ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଦବଙ୍ଗଗିରି

ମୋ ସହ ବାରଗେନିଂ କରନି । ଯଦି ଦୋକାନ ଚଳାଇବାର ଅଛି ଯାହା ପଇସା କହିଛି ବାହାର କର । ଏ ଭିଡିଓ ଦୋକାନୀ ଆଉ ଗ୍ରାହକଙ୍କ ଭିତରେ ଦର ଛିଡେଇବା ବେଳର ଦୃଶ୍ୟ ନୁହେଁ । ବରଂ ତାଉ ଦେଖେଇ ଟଙ୍କା ଡିମାଣ୍ଡ କରୁଥିବା ମାଡାମ ଜଣଙ୍କ ସରକାରୀ ଅଧିକାରୀ । ଭିଡିଓରେ ଥିବା ମହିଳା ଜଣଙ୍କ ହେଉଛନ୍ତି ଡ୍ରଗ୍ସ ଇନ୍ସପେକ୍ଟର ନିଧି ପାଣ୍ଡେ । ଆଉ ସେ ଯାହା ଚାହୁଁଛନ୍ତି ତାହା ହେଉଛି ଲାଞ୍ଚ, ହାତ ଗୁଞ୍ଜା । ଏହି ଭିଡିଓ ପ୍ରଘଟ ହେବା ପରେ ତତ୍କାଳ ତାଙ୍କୁ ନିଲ ମ୍ୱନ କରି ମୁଖ୍ୟାଳୟକୁ ପଠାଇ ଦିଆଯାଇଛି । ଏ ଘଟଣା ଉତ୍ତରପ୍ରଦେଶ ଶ୍ୟାମଲିର । କିନ୍ତୁ ଏହାକୁ ନେଇ ଦେଶ ତମାମରେ ବେଶ ଚର୍ଚ୍ଚା ଚାଲିଛି।

ଡ୍ରଗ୍ସ ଇନ୍ସପେକ୍ଟର ନିଧି ପାଣ୍ଡେ ୟୁପି ଶ୍ୟାମଲି ଅଞ୍ଚଳର ଗୋଟିଏ ଔଷଧ ଦୋକାନରେ ରେଡ କରିଥିଲେ। ଏବଂ ରିପୋର୍ଟରେ ସବୁ ଠିକ ଥିବା ଲେଖିବା ପାଇଁ ଲାଞ୍ଚ ମାଗିଥିଲେ । ସେହି ସମୟର ଭିଡିଓ ଉଠାଇ କେହି ଜଣେ ଭାଇରାଲ କରିଦେଲେ । ଭିଡିଓରେ ମେଡିସିନ ଦୋକାନର ମାଲିକ ୨୫ରୁ ୩୦ ହଜାର ଦେବାକୁ କହୁଥିଲେ । କିନ୍ତୁ ନିଧି ୫୦ ହଜାର ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଯେତେବେଳେ ଏତେ ଗୁଡିଏ ଟଙ୍କା ପାଇଁ ଦୋକାନୀ ମନା କଲେ । ସେତେବେଳେ ଡ୍ରଗ୍ସ ଇନ୍ସପେକ୍ଟର ଆଇନ ଗଣାଇ ତାଙ୍କ ଲାଇସେନ୍ସ କ୍ୟାନସଲ କରିବା ଓ ଏଫଆଇଆର ଦେବା ଧମକ ଦେଇଥିଲେ।

