୩୮ରେ ପାଦ ଥାପିଲେ ରନ୍ ମେସିନ୍-କିଙ୍ଗ୍ କୋହଲି

ଆଜି ୩୮ ବର୍ଷରେ ପାଦ ଥାପିଲେ ବିରାଟ କୋହଲି। କ୍ରିକେଟ ଫ୍ୟାନ୍ସଙ୍କ ଭିତରେ କିଙ୍ଗ୍‌ କୋହଲି, ରନ୍ ମେସିନ୍ ଓ ଚେଜ୍ ମାଷ୍ଟର ନାଁରେ ବିରାଟ କୋହଲି ଖ୍ୟାତି ଅର୍ଜନ କରିଛନ୍ତି। କୋହଲିଙ୍କ ନିରନ୍ତର ରେକର୍ଡ ଅଦ୍ଭୁତପୂର୍ବ ରହିଛି। ସବୁ ଫର୍ମାଟରେ କୋହଲିଙ୍କ ସ୍ୱତନ୍ତ୍ର ଛାପ ରହିଛି। ଟେଷ୍ଟ, ଓ୍ୱାନ-ଡେ ଓ ଟି-ଟ୍ୱେଣ୍ଟିରେ କୋହଲିଙ୍କ ଦମଦାର ପ୍ରଦର୍ଶନର ଛାପ ରହିଛି। ଶତକର ଶୀଖରରେ ବିଶ୍ୱବିଜେତା ଯାଏଁ, କୋହଲିଙ୍କ ସଂଘର୍ଷ ଓ ଏକାଗ୍ରତା ଆଜି ସମସ୍ତଙ୍କ ଲାଗି ଆଦର୍ଶ ସାଜିଛି କହିଲେ ଭୁଲ୍ ହେବନି। କୋହଲି ଟି-ଟ୍ୱେଣ୍ଟି ଓ ଟେଷ୍ଟରୁ ସନ୍ୟାସ ନେଇସାରିଛନ୍ତି। କିନ୍ତୁ ଏକଦିବସୀୟ ମ୍ୟାଚରେ ଏବେ ବି ତାଙ୍କ ଜଲଓ୍ୱା ଜାରି ରହିଛି। କୋହଲି କେବଳ ଜଣେ ବ୍ଯାଟ୍ସମ୍ୟାନ ନୁହଁନ୍ତି, ବରଂ ଆଧୁନିକ ଭାରତୀୟ କ୍ରିକେଟର ପରିଚୟ ଅଟନ୍ତି। ଦୁଇ ଦଶକର ଲମ୍ୱା କ୍ୟାରିଅରେ କୋହଲି ଏମିତି ଅନେକ କୀର୍ତ୍ତିମାନ୍ ରଚିଛନ୍ତି, ଯାହା ଆସନ୍ତା ପୀଢ଼ି ଲାଗି ପ୍ରେରଣାଦାୟକ ସାଜିବ। ୨୦୨୪ରେ ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତକୁ ବିଜୟୀ କରାଇବା ପରେ ଟି-ଟ୍ୱେଣ୍ଟିରୁ ଅବସର ଘୋଷଣା କରିଥିଲେ। ଚଳିତ ବର୍ଷ ଟେଷ୍ଟକୁ ବି ଅଲବିଦା କରିଦେଇଛନ୍ତି। କୋହଲିଙ୍କ ନାଁରେ ରନ୍, ଶତକ ଓ ଜୋସ୍ ଭଳି ତିନୋଟିର ସଙ୍ଗମ ଦେଖିବାକୁ ମିଳେ। ଓ୍ୱାନ-ଡେ ରେ ସବୁଠୁ ଦ୍ରୁତ ଗତିରେ ୧୩ହଜାର ରନ୍ କରିଥିବା ଖେଳାଳୀ ଅଟନ୍ତି କୋହଲି। ସେପ୍ଟେମ୍ୱର ୧୦, ୨୦୨୩ରେ ପାକିସ୍ତାନ ବିରୁଦ୍ଧରେ ଖେଳିବା ବେଳେ ନିଜ କ୍ୟାରିଅରର ବଡ଼ କୀର୍ତ୍ତି ହାସଲ କରିଥିଲେ। ନିଜର ୨୭୮ତମ ଓ୍ୱାନ-ଡେ ରେ ୧୩ହଜାର ରନ୍ ସମ୍ପୂର୍ଣ୍ଣ କରିଥିଲେ। ଆଉ ଏହା କରିବାରେ ସବୁଠୁ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ସାଜିଥିଲେ କୋହଲି। ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଦେଇଥିଲା। କାରଣ ତେନ୍ଦୁଲକର ୩୨୧ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଥିଲେ। ବିରାଟଙ୍କ ନାଁରେ ସର୍ବାଧିକ ୫୦ ଶତକ କରିବାର ରେକର୍ଡ ରହିଛି। ନିଜର କ୍ୟାପଟେନସିପରେ ସେ କୌଣସି ଆଇସିସି ଟ୍ରଫି ଜିତିନାହାନ୍ତି ସତ। କିନ୍ତୁ ତାଙ୍କର ଅଧିନାୟକତ୍ୱରେ ଭାରତ ଅନେକ ଐତିହାସିକ ଜିତ୍ ହାସଲ କରିଛି। ଟେଷ୍ଟ, ଟି-ଟ୍ୱେଣ୍ଟି ଓ ଓ୍ୱାନ-ଡେ।ତିନୋଟି ଯାକ ଫର୍ମାଟ ମିଶାଇ ୨୧୩ ମ୍ୟାଚରେ କ୍ୟାପଟେନ ଦାୟିତ୍ୱ ତୁଲାଇଛନ୍ତି। ତାଙ୍କ ଜନ୍ମଦିନକୁ ଫ୍ୟାନ୍ସ ସବୁଠି ଉତ୍ସାହର ସହ ପାଳିଛନ୍ତି। ବିଭିନ୍ନ ଅନ୍ଦାଜରେ ତାଙ୍କ ଜନ୍ମଦିନକୁ ପାଳିଛନ୍ତି ପରିବାର ଓ ପରିଜନ। ନଭେମ୍ୱର ୫, ୧୯୮୮ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ବିରାଟ। ୨୦ ବର୍ଷ ବୟସରେ ଭାରତ ପାଇଁ ନିଜର ପ୍ରଥମ ମ୍ୟାଚ୍ ଖେଳିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *