ଓଡ଼ିଶା

୨୬ରେ ବିଜେପିର ରାଜ୍ୟ ବ୍ୟାପୀ ସତ୍ୟାଗ୍ରହ

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିବ ବିଜେପି। ରାଜ୍ୟର  ସବୁ ମଣ୍ଡଳରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ସତ୍ୟାଗ୍ରହ କରିବ ବିଜେପି ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।

୨୩ ବର୍ଷରେ ବିଜେଡ଼ିର ନିରଙ୍କୁଶ ଶାସନରେ ଓଡିଶା ଅପରାଧୀଙ୍କ ଚରା ଭୂଇଁ ପାଲଟିଛି । ବିଜେଡ଼ି ଓଡିଶାବାସୀଙ୍କ  ପାଇଁ କାଳ ହୋଇଛି । ଶାନ୍ତି ପ୍ରିୟ ରାଜ୍ୟ ଓ ଜଗନ୍ନାଥ ସଂସ୍କୃତିରେ ଓଡିଶାର ସୁଖ୍ୟାତି ରହିଛି । ବିଜେଡ଼ି ଶାସନ କାଳରେ ତାଙ୍କ ନେତା ଓ ମନ୍ତ୍ରୀ ହତ୍ୟା, ଯୌନ କେଳେଙ୍କାରୀ, ମହିଳା ବିରୋଧୀ ହିଂସାରେ ସମ୍ପୃକ୍ତ ରହିଛନ୍ତି । ମମିତା ମେହେର ହତ୍ୟାକାଣ୍ଡରେ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି କଥା ରାଜ୍ୟବାସୀ ଜାଣିଛନ୍ତି ।

ସେପଟେ ମମିତାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଜେଲ ଭିତରରେ ପୋଲିସ ମାଧ୍ୟମରେ ହତ୍ୟା କରାଯାଇଛି । କୋର୍ଟରେ ତାରିଖ ଥିଲା, ନେତା ମନ୍ତ୍ରୀଙ୍କ ନାଁ ଖୁଲାସାର ଭୟ ଥିଲା । ତେଣୁ ତାଙ୍କୁ ମାରି ଦେଇଥିବା ଅଭିଯୋଗ କରିଛି ବିଜେପି।

ସେହିପରି ମାହାଙ୍ଗା ଡବଲ ମର୍ଡରରେ ୧୩ ନମ୍ବର ମୁଦାଲା ପ୍ରତାପ ଜେନା ଥିଲେ । ମୁଖ୍ୟ ଅଭିଯୁକ୍ତଙ୍କୁ ଟ୍ରକ ଚାପି ମାରି ଦିଆଗଲା । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବରୁ ଶେଷ ଭିଡିଓରେ ଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନା ଉଲ୍ଲେଖ କରିଥିଲେ । ପରୀକୁ ହତ୍ୟା କରାଗଲା । ଅଙ୍ଗ ତସ୍କରୀର କଥା ଆସିଥିଲା । ତା ମା ବାପା ଆତ୍ମାହୁତି ଉଦ୍ୟମ କରିଥିଲେ । ସମ୍ପୃକ୍ତ ମନ୍ତ୍ରୀଙ୍କୁ ଜେରା କରାଗଲା ନାହିଁ । ବହୁ ବିଜେପି ନେତା ମନ୍ତ୍ରୀ ନାନା ଅପରାଧିକ ମାମଲାରେ ସମ୍ପୃକ୍ତ ରହିଥିବା ଅଭିଯୋଗ ହୋଇଛି।

ଫଳରେ ରାଜ୍ୟରେ ଭୁଶୁଡି ପଡିଛି ଆଇନ ଶୃଙ୍ଖଳା। ବ୍ୟାପି ଚାଲିଛି ଅରାଜକତା। ଏହାକୁ ବିରୋଧ କରି ୨୬ ତାରିଖରେ ବିଜେପି ରାଜ୍ୟ ବ୍ୟାପୀ ସତ୍ୟାଗ୍ର କରିବାକୁ ଯୋଜନା କରିଥିବା କହିଛନ୍ତି ସମୀର ମହାନ୍ତି।

Leave a Reply

Your email address will not be published.

Back to top button