ଜମ୍ମୁର ହୃଦସ୍ପନ୍ଦନ ବନ୍ଦ ହୋଇଯାଇଛି । ହସର ଫୁଆରା ଶୁଖି ଯାଇଛି । ସେ ହସ ହସ ମୁହଁ ନାହିଁ କି ସେ ଅତି ଚିହ୍ନା ସ୍ୱର ଆଉ ଶୁଭୁନାହିଁ । ସବୁ କିଛିରୁ ମୁକୁଳି ଆଉ ଗୋଟିଏ ଅଜଣା ଇଲାକାକୁ ବାଛି ଦେଇଛନ୍ତି ସୋସିଆଲ ମିଡିଆର ପରିଚିତ ଚେହେରା ସିମରାନ । ସେ ବ୍ୟକ୍ତିତ୍ୱ ଓ ତାଙ୍କ ସ୍ୱର ଜମ୍ମୁ ସାଂସ୍କୃତିକ ବିଭବର ଅଂଶ ଥିଲା ବୋଲି ତାଙ୍କ ପ୍ରଶଂସକ କହିଛନ୍ତି।
ଜମ୍ମୁ ନାନକ ନଗର ର ୨୫ ବର୍ଷୀୟ ରେଡିଓ ଜକିଙ୍କର ଗୁରୁଗ୍ରାମର ଭଡ଼ାଘରୁ ମୃତଦେହ ମିଳିଛି । ୨୫ ଡିସେମ୍ୱର ଦିନ ୨ଟା ବେଳେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସିମରାନଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ହତବାକ କରିଛି । ସୂଚନା ଅନୁସାରେ ବୁଧବାର ରାତି ୧୦ଟାରେ ଗୁରୁଗ୍ରାମର ସେକ୍ଟର ୪୭ ରୁମ ନମ୍ୱର ୫୮ରୁ କିଛି ଲୋକ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ କରିଥିଲେ । ଗୋଟିଏ ଝିଅ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ଦେଇଥିଲେ । ପୋଲିସ ପହଞ୍ଚି ସିମରନଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ସେହି ଘରୁ କୌଣସି ସୁଇସାଇଡ ନୋଟ ମିଳିନଥିବା କୁହାଯାଇଛି । ତାଙ୍କର ବନ୍ଧୁ କହିଥିଲେ ଯେ ଦୀର୍ଘ ସମୟ ଧରି ରୁମର କବାଟ ବନ୍ଦ ଥିଲା। ଝରକା ବାଟେ ଦେଖିଥିଲେ ଓଢଣୀ ସାହାଯ୍ୟରେ ଫ୍ୟାନରେ ଝୁଲିଛନ୍ତି ସିମରନ। ମାମଲାର ତଦନ୍ତ କରୁଥିବା ଆଇଓ କହିଛନ୍ତି ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି । ଘର ଲୋକ କହିଥିଲେ ଯେ ସିମରନ ୪/୫ ଜଣଙ୍କ ସହ ମିଶିକି ଭଡ଼ା ଘରେ ରହୁଥିଲେ। ଫ୍ରିଲାଏନ୍ସିଂରେ କାମ କରୁଥିଲେ କିଛି ଏଣ୍ଟରଟେନିଙ୍ଗ କଣ୍ଟେଣ୍ଟ ତିଆରି କରି ସୋସିଆଲ ମିଡିଆରେ ପକଉଥିଲେ ।
ଇନଷ୍ଟାଗ୍ରାମରେ ୬ ଲକ୍ଷ ୮୫ ହଜାର ଫୋଲୋୟର୍ସ । କିନ୍ତୁ ତାଙ୍କ ରିଲ୍ସ ଦେଖନ୍ତି କୋଟି କୋଟି ଲୋକ । ବେପରୁୱା ଢଙ୍ଗରେ ସେ କିଛି ସେକେଣ୍ଡ ମଧ୍ୟରେ ବହୁ ଜରୁରୀ କଥା କହି ଦିଅନ୍ତି। ସେଥିପାଇଁ ତ ଲୋକ ତାଙ୍କ କଥା ଓ ଯାଦୁକରୀ ହସର ଦିୱାନା ଥିଲେ । ସେ କିଛି ଏମିତି କଳା ଜାଣିଥିଲେ ଯେ ତାଙ୍କ ଭିଡିଓ ଦେଖିଲେ ଦର୍ଶକର ମୁହଁରେ ହସ ଆପେ ଆପେ ଆଙ୍କି ହୋଇ ଯାଉଥିଲା । ରେଳ ଡବା ଭଳି ଶବ୍ଦକୁ ଶବ୍ଦରେ ଯୋଡ଼ି ବାକ୍ୟର ବାର୍ତ୍ତାରେ ସମାଜକୁ ତାଙ୍କ ମନର କଥା କହୁଥିବା ସେହି ଆର ଜେ ସିମରନ ସିଂ ଆଉ ନାହାଁନ୍ତି । ତାଙ୍କର ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ସାଙ୍ଗମାନେ ।
ସ୍ଥାନୀୟ ହସପିଟାଲରେ ପୋଷ୍ଟମର୍ଟମ ପରେ ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଗତ ୨ ବର୍ଷ ହେଲା ଗୁରୁଗ୍ରାମରେ ରହୁଥିଲେ ସିମରାନ । ପ୍ରାରମ୍ଭିକ ଯାଞ୍ଚରେ ଏହାକୁ ଆତ୍ମହତ୍ୟା କୁହାଯାଇଛି । ପୋଲିସ ବିଭିନ୍ନ ଦିଗରୁ ମାମଲାର ତଦନ୍ତ ଆରମ୍ଭ କରିଛି । ସେପଟେ ସିମରନଙ୍କ ସାଙ୍ଗମାନେ ପ୍ରତିକ୍ରିୟା ଦେଇଛନ୍ତି ଦିୱାଲୀ ଛୁଟି ସମୟରେ ଘରକୁ ଆସିଲା ବେଳେ ସେ ବହୁତ ଖୁସୀ ଥିଲେ । କିନ୍ତୁ ସୋସିଆଲ ମିଡିଆର ଜୀବନ ଯେମିତି ଦେଖା ଯାଏ ସେମିତି ନୁହେଁ କହିଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ତାଙ୍କ ପିତା ଫାରୁକ ଅବଦୁଲ୍ଲା ଶୋକ ବ୍ୟକ୍ତ କରିଛନ୍ତି ।
ସବୁ ସମୟରେ ହସଖୁସିରେ ଦେଖା ଯାଉଥିବା ସିମରନ୍ ଯେ ବାସ୍ତବରେ ଆତ୍ମହତ୍ୟା କରିଛନ୍ତି ତାହା ଅନେକ ଗ୍ରହଣ କରି ପାରୁ ନାହାଁନ୍ତି । ଆରଜେ ହିସାବରେ ସେ ଅତି ଅଳ୍ପଦିନ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ । ଜମ୍ମୁରୁ ଚଣ୍ଡୀଗଡ଼ ପୁଣି ଗୁରୁଗ୍ରାମ । କିନ୍ତୁ ପୁରା ଦେଶରେ ତାଙ୍କୁ ପସନ୍ଦ କରୁଥିବା ଦର୍ଶକ ଥିଲେ । ତାଙ୍କ ଶେଷ ଭିଡିଓକୁ ଦେଖି କେହି କହି ପାରିବେ ନାହିଁ ଯେ ଅସଲ ଜୀବନ ତାଙ୍କର କେଉଁ ପରିସ୍ଥିତି ଦେଇ ଗତି କରୁଛି । ସୋସିଆଲ ମିଡିଆ ଏକ ଭିନ୍ନ ଦୁନିଆ ଯାହାର ଅସଲ ଜୀବନ ସହ କିଛି ସମ୍ପର୍କ ନଥାଏ ତାହା ପୁଣି ପ୍ରମାଣିତ ହୋଇଛି ।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now