ବନ୍ଧୁକ ମୁନରେ ଡରାଇଲେ ବିଧାୟକ!

ବିଧାୟକଙ୍କ ଅଫିସରେ ପଶି ଗୁଳି କଲେ। ତା ପୁଣି ଜଣେ ପୂର୍ବତନ ବିଧାୟକ। ବିଧାୟକ ଉମେଶ କୁମାରଙ୍କ ଅଫିସକୁ ତିନୋଟି ଗାଡ଼ିରେ ଆସି ଫାୟାରିଂ କରିଥିଲେ ପୂର୍ବତନ ବିଧାୟକ କଓ୍ୱଁର ପ୍ରଣବ ସିଂ। ସେଠାରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୂର୍ବତନ ବିଧାୟକ କଓ୍ୱଁର ପ୍ରଣବ ସିଂ ଚାମ୍ପିୟନଙ୍କ ଏଭଳି କାରନାମାକୁ ନେଇ ସବୁଠି ହଇଚଇ। ଉତ୍ତରାଖଣ୍ଡରେ ଗଣତନ୍ତ୍ର ଦିବସରେ ଉଭୟଙ୍କ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ ହେଁ ଏଭଳି ଗୁଳି କରି ଆତଙ୍କ ରଚିଥିଲେ ପ୍ରଣବ। ତେବେ ପ୍ରଣବଙ୍କୁ ଆଗରୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଇଥିଲେ ଉମେଶ। ପ୍ରଣବଙ୍କ ଘର ଆଗକୁ ଯାଇ କୁଆଡ଼େ ଖୁଲମଖୁଲା ଧମକ ଦେଇଥିଲେ ଉମେଶ। ଆଉ କେଉଁଠି ଲୁଚିକି ଥିଲେ ବି ପାତାଳରୁ ଟାଣିଆଣି ଜମିରେ ପୋତିଦେବି ବୋଲି କହିଥିଲେ ଉମେଶ। ପ୍ରଣବଙ୍କ ବିରୁଦ୍ଧରେ ପୁଲିସ ଆକ୍ସନ ନ ନେଲେ ପ୍ରଣବଙ୍କ ଘରେ ପଶି ନିଆଁ ଲଗାଇଦେବି ବୋଲି କହିଥିଲେ ଉମେଶ। ଉମେଶଙ୍କ ଏହି ଧମକପୂର୍ଣ୍ଣ ଭିଡିଓ ଓ ମନ୍ତବ୍ୟ ବେଶ୍ ଭାଇରାଲ ହୋଇଛି।

 ରୁଡକିର ଖାନପୁରର ସ୍ୱାଧୀନ ବିଧାୟକ ଉମେଶ ଶର୍ମା ଓ ବିଜେପିର ପୂର୍ବତନ ବିଧାୟକ କୁଓ୍ୱଁର ପ୍ରଣବ ସିଂ ଚାମ୍ପିଅନଙ୍କ ଭିତରେ ଶତୃତାର ଚରମସୀମା ଦେଖି ସମସ୍ତେ ଚକିତ। ଉତ୍ତରାଖଣ୍ଡର ହରିଦ୍ୱାରରେ ଏଭଳି ଦିନ ଦ୍ୱିପ୍ରହରରେ ପରସ୍ପରକୁ ଗାଳୁଗୁଲଜ, ବନ୍ଧୁକ ଧରି ଆତଙ୍କ ମାହୋଲ ସୃଷ୍ଟି କରିଛନ୍ତି ଉଭୟ ଜନ ପ୍ରତିନିଧି।  ଏଭଳି କାରନାମାକୁ ନେଇ ପୂର୍ବତନ ବିଧାୟକ ପ୍ରଣବ ସିଂକୁ ପୁଲିସ ଗିରଫ କରିଛି। ଉଭୟ ପକ୍ଷର ବନ୍ଧୁକ ଲାଇସେନ୍ସ ବି ରଦ୍ଦ କରିଦିଆଯାଇଛି। ଏମାନଙ୍କୁ ଦିଆଯାଇଥିବା ପୁଲିସ ସୁରକ୍ଷା ବ୍ୟବସ୍ଥା ହଟାଇବାକୁ ଚିନ୍ତା କରିଛି ପ୍ରଶାସନ। ଉଭୟ ଉମେଶ ଓ ପ୍ରଣବଙ୍କ ନାଁରେ ଏତଲା ହୋଇଛି। ବିଧାୟକ ଉମେଶ କୁମାର ଓ ତାଙ୍କ ସମର୍ଥକଙ୍କୁ ବି ପୁଲିସ ହେପାଜତକୁ ନେଇଛି।

ମାଡପିଟ ଓ ହିଂସାର ନଗ୍ନ ଦୃଶ୍ୟ ଦେଖିଲେ ସଭିଏଁ। କଓ୍ୱଁର ପ୍ରଣବ ସିଂ ବି ଫେସବୁକରେ ବି ଉମେଶଙ୍କୁ ମାରିବାକୁ ଧମକ ଦେଇଥିଲେ। ଉଭୟ ସମର୍ଥକଙ୍କ ଭିତରେ ମାଡପିଟ୍ ଓ ପରସ୍ପରକୁ ଗୁଳି ଚଲାଇଥିବାର ଭିଡ଼ିଓ ବି ସାମ୍ନାକୁ ଆସିଛି। ରାତିରେ ଉମେଶ ଯାଇ ପ୍ରଣବଙ୍କ ଘର ଆଗରେ ହିଂସା ଭିଆଇବାକୁ ଖୋଜିଥିଲେ। ଆଉ ଦିନରେ ପାଲଟା ଜବାବ ବନ୍ଧୁକରେ ଦେଇଥିଲେ ପ୍ରଣବ। ଏପରିକି ପ୍ରଣବଙ୍କୁ ମାରିବାକୁ ଖୁଲମଖୁଲା ହାତରେ ବନ୍ଧୁକ ଧରି ଗୋଡ଼ାଇଥିଲେ ଉମେଶ। ପୁଲିସ ଉଚିତ ସମୟରେ ହସ୍ତକ୍ଷେପ କରି ପରିସ୍ଥିତିକୁ ଶାନ୍ତ କରିଥିଲା। ତେବେ ପରସ୍ପରକୁ ଜୀବନରେ ମାରିଦେବାକୁ ଧମକ ଓ ହିଂସାକୁ ଉସୁକାଇବା ଆରୋପରେ ଉଭୟଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି। ଦେବଭୂମି ଉତ୍ତରାଖଣ୍ଡରେ ଦିନ ଦ୍ୱିପ୍ରହରରେ ଏଭଳି ଦୁ଼୍ଇ ଲୋକପ୍ରତିନିଧି ଆଇନକୁ ହାତକୁ ନେବା ଆଚରଣ ସମସ୍ତଙ୍କୁ ବ୍ୟଥିତ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *