ଖେଳୁଛନ୍ତି ।

ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ ପୁଣି ଥରେ ଭାରତକୁ ଭଲ ଆରମ୍ଭ ପ୍ରଦାନ କରି ପ୍ରଥମ ୱିକେଟ୍ ପାଇଁ ୧୩୯ ରନ୍ ଯୋଡିଥିଲେ । ଏହି ସ୍କୋରରେ ଜୟସ୍ୱାଲ ୫୭ ରନ୍‌ର ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ଖେଳିବା ପରେ ଜେସନ ହୋଲ୍ଡରଙ୍କ ଶିକାର ହୋଇଥିଲେ ।

ଜୟସ୍ୱାଲଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ଶୁବମାନ ଗିଲ ବିଶେଷ କିଛି ପ୍ରଦର୍ଶନ ନକରିପାରି ମାତ୍ର ୧୦ ରନ୍ ସ୍କୋର କରିବା ପରେ କେମାର ରୋଚଙ୍କ ଶିକାର ହୋଇଥିଲେ ।

ଦଳୀୟ ସ୍କୋର ୧୫୫ରେ ପହଞ୍ଚିବା ସମୟରେ ଜୋମେଲ ୱାରିକାନ୍ ରୋହିତ ଶର୍ମାଙ୍କୁ କ୍ଲିନ୍ ବୋଲ୍ଡ କରି ରୋହିତଙ୍କର ଚମତ୍କାର ଇନିଂସକୁ ଶେଷ କରିଦେଇଥିଲେ । ରୋହିତ ୮୦ ରନ୍ ସଂଗ୍ରହ କରି ଆଉଟ ହୋଇଥିଲେ । ଅଜିଙ୍କ୍ୟ ରାହାଣେ ମଧ୍ୟ ବିଶେଷ କିଛି କରିପାରିନଥିଲେ ଏବଂ ମାତ୍ର ୮ ରନ୍ ସ୍କୋର କରି ଶାନନ୍ ଗାବ୍ରିଏଲ୍ ଙ୍କ ଶିକାର ହୋଇଥିଲେ । ଏହା ପରେ ବିରାଟ କୋହଲି ୮୭ ଏବଂ ରବିନ୍ଦ୍ର ଜାଡେଜା ୩୬ ରନ୍ ସହ ଦଳ ସ୍କୋରକୁ ଦିନ ଶେଷସୁଦ୍ଧା ୨୮୮ ରେ ପହଞ୍ଚାଇଥିଲେ । ଉଭୟଙ୍କ ମଧ୍ୟରେ ପଞ୍ଚମ ୱିକେଟ୍ ପାଇଁ ଏପର୍ଯ୍ୟନ୍ତ ୧୦୬ ରନ୍ ର ଭାଗିଦାରୀ ହୋଇଛି ।

ୱେଷ୍ଟଇଣ୍ଡିଜ ତରଫରୁ କେମାର ରୋଚ, ଜେସନ ହୋଲଡର, ଜୋମେଲ ୱାରିକାନ ଏବଂ ଶାନନ ଗାବ୍ରିଏଲ୍ ୧-୧ ୱିକେଟ୍ ନେଇଛନ୍ତି ।

Leave a Reply

Your email address will not be published. Required fields are marked *