ନୂଆବର୍ଷରେ ରକ୍ତରଞ୍ଜିତ ହେଲା ହୋଟେଲ। ଏକା ସାଙ୍ଗରେ ମିଶି ନୂଆବର୍ଷକୁ ସ୍ୱାଗତ କଲେ। ଆଉ ତା ପରେ ୫ଜଣଙ୍କୁ ନିର୍ମମ ହତ୍ୟା କଲା ଯୁବକ। ନିଜ ମା ଓ ୪ ଭଉଣୀଙ୍କର ଶିରା କାଟି ମର୍ଡର କଲା ଅଭିଯୁକ୍ତ। ରାଜଧାନୀ ଲକ୍ଷ୍ନୌରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ସମସ୍ତଙ୍କୁ ଚକିତ କରିଦେଇଛି। ନାକା ଥାନା ଅନ୍ତର୍ଗତ ଶରଣଜିତ୍ ହୋଟେଲରେ ଜିରୋ ନାଇଟ ସେଲିବ୍ରେସନ କରିଥିଲା ନିଜ ମାଆ ଓ ୪ ଭଉଣୀଙ୍କ ସହ ଅଭିଯୁକ୍ତ ଅର୍ସଦ। ୫ ଜଣଙ୍କୁ ମର୍ଡର କରିବା ପରେ ହୋଟେଲ ରୁମରେ ହିଁ ଥିଲା ଅଭିଯୁକ୍ତ। ବୁଧବାର ସକାଳୁ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଅର୍ସଦକୁ ଗିରଫ କରାଯାଇଛି। ଅର୍ସଦଙ୍କ ବାପା ଓ ଭାଇ କେଉଁଠି ବୋଲି ଛାନଭିନ୍ କରୁଛି ପୁଲିସ। କାରଣ ପୁରା ପରିବାର ଡିସେମ୍ୱର ୩୦ରୁ ହୋଟେଲକୁ ଆସିଥିଲେ ନୂଆବର୍ଷ ସେଲିବ୍ରେସନ ପାଇଁ। ପୁରା କୋଠରୀ ରକ୍ତରେ ଭାସୁଥିଲା। ପୁଲିସ ଶବଗୁଡ଼ିକୁ ଜବତ କରି ବ୍ୟବଛେଦ ଲାଗି ପଠାଇଦେଇଛି। ପ୍ରାଥମିକ ତଦନ୍ତରୁ ଘରୋଇ ବିବାଦରୁ ଏଭଳି ହତ୍ୟାକାଣ୍ଡ ହୋଇଛି ବୋଲି ଜଣାପଡ଼ିଛି।
ଅଭିଯୁକ୍ତ ଅର୍ସଦର ଘର ଆଗ୍ରାରେ। ଅର୍ସଦର ବାପା ବଦର ବି ଆତ୍ମହତ୍ୟା କରିବେ କହି ଘରୁ ବାହାରିଥିଲେ। ଅର୍ସଦ ବି ସ୍ୱୀକାର କରିଛି ଯେ, ହତ୍ୟାକାଣ୍ଡରେ ତାହାର ବାପା ବି ତାକୁ ସାହାଯ୍ୟ କରିଥିଲେ। ପଡୋଶୀଙ୍କ କହିବା କଥା, ୨୪ ବର୍ଷୀୟ ଅର୍ସଦ ଫେରି ବେପାର କରେ। ସେ ବହୁ ରାଗୀ ପ୍ରକୃତିର। ଅର୍ସଦର ସର୍ବଦା କାହା ସହ କିଛି ନା କିଛି ଝଗଡ଼ା ହୁଏ। ଅର୍ସଦ ପୁଲିସକୁ କହିଛି ଯେ, ମହଲାର ଲୋକେ ତାଙ୍କ ପରିବାରକୁ ନାନା ହଇରାଣ ହରକତ କରୁଥିଲେ। ତାକୁ ଡର ଥିଲା ଯେ, ଯଦି ତାହାର କିଛି ହୋଇଯିବ। ତା ହେଲେ ତା ମାଆ ଓ ଭଉଣୀଙ୍କର କଅଣ ହେବ। ସେଥିଲାଗି ସମସ୍ତଙ୍କୁ ମାରିଦେବାକୁ ଯୋଜନା କରିଥିଲା। ଅର୍ସଦ ପ୍ରଥମେ ପରିବାର ଲୋକଙ୍କୁ ଆଜମେର ନେଇଥିଲା। ପରେ ଲକ୍ଷ୍ନୌ ନେଇ ସମସ୍ତଙ୍କୁ ହୋଟେଲରେ ରଖିଥିଲା। ରାତିରେ ଖାଇବାରେ ନିଶାପଦାର୍ଥ ଦେଇ ମୁହଁରେ କପଡ଼ା ଦେଇ ଓଢ଼ଣୀରେ ତଣ୍ଟି ଚିପି ହତ୍ୟା କରିଥିଲା। ଆଉ ହାତର ଶିରା କାଟିଦେଇଥିଲା। ଏ ମର୍ଡରରେ ଅର୍ସଦର ବାପା ବି ସାହାଯ୍ୟ କରିଥିଲା। ବାପାଙ୍କୁ ଷ୍ଟେସନରେ ଛାଡ଼ି ପୁଣି କୋଠରୀକୁ ଫେରିଆସିଥିଲା ଅର୍ସଦ। ଘଟଣାସ୍ଥଳରୁ ପୁଲିସ ବ୍ଲେଡ୍ ଓ ଓଢ଼ଣୀ ଜବତ କରିଛି।
ଶରଣଜିତ ହୋଟେଲର ରୁମ୍ ନମ୍ୱର ୧୦୯ରେ ରହୁଥିଲେ ସମସ୍ତେ। ପରିବାରର ମୋଟ୍ ୭ଜଣ ଥିଲେ। ମାଆ ଆସମା, ଚାରି ଭଉଣୀ ୯ ବର୍ଷର ଆଲିୟା, ୧୪ ବର୍ଷର ଅକ୍ସା, ୧୮ ବର୍ଷର ରହମିନ ଓ ୧୯ ବର୍ଷର ଅଲଶିୟାଙ୍କୁ ନିର୍ମମ ହତ୍ୟା କରିଛି ଅର୍ସଦ।
Naxatra News is now on Whatsapp
Join and get latest news update delivered to you via whatsapp
Join Now