ଓଡ଼ିଶା

ମାଲକାନଗିରିରେ ଶୀତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ହାଡ ଭଙ୍ଗା ଶୀତ । ଘନ କୁହୁଡି ଓ ଶୀତ କାକର ଲାଗି ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତା ଘାଟ ଦେଖା ଯାଉନାହି । ଫଳରେ ଛାତ୍ର ଛାତ୍ରୀଙ୍କ ପାଠ ପଢାରେ ବାଧା ସୃଷ୍ଟି ହୋଇଥିବା ବେଳେ ଗାଡି ଚଳା ଚଳରେ ମଧ୍ୟ ଅନେକ ବାଧା ଉପୁଜୁଛି । ଶୀତ କାକରରେ ସବୁଠାରୁ ଅଧିକ ସମସ୍ୟାରେ ରହିଛନ୍ତି ଛଣ ଛପର ଘରେ ବାସ କରୁଥିବା ଗରିବ ଆଦିବାସୀ ଲୋକେ । ତଥାପି ପ୍ରକୃତିର ଏପରି ସୌନ୍ଦର୍ଯ୍ୟକୁ ମନ ଭୋରି ଉପଭୋଗ କରୁଛନ୍ତି ମାଲକାନଗିରି ବାସୀ  ।

ଯେଉଁ ଆଡକୁ ଆଖି ବୁଲାଇଲେ ଆଖିକୁ କିଛି ଦିଶୁନି। ଚାରିଆଡେ ଖାଲି ଘନ କୁହୁଡିର ଆସ୍ତରଣ। କୁହୁଡି ଚାଦରରରେ ଘୋଡେଇ ହୋଇଛି ସମଗ୍ର ମାଲକାନଗିରି ଜିଲ୍ଲା ।ଏପରି ଘନ କୁହୁଡିର ଛାଉଣି ଏବେ ସମଗ୍ର ମାଲକାନଗିରି ଜିଲ୍ଲା । କେଜାଣେ କାହିଁକି ସରଗ ଏବେ ଖସି ଆସିଛି ମାଲ୍ୟବନ୍ତର ଧରା ପୃଷ୍ଟକୁ । କୁହୁଡି ଘେରା ସବୁଜ ବନାନି ଓ ପାହାଡ ପର୍ବତ ଲୋକଙ୍କୁ ବେଶ ଆନମନା କରୁଛି। ଧଳା କୁହୁଡି ସାଙ୍ଗକୁ ଫୁଲ ଉପରେ କାକର ହୀରା ଭଳି  ଦିଶୁଛି । ଅନେକ ବର୍ଷ ପରେ ମାଲକାନଗିରି ଜିଲ୍ଲା ଏମିତି ରୁପରେ ସଜେଇ ହୋଇଛି ଯେ…. ଯିଏ କେହି ବି ମାଲ୍ୟବନ୍ତର ଏହି ପ୍ରକୃତିକୁ ଦେଖୁଛି ସେ ମାଲ୍ୟବନ୍ତର ପ୍ରେମରେ ପଡିବାକୁ ବାଧ୍ୟ ହେଉଛି ନିଶ୍ଚିତ ।

ସମଗ୍ର ମାଲକାନଗିରି ଜିଲ୍ଲାରେ ଏବେ ହାଡ ଭଙ୍ଗା ଶୀତ । ଘନ କୁହୁଡି ଲାଗି ଲୋକେ ସକାଳ ୯ଟା ପର୍ଯ୍ୟନ୍ତ ଘରୁ ବାହାରିବାକୁ ଇଚ୍ଛା କରୁନାହାନ୍ତି। ଏଭଳି ସ୍ଥିତିରେ ସ୍କୁଲ କଲେଜ ଓ ଅଫିସ ଯିବାକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।

ତେବେ ଶୀତ କାକରରେ ସବୁଠାରୁ ଅଧିକ ଅସୁବିଧାରେ ରହିଛନ୍ତି ଗରିବ ଆଦିବାସୀ ଲୋକେ । ବିଶେଷ କରି ବୟସ୍କ ଲୋକମାନେ ଶୀତ କାକରରେ ବେଶ ଦହଗଂଜ ହେଉଛନ୍ତି।। ନିଆଁ ପୁଆଁଇ  ଶୀତ କଷ୍ଟକୁ ଲାଘବ କରୁଛନ୍ତି। ଶୀତ କାହା ପାଇଁ ଖୁସି ଆଣି ଦେଇଛି ତ କାହା ପାଇଁ ଦୁଖଃ ଓ ଯନ୍ତ୍ରଣାର ବେଳ।

ସନ୍ତୋଷ ନାଗଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button