ଦଳାଚକଟା ଲାଗି ଦାୟୀ କିଏ ?

ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦଳାଚକଟାରେ ୧୧ଜଣଙ୍କ ଜୀବନ ଚାଲିଗଲା। ୩୩ରୁ ଅଧିକ ଆହତ ହେଲେ। ଘଟଣାକୁ ନେଇ କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ୍ଷମା ମାଗିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ସରକାର। ଆହତଙ୍କୁ ମାଗଣା ଚିକିତ୍ସା କରାଯାଉଛି। ୧୮ ବର୍ଷ ପରେ ଆରସିବି ଆଇପିଏଲ ଟ୍ରଫି ଜିତିବା ଖୁସିରେ ସମ୍ୱର୍ଦ୍ଧନା ଉତ୍ସବ ବେଳେ ଏଭଳି ଅଘଟଣ ଘଟିଥିଲା। ଷ୍ଟାଡ଼ିୟମ ବାହାରେ ଅସମ୍ଭାଳ ଭିଡ଼ରେ ଦଳାଚକଟାରୁ ଅଣନିଃଶ୍ୱାସୀ ହୋଇ ୧୧ଜଣଙ୍କ ଜୀବନ ଯାଇଛି।  ମୃତକଙ୍କ ସମ୍ପର୍କୀୟ ଓ ଆହତଙ୍କୁ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ପ୍ରମୁଖ ଭେଟିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି, ସେ ଏହି ଘଟଣାରେ ରାଜନୀତି କରିବାକୁ ଚାହୁଁନାହାନ୍ତି। ୧୫ ଦିନ ଭିତରେ ଘଟଣାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ସରିବ। ଷ୍ଚାଡିୟମର କ୍ଷମତା ୩୫ହଜାର ଥିଲା ବେଳେ ୨ରୁ ୩ଲକ୍ଷ ଲୋକଙ୍କ ଭିଡ଼ ଜମିଥିଲା। ତେବେ ଯେଉଁମାନେ ଏଭଳି ଘଟଣାକୁ ନେଇ ରାଜନୀତି କରୁଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ସିଦ୍ଧରମେୟା କହିଛନ୍ତି କି, କୁମ୍ଭ ମେଳାରେ ତ ଅନେକ ଲୋକଙ୍କ ଜୀବନ ଗଲା। ସେତେବେଳେ ସେ ତ କାଇଁ ରାଜନୀତି କରିନଥିଲେ।ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ଘଟଣାରେ ଗଭୀର ଶୋକବ୍ୟକ୍ତ କରିଥିଲେ। ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏହି ଘଟଣାରେ କର୍ଣ୍ଣାଟକ ସରକାରଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ଭିଡ଼ ଅସମ୍ଭାଳ ଥିଲା। ସେ ନିଜେ ଫ୍ରାଞ୍ଚାଇଜ୍ ସହ କଥା ହୋଇଛନ୍ତି। ଫ୍ରାଞ୍ଚାଇଜ ବି ଏତେ ଭିଡ଼ ହେବ ବୋଲି ଆକଳନ କରିନଥିଲା।  ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମାଲ ବି କହିଥିଲେ, ଏଭଳି କୌଣସି କାର୍ଯ୍ୟକ୍ରମ ଆୟୋଜନ ବାବଦରେ ତାଙ୍କ ପାଖରେ କୌଣସି ସୂଚନା ନଥିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଏତଲା ହୋଇଛି। ସାମାଜିକ କର୍ମୀ ସ୍ନେହମୟୀ କୃଷ୍ଣା କବ୍ବନ ପାର୍କ ଥାନାରେ ଅଭିଯୋଗ କରିଛନ୍ତି। ଶିବକୁମାର ଓ କର୍ଣ୍ଣାଟକ କ୍ରିକେଟ ବୋର୍ଡର ଅବହେଳାକୁ ଦାୟୀ କରିଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି। ଯେତେବେଳେ ଲୋକେ ମରୁଥିଲେ, ସେତେବେଳେ ବି ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଜାରି ଥିଲା। ରାହୁଲ ଗାନ୍ଧୀ ଗଲେ କୁଆଡ଼େ। ସେ ନିଜ ନେତାଙ୍କୁ ଏହାର ଜବାବ ମାଗିବେନି କି।  ଏହା ଦୁର୍ଘଟଣା ନଥିଲା, ବରଂ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଦଳାଚକଟା ଥିଲା। ପୁଲିସ ଖୋଲା ଭିକଟ୍ରି ପ୍ୟାରେଡ଼ ଲାଗି ମନା କରିଦେବା ପରେ କିଏ ଅନୁମତି ଦେଲା। ୩୫ହଜାର କାପାସିଟି ଥିଲା ବେଳେ ୨୫ହଜାର ବଳକା ଟିକଟ କେମିତି ବିକାଗଲା ବୋଲି ପଚାରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର। କର୍ଣ୍ଣାଟକ ଗୃହ ମନ୍ତ୍ରୀ ଜି.ପରମେଶ୍ୱର କହିଛନ୍ତି, ତଦନ୍ତ ରିପୋର୍ଟ ଆସିବା ପରେ ଯିଏ ବି ଦାୟୀ ଥିବେ, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ। ଆରସିବି କି କର୍ଣ୍ଣାଟକ କ୍ରିକେଟ ବୋର୍ଡକୁ ଏଭଳି କାର୍ଯ୍ୟକ୍ରମ କରିବାକୁ ସରକାର କହିନଥିଲେ। ସେମାନେ ଏହାର ନିଜେ ଆୟୋଜନ କରି ଟିମ୍ କୁ ବେଙ୍ଗାଲୁରୁ ଆଣିଥିଲେ। ସଞ୍ଜୟ ରାଉତ କହିଛନ୍ତି, ଏଥିଲାଗି କେହି ଦାୟୀ ନୁହଁନ୍ତି। ଜନତା ବି ସମାନ ପରିମାଣରେ ଦାୟୀ। ଅସମ୍ଭାଳ ଭିଡ଼ ବେଳେ ଲୋକଙ୍କୁ ବି ବୁଝିବା ଜରୁରୀ। ଲୋକେ କୌଣସି ନିୟମକୁ ମାନିବାକୁ ନାରାଜ। ସେପଟେ କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାର ସଂଜ୍ଞାନ ନିଜ ଆଡ଼ୁ ନେଇ ନୋଟିସ୍ ଜାରି କରିଛନ୍ତି। ଅପରାହ୍ନ ସାଢ଼େ ୨ଟାରେ ଏହି ମାମଲାର ଶୁଣାଣୀ ହେବ।ଚିନ୍ନାସ୍ୱାମୀ ଷ୍ଟାଡିଅମରେ ଦଳାଚକଟା ଘଟଣାରେ କିଏ ଦାୟୀ। କେସିବି, ବିସିସିଆଇ, ଆଇପିଏଲ, ପ୍ରାଞ୍ଚାଇଜ ଓ ସର୍ବୋପରି କର୍ଣ୍ଣାଟକ ସରକାର ନିଜକୁ ଏଥିଲାଗି ଦାୟୀ କରୁନାହାନ୍ତି। ତା ହେଲେ ଏତେବଡ଼ ଅଘଟଣ ଲାଗି କିଏ ଉତ୍ତରଦାୟୀ ରହିବ, ତାହା ହିଁ ବଡ଼ ପ୍ରଶ୍ନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *