୨୩ ବର୍ଷୀୟ ଯୁବକର କାରସାଦୀ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଠିକାରେ କରୁଥିଲେ ଚାକିରି। ପୋଷ୍ଟ ଥିଲା କମ୍ପ୍ୟୁଟର ଅପରେଟର। ଦରମା ପୁଣି ମାତ୍ର ୧୩ ହଜାର। ହେଲେ ଆଖି ବଡ, ଲୋଭ ତା ଠାରୁ ଆହୁରି ବଡ। ଆଉ ଚଞ୍ଚକତା ବୁଦ୍ଧି କାହିଁରେ କେତେ । ତେଣୁ ଚାକିରି କରିଥିବା ସଂସ୍ଥାକୁ ଭଲ ରକମ ଚୂନ ଲଗେଇ ଛନ୍ତି । ୬ ମାସରେ ୨୧ କୋଟି ହଡ଼ପ କରିଛନ୍ତି। ଆଉ ସେହି ହଡ଼ପ ଅର୍ଥରେ କିଣିଛନ୍ତି ୧ କୋଟି ୨୦ ଲକ୍ଷ ଟଙ୍କାର ବିଏମଡବ୍ଲ୍ୟୁ କାର, ୧ କୋଟି ୩୦ ଲକ୍ଷ ଟଙ୍କାର ଏସୟୁଭି, ୩୨ ଲକ୍ଷ ଟଙ୍କାର ବିଏମଡବ୍ଲ୍ୟୁ ବାଇକ। ଗାର୍ଲଫ୍ରେଣ୍ଡକୁ ଗିଫ୍ଟ କରିଛନ୍ତି ଫୋର୍ ବିଏଚକେ ଫ୍ଲାଟ୍ । ତା ସହ ବହୁ ଦାମି ଜିନିଷ ଦେଇଛନ୍ତି । କେବଳ ଏତିକି ନୁହେଁ ବାନ୍ଧବୀଙ୍କ ପାଇଁ ହୀରା ଖଚିତ ଚଷମା କିଣି ଦେଇଥିଲେ । ମାତ୍ର ୨୩ ବର୍ଷୀୟ ହର୍ଷଲ କୁମାର କ୍ଷୀରସାଗରଙ୍କ ଏ କାରନାମାକୁ ନେଇ ଚାରିଆଡେ ଚର୍ଚ୍ଚା । କିନ୍ତୁ ଅପରାଧ କରି ଆଇନ ସହ ଲୁଚକାଳି ଖେଳୁଛି ଧୋକାବାଜ ହର୍ଷଲ ।
ହର୍ଷଲ ମହାରାଷ୍ଟ୍ର ଛତ୍ରପତି ସାମ୍ଭାଜୀନଗରର ସରକାରୀ ସ୍ପୋର୍ଟସ କପ୍ଲେକ୍ସରେ କମ୍ପ୍ୟୁଟର ଅପରେଟର ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲା। ହେଲେ ସ୍ପୋର୍ଟସ କପ୍ଲେକ୍ସର ଏକ ପୁରୁଣା ଲେଟର ହେଡକୁ ବ୍ୟବହାର କରି ବ୍ୟାଙ୍କକୁ ଏକ ଆବେଦନ କରିଥିଲେ । ସେଥିରେ ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଥିବା ପୁରୁଣା ମେଲ ଆଇଡି ବଦଳାଇବାକୁ ଦରଖାସ୍ତ ଦେଇଥିଲେ । ପରୁଣା ଆଇଡିର କେବଳ ଗୋଟିଏ ଅକ୍ଷର ବଦଳାଇ ସେ ନିଜେ ତିଆରି କରିଥିବା ଏକ ଫେକ ଇମେଲ ଆଇଡିକୁ ସ୍ପୋର୍ଟସ କପ୍ଲେକ୍ସର ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ କରାଇବାରେ ସଫଳ ହୋଇ ଯାଇଥିଲେ । ଏହା ପରେ ବିନା ବାଧାରେ ମନଇଛା ଟଙ୍କା ଉଠାଇଥିଲେ । ଓଟିପି ଓ ଟ୍ରାଞ୍ଜାକସନ ସମ୍ପର୍କିତ ସମସ୍ତ ତଥ୍ୟ ଯେହେତୁ ହର୍ଷଲ ପାଖକୁ ଆସୁଥିଲା ତେଣୁ ଅନ୍ୟ କେହି ଏ ସମ୍ପକର୍ରେ ଟେର ପାଉ ନଥିଲେ । ସେ ଅତି ସରଳ ଉପାୟରେ କିନ୍ତୁ ପ୍ରଭାବୀ ଢଙ୍ଗରେ ଯୋଜନା କରି ମାସ ମାସ ଧରି ଟଙ୍କା ହରିଲୁଟ କରିଛି । ସୂଚନା ମୁତାବକ ଚଳିତ ବର୍ଷ ଜୁଲାଇ ୧ରୁ ଡିସେମ୍ୱର ୭ ମଧ୍ୟରେ ସେ ୨୧ କୋଟି ୬୦ ଲକ୍ଷ ଟଙ୍କା ଉଠାଇ ୧୩ଟି ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିବା ଜାଣିବାକୁ ପାଇଥିଲା ପୋଲିସ ।
ଅନଲାଇନ ଟ୍ରାଞ୍ଜାକସନରେ ଏହି ସ୍କାମ କରିବା ହର୍ଷଲ ପାଇଁ ସହଜ ହୋଇଥିଲା । ଆବଶ୍ୟକୀୟ ପରିବର୍ତ୍ତନ କରି ୱାନ ଟାଇମ ପାସୱାର୍ଡ ହାସଲ କରିଥିଲା । ଏବଂ ପୁରା ବ୍ୟାଙ୍କ ଆକାଉଣ୍ଟ ନିଜ ନିୟନ୍ତ୍ରଣରେ ରଖିଥିଲା। ଫଳରେ ଥରକୁ ଥର ବିନା ବାଧକରେ ଟଙ୍କା ଉଠାଇଥିଲା। ତେବେ ଖେଳ ବିଭାଗର ଜଣେ ଅଧିକାରୀ ରେକର୍ଡରେ ବିତ୍ତୀୟ ଅନିୟମିତତା ସନ୍ଦେହ କରିଥିଲେ । ଯାହା ପରେ ବିଦ୍ଧିବଦ୍ଧ ଅଭିଯୋଗ କରାଯାଇଥିଲା । ଏବଂ ଯାଞ୍ଚ ଆରମ୍ଭ ହୋଇଥିଲା ।
ଠକେଇ ଘଟଣାରେ ହର୍ଷଲକୁ ସହାୟତା କରିଥିବା ଅଭିଯୋଗରେ ସହକର୍ମୀ ଯଶୋଦା ସେଟ୍ଟୀ ଓ ତାଙ୍କ ସ୍ୱାମୀ ବି.କେ ଜୀବନଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ଏବେ ହର୍ଷଲ ଫେରାର ଥିବା ବେଳେ ତାର ଗାଡ଼ି ଓ ଅନ୍ୟାନ୍ୟ ସମ୍ପତ୍ତି ଜବତ ହୋଇଛି। ପ୍ରାଥମିକ ତଦନ୍ତ ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କର ସନ୍ଦେହ ରହିଛି ଯେ ଏ କାମ ସେ ଯୁବକ ଏକୁଟିଆ କରି ନାହିଁ । ତେଣୁ ଯେଉଁ ଆକାଉଣ୍ଟ ଗୁଡିକରେ ଅର୍ଥ ଜମା ହୋଇଛି ତାର ଛାନଭିନ ମଧ୍ୟ ଆରମ୍ଭ ହୋଇଛି । ଖୁବ ଶୀଘ୍ର ହର୍ଷଲ ଧରା ପଡ଼ିବ ଏବଂ ପୁରା ଘଟଣା ସାମ୍ନାକୁ ଆସିବ କହିଛି ପୋଲିସ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now