ଅପରାଧ

କେଉଁ ମୋଡ ନେବ ଅଙ୍କିତା ମୃତ୍ୟୁ ମାମଲା?

ରାଞ୍ଚି: ଅଙ୍କିତା ମୃତ୍ୟୁ ମାମଲାକୁ ନେଇ ଝାଡ଼ଖଣ୍ଡରେ ରାଜନୈତିକ ଘମାସାନ ଜାରି ରହିଛି। ପ୍ରେମରେ ବିଫଳ ହେବାରୁ ଶୋଇଥିଲା ବେଳେ ପେଟ୍ରୋଲ ଢାଳି ଅଙ୍କିତାକୁ ଜାଳି ଦେଇଥିବା ଅଭିଯୁକ୍ତ ଶାହାରୁଖ ହୁସେନକୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଦାବି ଶାଣିତ ହେଉଛି। ସୋରେନ ସରକାରଙ୍କୁ କ୍ରମାଗତ ଟାର୍ଗେଟ ଜାରି ରଖିଛି ବିଜେପି। ଏପରିକି ତଦନ୍ତକୁ ନେଇ ସନ୍ଦେହର ସ୍କାନରରେ ଥିବା ଡିଏସପି ନୁର ମୁସ୍ତଫାଙ୍କୁ ବି ତଦନ୍ତ ଦାୟିତ୍ୱରୁ ହଟାଇ ଦିଆଯାଇଛି।

ବାରମ୍ୱାର ପ୍ରେମ ନିବେଦନ କରି ବିଫଳ ହେବାରୁ ଡୁମକାର ଯୁକ୍ତ ଦୁଇ ଛାତ୍ରୀ ଅଙ୍କିତା ଉପରେ ଶୋଇଥିଲା ବେଳେ ପେଟ୍ରୋଲ ଢାଳି ଜାଳିଦେଇଥିଲା ଅଭିଯୁକ୍ତ ଶାହାରୁଖ ହୁସେନ୍। ଅଙ୍କିତାଙ୍କ ମୃତ୍ୟୁ ପରେ ଶାହାରୁଖକୁ ତୁରନ୍ତ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର କରି ଫାଶୀ ଖୁଣ୍ଟରେ ଝୁଲାଇବାକୁ ଦାବି ଶାଣିତ ହେବାରେ ଲାଗିଛି। ସମାନ୍ତରାଳ ଭାବେ ସୋରେନ ସରକାରଙ୍କୁ ସମାଲୋଚନାର ତୀରରେ ନିରନ୍ତର ଆଘାତ କରିବାରେ ଲାଗିଛି ବିଜେପି। ସୋରେନ ସରକାର ଅମଳରେ ଆଦିବାସୀ ନିର୍ଯ୍ୟାତିତ ଓ ଅବହେଳିତ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ଅଭିଯୋଗ ଆଣିଛନ୍ତି। ଡିଏସପି ନୁର ମୁସ୍ତଫା ଯେଭଳି ଘଟଣାର ତଦନ୍ତ କରୁଛନ୍ତି, ସେ ବି ସନ୍ଦେହଜନକ। ମୃତ ପୀଡ଼ିତାଙ୍କୁ ସାବାଳିକା ଦର୍ଶାଇବାକୁ ଚେଷ୍ଟା କରାଯାଇଛି। ଯେବେ କି ସେ ନାବାଳିକା ଥିଲେ। ଡିଏସପି ମୁସ୍ତଫାଙ୍କ ବିରୁଦ୍ଧରେ ଆଇପିସିର ଧାରା ୧୨୦ବିରେ ମାମଲା ହେଉ।

ସେପଟେ ଅଙ୍କିତା ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ଆରମ୍ଭ ହୋଇଛି। ମାମଲାର ଗମ୍ଭୀରତା ଦୃଷ୍ଟିରୁ ଏହାକୁ ଡୁମକା ଏସ୍‌ପି ନିଜେ ତଦାରଖ କରୁଛନ୍ତି। ଏ ଯାଏ ଏହି ମାମଲାରେ ଦୁଇ ଜଣକୁ ଗିରଫ କରାଯାଇଛି। ସବୁ ଦିଗରୁ ତଦନ୍ତ କରାଯାଉଥିବା କହିଛନ୍ତି ଏଡିଜି। ସିଆଇଡି, ଫରେନସିକ୍ ଟିମ୍ ଓ ଫିଙ୍ଗର ପ୍ରିଣ୍ଟ ବ୍ୟୁରୋର ୧୦ ଜଣିଆ ଟିମ୍ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି। ଅଙ୍କିତାଙ୍କ ଘରେ ପହଞ୍ଚି ସବୁ ଦିଗରୁ ପ୍ରମାଣ ସଂଗ୍ରହ କରିଛନ୍ତି।

ସେପଟେ ହିନ୍ଦୁ ସଂଗଠନ ଗୁଡିକ ଏ ଘଟଣାକୁ ଗୁରୁତର ସହ ନେଇ ନ୍ୟାୟ ନ ମିଳିବା ଯାଏ ନୀରବ ବସିବୁନି ବୋଲି ସରକାରଙ୍କୁ ଚେତାଇ ଦେଇଛି। କାରଣ ଏହାକୁ ଲଭ୍ ଜିହାଦର ରୂପ ଦିଆଗଲାଣି। ତା ସାଙ୍ଗକୁ ମୁସଲିମ ଅଫିସରଙ୍କ ତଦନ୍ତକୁ ବି ସନ୍ଦେହ ସ୍କାନରରେ ଦେଖାଯାଇଛି। ସେଥିଲାଗି ଡିଏସପି ନୁର ମୁସ୍ତଫାଙ୍କୁ ତଦନ୍ତରୁ ଦୂରେଇ ରଖାଯାଇଛି। ଝିଅକୁ ଜବରଦସ୍ତ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିବା ଓ ଝିଅକୁ ବିବାହ କରିବାକୁ ଜିଦ୍ କରୁଥିଲା ଅଭିଯୁକ୍ତ ଶାହାରୁଖ ବୋଲି ଅଙ୍କିତାଙ୍କ ବାପା ଅଭିଯୋଗ କରିଛନ୍ତି।

ଆଗକୁ ଏହି ଘଟଣା କି ମୋଡ଼ ନେଉଛି, ତା ଉପରେ ସମସ୍ତଙ୍କ ନଜର। କାରଣ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇପାରେ ଚର୍ଚ୍ଚା ଜାରି ରହିଛି। ଏଭଳି ସମୟରେ ଦୁଇଟି ସମ୍ପ୍ରଦାୟ ଏହି ଘଟଣାରେ ଜଡ଼ିତ ଥିବାରୁ ଏହି ମାମଲା ବିସ୍ଫୋରକ ମୋଡ଼ ନେବାର ଆଶଙ୍କାକୁ ଏଡ଼ାଇ ହେଉନି।

ପ୍ରେମଲତା ବାରିକ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button