ଝାରସୁଗୁଡାରେ ଆଦିବାସୀଙ୍କୁ ଭୂମିହୀନ କରିବାର ଅଭିଯାନରେ ସରକାରୀ ବାବୁ । ଭୂ ସଂସ୍କାର ଆଇନର ବ୍ୟବସ୍ଥା ପ୍ରତି ବେଖାତିର କରି ଜମି ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଛି । ଜମି ଦଲାଲଙ୍କ ସହ ପ୍ରଶାସନିକ ତଥା ରାଜସ୍ବ ବିଭାଗ ଅଧିକାରୀଙ୍କ ମଧୂ ଚନ୍ଦ୍ରିକା ରହିଥିବା ଅଭିଯୋଗ ହୋଇଛି । କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି ବିକ୍ରି ପାଇଁ ଅନୁମତି ଦେଇ ବାବୁ କରିଛନ୍ତି ହାତ ଚିକ୍କଣ । ତେବେ ପ୍ରଶ୍ନ ଉଠିଛି ଯେ ସହରାଞ୍ଚଳରେ ଜଣେ ବ୍ୟକ୍ତିକୁ ଚାରିଟି ମାମଲାରେ ଜମି ବିକ୍ରି ପାଇଁ ଅନୁମତି କେମିତି ଦେଇଥିଲେ ବାବୁ । ଏହି ଅନୁମତି ରହସ୍ୟଜନକ ଯାହାକୁ ନେଇ ପ୍ରଶ୍ନ ଉଠିଛି ।
ଝାରସୁଗୁଡା ଟାଉନ, ୟୁନିଟ ୫ ରେ ଯଥାକ୍ରମେ ୧ ଏକର, ୦.୮୨ ଏକର, ୧.୪୭ ଏକର, ୦.୫୨ ଏକର, ୦.୮୪ ଏକର ଜମିକୁ ଜଣେ ବ୍ୟକ୍ତି ମହେନ୍ଦ୍ର କରାଳିଂକୁ ବିକ୍ରି କରିବାକୁ ତତ୍କାଳୀନ ଉପ ଜିଲ୍ଲାପାଳ କେଉଁ ଆଧାରରେ ଦେଇଥିଲେ ଅନୁମତି । ଆଇଟିଡିଏ ତଥା ସିଡ୍ୟୁଲ ଅଂଚଳରେ ଆଦିବାସୀ ଜମି ହସ୍ତାନ୍ତର ଉପରେ ଆଇନଗତ କଟକଣା ଥିବା ସତ୍ତ୍ବେ କିରିମିରା ତହସିଲ ଅଞ୍ଚଳରେ ୧ ଏକର ୯୦ ଡେସିମିଲ ଜମି ବିକ୍ରି ପାଇଁ ଦୀପକ କିଶାନଙ୍କ ନାମରେ କିଭଳି ଅନୁମତି ଦେଲେ ତାହାର ତଦନ୍ତ ଆବଶ୍ୟକ। ଗ୍ରାମାଞ୍ଚଳରେ ୫୦ ଡେସିମିଲ ଜମି ରୁ ଅଧିକ ଜମି ବିକ୍ରି ଲାଗି ଅନୁମତି ନ ଦେବାକୁ ଆଦିବାସୀ ସଂଗଠନ ଗୁଡିକ ଦାବି କରି ଆସିଥିବା ସ୍ଥଳେ ସଂପୃକ୍ତ କରିତକର୍ମା ଅଧିକାରୀ ବହୁ ବ୍ୟକ୍ତିଙ୍କୁ ଏକର ଏକର ଜମି ବିକ୍ରି ଲାଗି କିଭଳି ଦେଲେ ଅନୁମତି । ଝିଅ ବାହାଘର, ଚିକିତ୍ସା ଭଳି ଜରୁରୀ ଖର୍ଚ୍ଚ ତୁଳାଇବାକୁ ଆଦିବାସୀ ଜମି ମାଲିକଙ୍କୁ ବହୁ କ୍ଷେତ୍ରରେ ଅନୁମତି ଦିଆ ଯାଇଥାଏ । ମାତ୍ର ଏଠାରେ ତାର ସାଂଘାତିକ ବ୍ୟତିକ୍ରମ ହୋଇଛି ଯାହା ତଦନ୍ତ ସାପେକ୍ଷ । ତତ୍କାଳୀନ ଉପଜିଲ୍ଲାପାଳ କିଶୋର ସ୍ବାଇଁ ଗତ ଜାନୁଆରୀ ୨୦୨୩ ରୁ ଫେବୃଆରୀ ୨୦୨୪ ମଧ୍ୟରେ ସମୁଦାୟ ୧୪୨ ଟି ପରମିଶନ ପ୍ରଦାନ କରିଛନ୍ତି । ଯେଉଁଥିରେ ସମୁଦାୟ ୬୫.୬୯୫ ଏକର ଜମି ରହିଛି । ଯାହାର ମୂଲ୍ୟ ପ୍ରାୟ ଶହେ କୋଟିରୁ ଉର୍ଦ୍ଧ ଟଙ୍କା ହେବ ।
ଆଦିବାସୀଙ୍କ ଜମିକୁ ବାବୁ ବେଆଇନ ଭାବେ ବିକ୍ରି କରିବା ଅଭିଯୋଗରେ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଆଦିବାସୀ ସଂଗଠନ ପକ୍ଷରୁ ଦାବିପତ୍ର ଦିଆଯାଇଛି । ଝାରସୁଗୁଡା ତହସିଲ ଅନ୍ତର୍ଗତ ଶହ ଶହ ଏକର ଆଦିବାସୀ ଜମିକୁ କେଉଁ ଆଧାରରେ ସାଧାରଣ ବର୍ଗର ଲୋକଙ୍କ ନାଁରେ କରାଯାଇଛି ତାର ତଦନ୍ତ କରାଯାଉ ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନିବେଦନ କରିଛି ସଂଘ। ଝାରସୁଗୁଡ଼ା ଜିଲ୍ଲାରେ ବେଆଇନ ଭାବେ ଅନୁସୂଚିତ ଜାତି ଜନଜାତିଙ୍କ ଜମି ବିକ୍ରି ହେଉଛି । ସରକାରୀ ଅଧିକାରୀ ସେଥିରେ ସହଯୋଗ କରୁଛନ୍ତି । ଏଠାରେ ଯିଏ ଉପ ଜିଲ୍ଲାପାଳ ରହି ପରବର୍ତ୍ତୀ ସମୟରେ ପଦୋନ୍ନତି ପାଇ ଝାରସୁଗୁଡାରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଭାବେ ଅବସ୍ଥାପିତ ହେଲେ ତାଙ୍କ ଦ୍ୱାରା ତାଙ୍କ କାର୍ଯ୍ୟକାଳର ମାମଲା ସଂକ୍ରାନ୍ତୀୟ ଅଭିଯୋଗ ବିଚାର ହେବା କେତେ ଆଇନ ସମ୍ମତ? ନିଜ ସମୟର ଭୂଲ ତ୍ରୁଟିର ବିଚାର ସେ ନିଜେ କରିବେ ତ? ଲୋକ ନ୍ୟାୟ ପାଇବେ କିପରି ? ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଆଦିବାସୀ ହରିଜନ ଜମି ଅନୁମତି ସମ୍ପର୍କରେ ବହୁ ବଡ ଦୁର୍ନୀତିର ପର୍ଦ୍ଦାଫାଶ ହେବ ଏଥିରେ ସନ୍ଦେହ ନାହିଁ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now