ମାଟିରେ ମିଶିଲା କଳା ଜହର ସାମ୍ରାଜ୍ଞୀ ରଞ୍ଜୁର ଆଡ୍ଡା

ଭୁବନେଶ୍ବର: ଆକ୍ସନ ମୋଡ଼ରେ କମିଶନରେଟ ପୁଲିସ। ନିଶା ଆଡ୍ଡାକୁ ବୁଲଡୋଜରରେ ଧରାସାୟୀ କଲା ପୁଲିସ। ମାଟିରେ ମିଶିଲା ଲେଡି ଡନ ରଞ୍ଜୁର କଳା ସାମ୍ରାଜ୍ୟ। ବୁଲଡୋଜର ଲଗାଇ ଭାଙ୍ଗିଦେଲା କମିଶନରେଟ ପୁଲିସ। ସେହି ଘର ଯେଉଁଠାରେ ପ୍ରତିଦିନ ଚାଲେ ବ୍ରାଉନସୁଗାର ଆଉ ଅନ୍ୟାନ୍ୟ ଅନୈତିକ କାରବାର।
ବହୁ ଚର୍ଚ୍ଚିତ ଲେଡି ଡନ୍ ରଞ୍ଜୁର ଆଡ୍ଡା ଉପରେ ଆଜି ଚଢ଼ାଉ କରିଥିଲା ପୁଲିସ। ଗତ ୧୦ ତାରିଖ ରାତିରେ ଘଟିଥିବା ବହୁଚର୍ଚ୍ଚିତ ଚନ୍ଦୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରଞ୍ଜୁ ନାୟକ ଆଉ ତା ସ୍ୱାମୀ କାହ୍ନାକୁ ଗିରଫ କରିବା ପରେ, ଆଜି ୟୁନିଟ ୮ ସ୍ଥିତ ନାରାୟଣୀ ବସ୍ତିରେ ଥିବା ରଞ୍ଜୁର ଘର କୁ ବୁଲଡୋଜ଼ର ଲଗାଇ ଭାଙ୍ଗିଛି ପୁଲିସ। ଆଗକୁ ବି ଏଭଳି ଡ୍ରାଇଭ୍ ଜାରି ରହିବ ଓ ଅନୈତିକ କାରବାରରେ ଲିପ୍ତ ସମସ୍ତ ଆଡ୍ଡାକୁ ଭାଙ୍ଗିଦିଆଯିବ ବୋଲି କହିଛି ପୁଲିସ।
ମାତ୍ର ପୁଲିସ ଆକ୍ସନରେ ମଧ୍ୟ ସନ୍ତୁଷ୍ଟ ନାହାନ୍ତି ଚନ୍ଦୁର ପରିବାର ଲୋକ ତଥା ବସ୍ତି ବାସିନ୍ଦା । ଘର ଭାଙ୍ଗି ଦେଲେ କେବଳ ହେବ ନାହିଁ ବରଂ ରଞ୍ଜୁ ଓ କାହ୍ନକୁ ଫାଶୀ ନ ହେଲେ ଆଜୀବନ କାରାଦଣ୍ଡ ଦିଆଯାଉ ବୋଲି କହିଛନ୍ତି ଚନ୍ଦୁଙ୍କ ଭଉଣୀ ଓ ଭାଇ। ଏହାସହ ପୋଲିସ କେବଳ ରଞ୍ଜୁର ଘର ଭାଙ୍ଗିଛି ମାତ୍ର ଏବେ ବି ତା ପରିବାର ସଦସ୍ୟ ସେହି ବସ୍ତିରେ ରହୁଛନ୍ତି। ଯେହେତୁ ରଞ୍ଜୁ ପୂର୍ବରୁ ଦୁଇ ଦୁଇ ଥର ଜେଲ ଯାଇ ଫେରିବା ପରେ ମଧ୍ୟ ପୁଲିସ ନାକ ତଳେ ବର୍ଷ ବର୍ଷ ଧରି ଏହି କାରବାର କରୁଥିଲା । ତେଣୁ ବର୍ତମାନ ଜେଲ ଭିତରେ ଥାଇ ମଧ୍ୟ ରଞ୍ଜୁର ପରିବାର ଲୋକ ମାରିଦେବା ନେଇ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଚନ୍ଦୁର ପରିବାର।
ଗୋଟିଏ ପଟେ ପୁଲିସର ଆକ୍ସନ ଆଉ ଗୋଟିଏ ପଟେ ବସ୍ତି ଲୋକଙ୍କ ଦାବି। ବିଭିନ୍ନ ସ୍ଥାନରେ ନିଶା ଆଡ୍ଡା ଉପରେ ପୋଲିସର ଚଢ଼ାଉ ହେଉଥିବା ବେଳେ ସଠିକ ଭାବରେ କାର୍ଯ୍ୟକାରୀ ହେଉନି ବୋଲି ମଧ୍ୟ ତେଜୁଛି ଅସନ୍ତୋଷ।
ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