ଶେଷରେ ଉଛେଦ ହେଲା ବହୁ ଚର୍ଚ୍ଚିତ ବୈକୁଣ୍ଠଧାମ ଆଶ୍ରମ। ହାଇକୋର୍ଟରେ ମିଛ କହିବା ମହଙ୍ଗା ପଡ଼ିଲା।ଅନ୍ତରୀଣ ସୁରକ୍ଷା ହଟାଇଦେବା ପରେ ବିଡିଏ ଆଶ୍ରମକୁ ଭାଙ୍ଗିଛି। ୧୨ଟାରୁ ଉଛେଦ ଆରମ୍ଭ କରିଥିଲା ବିଡିଏ। ଆଉ ଉଛେଦ କରି ସରକାରୀ ଜମିକୁ ପାଚେରୀ କରି ସୁରକ୍ଷିତ ରଖିବାକୁ ଯୋଜନା କରିଛି। ଘାଟିକିଆ ମୌଜାରେ ୧୪୦ ଡିସିମିଲ ଜାଗାରେ ଛିଡ଼ା ହୋଇଥିବା ଆଶ୍ରମକୁ ଉଛେଦ କରିଛି। କିନ୍ତୁ ଆଶ୍ରମ ସଂଲଗ୍ନ ୨୨ ଏକରରୁ ଉର୍ଦ୍ଧ୍ୱ ସରକାରୀ ଜମିରେ ଗଢ଼ିଉଠିଥିବା ବସ୍ତିରେ ହାତ ମାରିବାକୁ ସାହାସ କୁଳାଇପାରିଲାନି ବିଡିଏ। ଶୁକ୍ରବାର ଦିନ ୧୨ଟା ସୁଦ୍ଧା ଅନ୍ତେବାସୀ ଏହି ବେଆଇନ ନିର୍ମାଣ ଉପରୁ ସମସ୍ତ ଜିନିଷପତ୍ର ନିଜ ଯତ୍ନରେ କାଢ଼ିନେବାକୁ ଗୁରୁବାର ବିଡିଏ ଘୋଷଣା କରିଥିଲା। ବେଆଇନ ନିର୍ମାଣ ଉଛେଦ ବେଳେ କୌଣସି କ୍ଷୟକ୍ଷତି ହେଲେ ସରକାର କି ବିଡିଏ ଦାୟୀ ହେବନି ବୋଲି ଘୋଷଣା କରିଥିଲା। ସେହି ଅନୁସାରେ ଅନ୍ତେବାସୀ ସକାଳୁ ସକାଳୁ ଜିନିଷପତ୍ର ଧରି ଆଶ୍ରମ ଖାଲି କରିଥିଲେ। ସେପଟେ ବାବା କାଶୀନାଥଙ୍କ ବୈକୁଣ୍ଠଧାମ ଆଶ୍ରମ ଭଙ୍ଗା ହେବା ଦେଖି କିଛି ଭକ୍ତ ଭୋ ଭୋ କାନ୍ଦିଥିଲେ। ଭୂଇଁରେ ଶୋଇ ମୁଣ୍ଡିଆ ମାରିଥିଲେ। ଏହି ଜମିରେ ଯୋଗଶିକ୍ଷା କେନ୍ଦ୍ର କରିବାକୁ ଗଣଶିକ୍ଷା ବିଭାଗକୁ କୁଆଡେ ଆଶ୍ରମ ଜମି ମାଗି଼ଥିଲା ବୋଲି ଟ୍ରଷ୍ଟ ହାଇକୋର୍ଟରେ ଦାଖଲ କରିଥିଲା ସତ୍ୟପାଠ। ଏପରିକି ସାଧାରଣ ପ୍ରଶାସନ ବିଭାଗକୁ ଜମି ହସ୍ତାନ୍ତର ଲାଗି ଗଣଶିକ୍ଷା ବିଭାଗ ସୁପାରିଶ କରିଥିବା କଥା ବି ଜଣାଇଥିଲା ଆଶ୍ରମ। କିନ୍ତୁ ଏସବୁ ଚିଠିପତ୍ର ଜାଲି ଜାଣିବା ପରେ ଗଲା ୧୦ ତାରିଖରେ ହାଇକୋର୍ଟ ରହିତାଦେଶ ହଟାଇଦେଇଥିଲେ।
ବାବା ବୈକୁଣ୍ଠନାଥ ଆଶ୍ରମରେ ଜଣେ ନାବାଳକକୁ କଳକୀ ଅବତାର ଦର୍ଶାଇ ତା ପାଦ ତଳେ ତୁଳସୀ ଥୋଇ ପୂଜା କରିବା ଘଟଣା ପଦାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଥିଲା।ଭରତପୁର ଥାନାରେ ସ୍ଥାନୀୟ ଲୋକେ ଏତଲା ବି ଦେଇଥିଲେ। ଆଶ୍ରମରେ ବହୁ ଅନିୟମିତତାର ଲମ୍ୱା ଫର୍ଦ୍ଦ ଯୋଡ଼ି ହେବାରୁ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଥିଲା। ନଭେମ୍ୱର ୧୮ରେ ଜିଏ, ବିଡିଏ ଓ ତହସିଲ ପକ୍ଷରୁ ମିଳିତ ମାପଚୁପ ପରେ ଆଶ୍ରମ ସରକାରୀ ଜମିରେ ଥିବା ଜଣାପଡ଼ିଥିଲା। ଆଉ ଉଛେଦ କରିବାକୁ ୨୨ରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହାକୁ ଚ୍ୟାଲେଞ୍ଜ କରି ଆଶ୍ରମ ହାଇକୋର୍ଟରେ ପିଟିସନ ଦାଏର କରିଥିଲା। ଆଶ୍ରମ ନିର୍ମାଣ ଲାଗି ଗଣଶିକ୍ଷା ବିଭାଗ ଅନୁମତି ଦେଇଥିବା କଥା ଟ୍ରଷ୍ଟ ମିଛ କହିଥିଲା ଅଦାଲତରେ। ବେଆଇନ ନିର୍ମାଣ। ତା ସାଙ୍ଗକୁ ଅନିୟମିତତାର ଲମ୍ୱା ଫର୍ଦ୍ଦକୁ ଆସ୍ଥା ସହ ଖେଳ। ଏତିକିରେ ମନ ମେଣ୍ଟିନଥିଲା ଯେ, ଶେଷରେ ଅଦାଲତରେ ଜାଲି ଅନୁମତି ପତ୍ର ଦେଖାଇବାକୁ ପଛାଇଲାନି ଟ୍ରଷ୍ଟ। ଶେଷରେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଆଶ୍ରମକୁ ଉଛେଦ କରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now