ଅପରାଧଓଡ଼ିଶା

ଆତ୍ମହତ୍ୟା ନା ହତ୍ୟା

() ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା ସବୁଠି ହଇଚଇ ଖେଳାଇଦେଇଛି। କଣ୍ଟାବାଜି ଜେଲରେ ବନ୍ଦୀ ଥିବା ଗୋବିନ୍ଦ ଆତ୍ମହତ୍ୟା ଘଟଣା ବଡ଼ ରାଜନୈତିକ ମୁଦ୍ଦା ଭାବେ ଉଭା ହେଲାଣି। କାରଣ ଗୋବିନ୍ଦ ଆତ୍ମହତ୍ୟା କରିନାହାନ୍ତି, ବରଂ ତାଙ୍କୁ ହତ୍ୟା କରି ବହୁ ଗୁମରକୁ ଚାପିବାକୁ ଉଦ୍ୟମ ହୋଇଛି ବୋଲି ବିରୋଧୀ ଆରୋପ ଲଦିଲେଣି।

ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସୁଇସାଇଡ୍ ମାମଲା ଏବେ ଭିନ୍ନ ରାଜନୈତିକ ମୋଡ଼ ନେବାକୁ ବସିଲାଣି। ସନସାଇନ୍ ସ୍ଲୁଲ ଅଧ୍ୟକ୍ଷା ମମିତାଙ୍କୁ ହତ୍ୟା ଆରୋପରେ କଣ୍ଟାବାଞ୍ଜି ଜେଲରେ ବନ୍ଦୀ ଥିଲେ ଗୋବିନ୍ଦ। କୋର୍ଟରେ ତାଙ୍କର ସାକ୍ଷ୍ୟ ଗ୍ରହଣ ଶୁଣାଣୀ ଚାଲିଥିଲା। ନିକଟରେ ହାଇକୋର୍ଟରେ ତାଙ୍କ ଜାମିନ ଆବେଦନ ବି ଖାରଜ ହୋଇଥିଲା। ଆଉ ଆଜି ବି କୋର୍ଟରେ ହାଜର ହୋଇଥାଆନ୍ତେ। କିନ୍ତୁ ଜେଲରେ ଆତ୍ମହତ୍ୟା କରିଦେଇଥିଲେ ଗୋବିନ୍ଦ। ଯାହାକୁ ସହଜେ ଗ୍ରହଣ କରିବାକୁ ନାରାଜ ବିରୋଧୀ। କଂଗ୍ରେସ ଏହାର ସିବିଆଇ ତଦନ୍ତ ଦାବି କରିଛି। ସବୁ ଯୋଜନାବଦ୍ଧ ବୋଲି ଆରୋପ ଲଦିଛି। ଗୋବିନ୍ଦଙ୍କ ମୁକ୍ତି ପାଇଁ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସହଯୋଗ କରିବେ ବୋଲି କହିଥିଲେ। କିନ୍ତୁ ମମିତାଙ୍କ ବାପା ମାଆ ସାକ୍ଷୀ ଦେଇଥିଲେ। ମୁକ୍ତିର ବାଟ ବନ୍ଦ ଦେଖି ଗୋବିନ୍ଦ ମାନସିକଚାପରେ ଥିଲେ। ଗୋବିନ୍ଦ ମୃତ୍ୟୁପରେ ମମିତା ମାମଲାରେ ପୂର୍ଣ୍ଣଛେଦ ପଡ଼ିଲା ସତ। କିନ୍ତୁ ଏହା ପଛରେ ଥିବା ଷଡ଼ଯନ୍ତ୍ର ଧରିବାକୁ ହେଲେ ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି କଣ୍ଟାବାଞ୍ଜି ବିଧାୟକ। ବିଜେପି ବି ସମାନ କଥା ଦୋହରାଇଛି। ଗୋବିନ୍ଦଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି। ସତ ଲୁଚାଇବାକୁ ଏମିତି ଫନ୍ଦି ହୋଇଛି। ଜେଲ ଭିତରେ ଆତ୍ମହତ୍ୟାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି। ଆଉ ଶାସକ ଦଳ କାଉଣ୍ଟରରେ କହିଛି, କୋର୍ଟରେ ମାମଲା ବିଚାରାଧୀନ ଥିଲା ବେଳେ ରାଜନୈତିକ ବୟାନବାଜି ଠିକ୍ ନୁହେଁ।

ସେପଟେ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ଜେଲ୍ ଡିଆଇଜି। ଯାହାର ବି ଅବହେଳା ସାମ୍ନାକୁ ଆସିବ, ଆକ୍ସନ ହେବ। ଆଉ ସେପଟେ ଗୋବିନ୍ଦ ମୃତ୍ୟୁ ମାମଲାରେ ସିଆଇଡି-କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି ପୁଲିସ ଡିଜି।  ଅବସରପ୍ରାପ୍ତ ଜେଲ୍ ଡିଆଇଜିଙ୍କ କହିବା କଥା, ମମିତା ହତ୍ୟାକାଣ୍ଡ ଭଳି ସମ୍ୱେଦନଶୀଳ ପ୍ରସଙ୍ଗରେ ମୁଖ୍ୟ ଅଭିଯୁକ୍ତକୁ ସବଜେଲରେ ରଖିବା ବଦଳରେ ଅନ୍ୟ ଜେଲ୍ କିମ୍ୱା ସର୍କଲ ଜେଲରେ ରଖିବା କଥା। ହାଇପ୍ରୋଫାଇଲ ମାମଲାରେ ଅପରାଧୀଙ୍କୁ ୨୪ ଘଣ୍ଟିଆ ନଜରରେ ରଖିବା କଥା। ଗୋବିନ୍ଦ ସୁଇସାଇଡ୍ ମାମଲାକୁ ହାଲୁକା ଭାବେ ନ ନେଇ ସଠିକ୍ ତଦନ୍ତ ଜରୁରୀ।

ଗୋବିନ୍ଦ ସାହୁ ମୃତ୍ୟୁ ମାମଲାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଆଉ ତୁରନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇ ସରକାର ଏ ମୃତ୍ୟୁ ଘଟଣା ଉପରୁ କେତେଦୂର ପରଦା ଉଠାଇବେ ଦେଖିବାକୁ ରହିଲା।

Leave a Reply

Your email address will not be published.

Back to top button