ଅପରାଧଓଡ଼ିଶା

ବିଚାରାଧୀନ ବନ୍ଦୀଙ୍କୁ ମୁକ୍ତି

ଦୀର୍ଘ ଦିନ ଧରି ବିଚାରାଧୀନ ବନ୍ଦୀଙ୍କୁ ଅଗଷ୍ଟ ୧୫ ନଚେତ ତା ଆଗରୁ ମୁକ୍ତ କରିବାକୁ ଗୁରୁତ୍ୱ ଦେଇଥିଲେ ପ୍ରଧାନମନ୍ତ୍ରୀ ଓ ପ୍ରଧାନ ବିଚାରପତି। ସେମାନଙ୍କୁ ଆବଶ୍ୟକୀୟ ଆଇନଗତ ସହାୟତା ଦେଇ ସେମାନଙ୍କ ମାମଲାର ଗମ୍ଭୀରତାକୁ ଅନୁଧ୍ୟାନ କରି ସ୍ୱାଧୀନତାର ଅମୃତ କାଳରେ ମୁକ୍ତ କରିବାକୁ କହିଥିଲେ ସରକାର। ସେହି ଅନୁପାତରେ ଆଜି ବିଭିନ୍ନ ରାଜ୍ୟରେ ଅନେକ ବିଚାରାଧୀନ ବନ୍ଦୀ ଜେଲରୁ ମୁକ୍ତ ହେଲେ। କିନ୍ତୁ ବାହାରିପାରିଲେନି ବଳରାମ ଶିରା। କୋରାପୁଟ ସର୍କଲ ଜେଲରେ ଦୀର୍ଘ ସାଢ଼େ ୯ ବର୍ଷ ହେଲା ବନ୍ଦୀ ଜୀବନ କାଟୁଥିବା ଶିରାଙ୍କୁ ନେଇ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ। କୋରାପୁଟ ବୋରିଗୁମ୍ମା ଥାନା ଅନ୍ତର୍ଗତ ଡେଙ୍ଗପଦର ଗାଁ।

ମାର୍ଚ୍ଚ ୨୦୧୩ରେ ଜମି ବିବାଦକୁ କେନ୍ଦ୍ର କରି ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ବଳରାମ ଶିରା। ଜାନୁଆରୀ ୨୦୧୫ ଯାଏ ଜଣେ ବିଚାରାଧୀନ କଏଦୀ ଭାବେ ଜେଲ ଜୀବନ କାଟିଥିବା ଶିରା ପରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋରାପୁଟ ସର୍କଲ ଜେଲରେ ସାଢେ ୯ ବର୍ଷ ହେଲା ବନ୍ଦୀ ଅଛନ୍ତି ଶିରା। ବଳରାମଙ୍କ ବୟସ ଏବେ ୯୫। କହିବାକୁ ଗଲେ ସବୁଠୁ ବୟସ୍କ ବନ୍ଦୀ। କିଛି ବର୍ଷ ହେଲା ଜେଲ୍ ହସ୍ପିଟାଲରେ ଚିକିତ୍ସାଧୀନ।

ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଶିରା। ଜେଲ୍ ଅଧୀକ୍ଷକ, ଡାକ୍ତର ଓ କର୍ମଚାରୀ ତାଙ୍କର ଯତ୍ନ ନେଉଛନ୍ତି। ବନ୍ଦୀଙ୍କୁ ଆଗୁଆ ମୁକ୍ତ କରିବାକୁ ଥିବା ପୃଷ୍ଠଭୂମିକୁ ବିଚାର କଲେ, ସଂପୃକ୍ତ ବନ୍ଦୀଙ୍କ ସ୍ୱାସ୍ଥ୍ୟବସ୍ଥା, ଜେଲରୁ ମୁକୁଳିଲେ ଆଗକୁ ନୂଆ ଅପରାଧ କରିବାକୁ ସକ୍ଷମ କି ନୁହେଁ। ସମାଜରେ ଏକ ସମ୍ମାନଜନକ ଜୀବନ ବଞ୍ଚିପାରିବ କି ନା ଓ ସର୍ବୋପରି ବନ୍ଦୀଙ୍କ ପରିବାରର ସାମାଜିକ-ଅର୍ଥନୈତିକ ସ୍ଥିତିକୁ ଦେଖାଯାଏ। ଏ ସବୁକୁ ଦେଖିଲେ ଶିରା ୧୧୧ ମାସ ବନ୍ଦୀ ଜୀବନ କାଟିସାରିଛନ୍ତି।

