ଛତିଶଗଡ଼ ବିଜାପୁରରେ ବିଗ୍ ଏନକାଉଣ୍ଟର। ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ୩୧ ନକ୍ସଲ। ରବିବାର ଛତିଶଗଡ଼ର ବିଜାପୁର ଓ ନାରାୟଣପୁର ଜିଲ୍ଲା ମଧ୍ୟବର୍ତ୍ତୀ ଜଙ୍ଗଲରେ ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ନକ୍ସଲ-ଯବାନ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ପ୍ରାୟ ୪ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ନକ୍ସଲଙ୍କ ଗୁଳିରେ ୨ ଯବାନ ଶହୀଦ୍ ହୋଇଛନ୍ତି। ଆଉ ୨ ଆହତ ଯବାନଙ୍କୁ ରାୟପୁର ଏୟାରଲିଫ୍ଟ କରାଯାଇଥିଲା। ମାଓ କ୍ୟାମ୍ପରୁ ଏକେ-୪୭, ଏସଏଲଆର, ଇନସାସ୍, ବିଜିଏଲ ଲଞ୍ଚର ସହ ବିପୁଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ପ୍ରାୟ ୭ଶହ ଯବାନ ଏହି ଅପରେସନରେ ସାମିଲ୍ ହୋଇଥିଲେ। ଛତିଶଗଡ଼ରେ ହେବାକୁ ଥିବା ପୌର ଓ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବାକୁ ନକ୍ସଲଙ୍କ ବଡ଼ ଯୋଜନା ପଣ୍ଡ ହୋଇଛି। ନକ୍ସଲଙ୍କ ମୃତ ଦେହ ବିଜାପୁର ପୁଲିସ ମୁଖ୍ୟାଳୟକୁ ନେଇ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୨୬ ସୁଦ୍ଧା ଛତିଶଗଡ଼ ନକ୍ସଲମୁକ୍ତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ଶହୀଦ ନରେଶ ଧୃବ ଓ ବାସିତ କୁମାର ରାଓ୍ୱତେଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଶହୀଦଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଡିଜିପି କହିଛନ୍ତି, ବସ୍ତର ଏଣିକି ନକ୍ସଲଙ୍କ ଆରାମର ପେଣ୍ଠସ୍ଥଳୀ ନୁହେଁ।
୨୨ଶହ ବର୍ଗକିଲୋମିଟର ପରିମିତ ଇନ୍ଦ୍ରାବତୀ ନାସନାଲ ପାର୍କରେ ପ୍ରଥମ ଥର ଅପରେସନ କରିଥିଲା ସୁରକ୍ଷା ବଳ। ଏହି ଅଞ୍ଚଳରେ ୭୫ ଗାଁ ରହିଛି। ଗୋଟିଏ ପାର୍ଶ୍ୱ ମହାରାଷ୍ଟ୍ରର ସୀମାକୁ ଲାଗିଛି। ନକ୍ସଲ ଏଠାରେ ଟ୍ରେନିଂ କ୍ୟାମ୍ପ୍ କରିଥିଲେ। ବିଜାପୁରରେ ଏହା ଥିଲା ସବୁଠୁ ବଡ଼ ନକ୍ସଲ ବିରୋଧୀ ଅପରେସନ। ଏହି ଅପରେସନରେ ମହିଳା କମାଣ୍ଡୋ ବି ସାମିଲ୍ ଥିଲେ। ଅପରେସନ ଲାଗି ଟିମ୍ ଗୁରୁବାର ବାହାରିଥିଲା। ପ୍ରାୟ ୬୦ରୁ ୭୦ କିଲୋମିଟର ଚାଲିଥିଲେ ଯବାନ। ବସ୍ତରରେ ଜାରି ଥିବା ଆଣ୍ଟି ନକ୍ସଲ ଅପରେସନରେ ବର୍ଷ ଆରମ୍ଭରୁ ଆଜି ଯାଏଁ ୬୫ ନକ୍ସଲ ନିପାତ ହେଲେଣି। ଗଲା ୨ ବର୍ଷ ଭିତରେ ୨୮୨ ନକ୍ସଲ ମଲେଣି।
ନକ୍ସଲଙ୍କୁ ମୂଳପୋଛ କରିବାକୁ ପଣ କରିଛନ୍ତି ସରକାର। ଏହି କ୍ରମରେ ସେମାନେ ଯେତେ ଜଲଦି ହତିଆର ଛାଡ଼ି ମୂଳ ସ୍ରୋତରେ ସାମିଲ୍ ହେବେ, ସେ ମଉକା ହାତଛଡ଼ା କଲେ ଜୀବନରୁ ହାତଛଡ଼ା କରିବେ ବୋଲି ଚେତାଇ ଦେଇଛନ୍ତି ସରକାର।

Naxatra News is now on Whatsapp
Join and get latest news update delivered to you via whatsapp
Join Now