ଇଞ୍ଜିନିୟର ବିମଳ ନେଗିଙ୍କ ମୃତ୍ୟୁ ମାମଲାରେ ହେବନି ସିବିଆଇ ତଦନ୍ତ। ରାଜ୍ୟ ସରକାରଙ୍କ ତଦନ୍ତ ଉପରେ ପରିବାରର ସମ୍ପୂର୍ଣ୍ଣ ଭରସା ଅଛି ବୋଲି ବିଧାନସଭାରେ କହିଛନ୍ତି ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଜୟରାମ ଠାକୁର ସ୍ୱର୍ଗତ ନେଗିଙ୍କ ପରିବାର କୁଆଡ଼େ ସିବିଆଇ ତଦନ୍ତ ଚାହୁଁଥିବା କଥା ଯାହା କହିଥିଲେ, ତାହା ଠିକ୍ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ଥିବା କହିଛନ୍ତି ନେଗିଙ୍କ ପତ୍ନୀ। ତଦନ୍ତ ଲାଗି ୧୫ ଦିନ ସମୟ ନେଇଛନ୍ତି ସରକାର। ୧୫ ଦିନ ପରେ ତାଙ୍କ ପତ୍ନୀ ପରବର୍ତ୍ତୀ ପଦକ୍ଷେପ ନେଇ କହିବେ। ଯେହେତୁ ନେଗିଙ୍କ ପରିବାର ହିମାଚଳପ୍ରଦେଶ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି, ସେଥିଲାଗି ତାଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ସୁଖୁ। ତଦନ୍ତରେ ସ୍ୱଛତା ଓ ନିରପେକ୍ଷତା ରହିବ ବୋଲି କଥା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଇଞ୍ଜିନିୟର ସ୍ୱର୍ଗତ ନେଗିଙ୍କ ପରିବାର ନ୍ୟାୟ ଦାବିରେ ଆଜି ସକାଳେ ରାଜ୍ୟ ପାଓ୍ୱାର କର୍ପୋରେସନ ଲିମିଟେଡର ଅଫିସ ଆଗରେ ପ୍ରତିବାଦ କରିଥିଲେ। ମନ୍ତ୍ରୀ ଜଗତ ସିଂ ନେଗି ଘଟଣାସ୍ଥଳରେ ପହଞ୍ଚି ନ୍ୟାୟ ନିଶ୍ଚିତ ମିଳିବ ବୋଲି ପ୍ରତିଶୃତି ଦେଇଥିଲେ ପରିବାରକୁ। ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟରୁ ପାଣିରେ ବୁଡ଼ି ବିମଳଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶରୀରରେ କୌଣସି ପ୍ରକାର କ୍ଷତ ଚିହ୍ନ ମିଳିନି। ଶବ ମିଳିବାର ୫ ଦିନ ପୂର୍ବରୁ ବିମଳଙ୍କ ମୃତ୍ଯୁ ହୋଇଥିଲା। ନେଗିଙ୍କ ଶବ ମାର୍ଚ୍ଚ ୧୮ରେ ଗୋବିନ୍ଦସାଗର ଝରଣା ପାଣିରେ ଭାସୁଥିବାର ଦେଖିବାକୁ ମିଳିଥିଲା। ମାର୍ଚ୍ଚ ୧୦ରୁ ନିଖୋଜ ଥିଲେ ନେଗି। ମାର୍ଚ୍ଚ ୧୯ରେ ଏଚପିପିସିଏଲ ଅଧିକାରୀ, କର୍ମଚାରୀଙ୍କ ସହ ମିଶି ନେଗିଙ୍କ ପରିବାର ଅଫିସ ଆଗରେ ଶବ ରଖି ଏଥିଲାଗି ପ୍ରବନ୍ଧ ନିର୍ଦେଶକ ହରିକେଶ ମିଣା ଓ ନିର୍ଦେଶକ ଦେଶ ରାଜଙ୍କୁ ଦାୟୀ କରିଥିଲେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now