ତେବେ ନିଧିଙ୍କର ଏହା ଫାଷ୍ଟ ପୋଷ୍ଟିଂ ଥିଲା ଏବଂ ସେହିଥିରେ ହିଁ ତାଙ୍କ କାରନାମା ଯୋଗୁ ସେ ସସପେଣ୍ଡ ହୋଇଛନ୍ତି । ନିଲମ୍ୱନ ଅବଧିରେ ଡ୍ରଗ୍ସ ଇନ୍ସପେକ୍ଯର, ଖାଦ୍ୟ ସୁରକ୍ଷା ଏବଂ ଓୗଷଧ ପ୍ରଶାସନ ଲକ୍ଷ୍ନୌ କାର୍ଯ୍ୟାଳୟରେ ତାଙ୍କୁ ଆଟାଚ କରାଯାଇଛି । ଅନ୍ୟପଟେ ଭାଇରାଲ ଭିଡିଓକୁ ନେଇ ନିଧି ପାଣ୍ଡେଙ୍କର ପ୍ରତିକ୍ରିୟା ଆସିଛି । ସେ ଭିଡିଓକୁ ଫେକ କହିବା ସହ ତାଙ୍କୁ ଫସେଇବା ପାଇଁ ଏଭଳି ଭିଡିଓ ତିଆରି କରାଯାଇଥିବା କହିଛନ୍ତି । ତା ଛଡା ସରକାରୀ ଅଧିକାରୀଙ୍କ ଉପରେ ଆକ୍ରୋଶ ରଖି କେମିଷ୍ଟ ଆସୋସିଏସନ ଏଭଳି ବଦନାମ କରୁଛି ବୋଲି କହିଛନ୍ତି। ସେହିପରି ମେଡିସିନ ଦୋକାନର ମାଲିକ ଆମିର ଅନସାରୀ କହିଛନ୍ତି ୨୦୨୧ରୁ ତାଙ୍କ ପାଖେ ଔଷଧ ବିକ୍ରି କରିବା ଲାଇସେନ୍ସ ଅଛି । ନିଧି ମାଡାମ ଲାଇସେନ୍ସ ଇନ୍ସପେକସନ ପାଇଁ ଆସିଥିଲେ । ଏବଂ କୌଣସି ପ୍ରକାର ଟଙ୍କା ଦେବାନେବା ଆଲୋଚନା ହୋଇନି । ଆପ୍ସ ସାହାଯ୍ୟରେ ଏଭଳି ଭିଡିଓ ତିଆରି କରାଯାଇଛି । ନିଧି ପାଣ୍ଡେଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ । ବରଂ ଜବରଦସ୍ତି ମୋତେ କେମିଷ୍ଟ ସଂଘରେ ସାମିଲ କରିବାକୁ ଚାହୁଁଛନ୍ତି । ଯାହା ସେ ଚାହୁଁନଥିବାରୁ ଏଭଳି ସବୁ କରାଯାଇଛି ।

 ଅଭିଯୋଗ ହୋଇଛି ଯେ ନିଧି ପାଣ୍ଡେ ପୂର୍ବରୁ ମଧ୍ୟ ଏହି ଭଳି କାମ କରି ସାରିଛନ୍ତି । ତେଣୁ କେମିଷ୍ଟ ଆସୋସିଏସନ୍ ଭିତରେ ଏହାକୁ ନେଇ ପ୍ରବଳ ଅସନ୍ତୋଷ ଥିଲା । ମେଡିକାଲ ଷ୍ଟୋର ସଞ୍ଚାଳକଙ୍କ ସହ ନିଧିଙ୍କର ମୁହାଁମୁହିଁ ସ୍ଥିତି ବେଶ ଲମ୍ୱା ସମୟ ଧରି ରହି ଆସିଛି । ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଥିଲା ।ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ଜଣାଇଥିଲା ସଂଘ । ତେବେ ନିଧିଙ୍କର ନିଲମ୍ୱନ ପରେ କେମିଷ୍ଟ ଆସୋସିଏସନ ବାଜା ବଜେଇ ନାଚ ଗୀତ କରି ସେଲିବ୍ରେଟ କରିଛି ।

ତେବେ ଉତ୍ତରପ୍ରଦେଶ ସରକାରୀ ସେବା ନିୟମ ୧୯୮୯ ଧାରା ୪ ଆଧାରରେ ନିଧିଙ୍କୁ ତତ୍କାଳ କାମରୁ ନିଲମ୍ୱନ କରାଯାଇଛି । ଏହାର ସତ୍ୟାସତ୍ୟ ଯାଞ୍ଚ କରାଯାଉଛି । ଭିଡିଓକୁ ନିଧି ଫେକ କହୁଥିବା ବେଳେ ପ୍ରାଥମିକ ତଦନ୍ତରୁ ଏହା ମାନିପୁଲେଟେଡ ଭିଡିଓ ନୁହେଁ ଜଣା ପଡ଼ିଛି । ତେଣୁ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ଆଗାମୀ ସମୟ ସ୍ପଷ୍ଟ କରିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *