
କଟକ: କିଛି ଦିନ ପରେ ପୁଣି କଟକରେ ଭୟାବହ ଅଗ୍ନିକାଣ୍ଡ । ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତିଯାଇଛି କଟକ ସହର । କଟକ ସବରେଜିଷ୍ଟ୍ରାର ଅଫିସ ନିକଟରେ ଅଗ୍ନିକାଣ୍ଡ। ଏକ ହୋଟେଲର ଗ୍ୟାସଟାଙ୍କି ଫାଟିବା ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା ।
ପୁଣି କଟକ ସହରରେ ଅଗ୍ନିକାଣ୍ଡ । ହୋଟେଲରେ ରୋଷେଇ ଚାଲୁଥିବା ସମୟରେ ଫାଟିଲା ଗ୍ୟାସ ଟାଙ୍କି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ପାଖ ଅଞ୍ଚଳକୁ ମଧ୍ୟ ବ୍ୟାପିଯାଇଥିଲା ନିଆଁ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୪ ଗାଡି ନିୟୋଜିତ ହୋଇଥିବା ବେଳେ ଅଗ୍ନିଶମ ଟିମ ନିଆଁକୁ ଆୟତ କରିଥିଲେ। ପ୍ରାୟ ଦୁଇ ଘଣ୍ଟା କାଳ ପରିଶ୍ରମ ପରେ ନିଆଁ କୁ ଆୟତ କରାଯାଇଥିଲା ।
ହୋଟେଲ ନିକଟରେ ଅବକାରୀ ବିଭାଗ ର ମାଲଖାନା ରହିଥିବାରୁ ନିଆଁ ଖୁବ ଶୀଘ୍ର ବ୍ୟାପି ଯାଇଥିଲା । କାରଣ ଏହି ମାଲଖାନାରେ ଜବତ ଦେଶୀ ମଦ ଓ ସ୍ପିରିଟି ଜାତୀୟ ସାମଗ୍ରୀ ରହିଥିଲା। ନିଆଁବା ବେଳେ ତିନିଜଣ କର୍ମଚାରୀ ହୋଟେଲରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେହିପରି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି । । ଅଗ୍ନିକାଣ୍ଡ ଘଟଣାରେ ମାଲଖାନରେ ଥିବା ଜିନିଷ ପତ୍ର ସହ ଗୋଟିଏ ଗାଡି ସାଇକେଲ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅବକାରୀ ବିଭାଗର ମାଲଖାନା ପାଖରେ କିପରି ହୋଟେଲ କରିବାକୁ ଅନୁମତି ଦିଆଗଲା । ଜବତ ହୋଇଥିବା ମଦକୁ ନଷ୍ଟ ନକରି ଏତେଦିନ ପର୍ଯ୍ୟନ୍ତ କଣ ପାଇଁ ରଖାଯାଇଥିଲା ବୋଲି ଗଣମାଧ୍ୟମର ପ୍ରଶ୍ନର କୌଣସି ଉତ୍ତର ରଖିପାରିନଥିଲେ ଅବକାରୀ ଅଧିକ୍ଷକ । ସେପଟେ ଜିଲ୍ଲାପାଳ ଓ ସିଏମସି ମେୟର ଘଟଣା ସ୍ଥଳ ରେ ପହଂଚି ଅନୁଧ୍ୟାନ କରିଛନ୍ତି । ଅଗ୍ନିକାଣ୍ଡ କିପରି ଏବଂ କେଉଁ ପରିସ୍ଥିତି ରେ ଘଟିଲା, କଣ କ୍ଷୟ କ୍ଷତି ହୋଇଛି ଏହାର ସବିଶେଷ ରିପୋର୍ଟ ଦେବାପାଇଁ ଅବକାରୀ ଅଧିକ୍ଷକଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।
କଟକରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିବା ବେଳେ କୌଣସି ପ୍ରକାର ଠୋସ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି ଅଧିକାରୀ । ଆଗାମୀ ଦିନରେ ଅଗ୍ନିଶମ ବିଭାଗ ଓ ଜିଲ୍ଲାପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