ତା ସତ୍ତ୍ୱେ ତାଙ୍କ ନାଁ ଆଗୁଆ ରିଲିଜ ପାଇଁ ପ୍ରସ୍ତୁତ ତାଲିକାରେ ଆଡଭାଇଜୋରୀ ବୋର୍ଡରୁ କ୍ଲିଅରାନ୍ସ ପାଇନି। ଓଡ଼ିଶା ଜେଲ୍ ମାନୁଆଲ ରୁଲ୍ସ ୮୪୦ ମୁତାବକ, ମେଡିକାଲ ବୋର୍ଡର ସୁପାରିଶ କ୍ରମେ ଏଭଳି ବନ୍ଦୀଙ୍କ ଶେଷ ଜୀବନ ଘରେ କାଟିବାକୁ ଅନୁମତି ଦିଆଯାଇପାରେ। ଯାହାର ରୋଗରୁ ଭଲ ହେବାକୁ ଜେଲ ଭିତରେ ହେଉ ଅବା ବାହାରେ କୌଣସି ଆଶା ନଥାଏ। ଏପରିକି ଶିରାଙ୍କୁ ମୁକ୍ତ କରିବାକୁ ରାଷ୍ଟ୍ରପତି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖା ହୋଇଛି।

କିନ୍ତୁ କୋରାପୁଟ ଜେଲରୁ ଶିବ ନାମକ ଜଣେ କଏଦୀ ବାହାରିଲେ। କିନ୍ତୁ ଶିରା ବାହାରିପାରିନାହାନ୍ତି। ଶିରାଙ୍କ କଥାକୁ ଲୋକଲୋଚନକୁ ଆଣିଥିବା ଆଇନଜୀବି ଅଜିତ ପାତ୍ରଙ୍କ କହିବା କଥା, କ୍ରିମିନାଲ ଜଷ୍ଟିସ ସିଷ୍ଟମର କାର୍ଯ୍ୟକାରିତା ପୁଲିସ, କୋର୍ଟ ଓ ବନ୍ଦୀ ଭିତରେ ସୀମିତ ରହିଛି। ସେଥିଲାଗି ତ ଜଣେ ମାନସିକ ଓ ଶାରୀରିକ ସ୍ତରରେ ଅକ୍ଷମ ବ୍ୟକ୍ତିର ଜୀବନ ଜେଲ୍ ଭିତରେ କଟିଯିବ।

ମାନବୀୟ ଦୃଷ୍ଟିକୋଣରୁ ଶିରାଙ୍କ କଥାକୁ ରାଜ୍ୟ ସରକାର ବିଚାର କରି ମୁକ୍ତ କରିବାକୁ ଦାବି ହେଉଛି। ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ବନ୍ଦୀ ଜାମିନ ପାଇଁ ଅର୍ଥ ନଥିବାରୁ ଜେଲରେ ଷଢ଼ୁଛନ୍ତି। ଟ୍ରାଏଲରେ ଜୀବନ କଟିଯାଉଛି। ସରକାରଙ୍କ ସାହାଯ୍ୟ ଓ ସହଯୋଗ ମିଳୁଥିବାର କୁହାଯାଉଥିଲେ ବି ତାହା ବାସ୍ତବତାରୁ ବହୁ ଦୂରରେ ଯେମିତି। ବିଚାରାଧୀନ ବନ୍ଦୀ ଓ ଆଜୀବନ ବନ୍ଦୀଙ୍କ ରେକର୍ଡକୁ ପରଖି ସେମାନଙ୍କୁ ଅଗଷ୍ଟ ୧୫ ନଚେତ ତା ଆଗରୁ ଜେଲରୁ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ଆଇନ ମନ୍ତ୍ରୀ ଗୁରୁତ୍ୱୋରୋପ କରିଥିଲେ। ହେଲେ ଶିରାଙ୍କ ଭଳି ବନ୍ଦୀଙ୍କ କ୍ଷେତ୍ରରେ ଯେମିତି ଏହା ଉପହାସ।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button