ସତ୍ତ୍ୱ କେଳେଙ୍କାରୀ : ଅଡୁଆରେ ଅଫିସର- ଫସିଲେ ସ୍ୱାମୀ ସ୍ତ୍ରୀ!

ଜମି ରେଜିଷ୍ଟ୍ରେସନ କେଳେଙ୍କାରୀର ଗୋଲକଧନ୍ଦା। ସ୍ୱାମୀ ବିକିଲେ, ସ୍ତ୍ରୀ କିଣିଲେ। ଭୁବନେଶ୍ୱର କାଶୀପୁର ମୌଜାର ୬୪୫ ଡିସିମିଲ ମନ୍ଦିର ଜମିକୁ ସ୍ଥିତିବାନ କରି କିଣାବିକା ଘଟଣାରେ କେବଳ ଚଞ୍ଚକତା ସୀମିତ ରହିନି। ବିକ୍ରେତା ଶିବାନୀ ଶଙ୍କର ତ୍ରିପାଠୀ ଏତେ ଧୃର୍ତ୍ତ ଯେ, ଯେଉଁ ୮ ଜଣଙ୍କୁ ବିକିଦେଲେ ଜମି। ସେମାନଙ୍କ ଭିତରେ ଶେଷ କ୍ରେତା ବା ଆଠ ନମ୍ୱର କ୍ରେତା ହେଉଛନ୍ତି ତାଙ୍କ ପତ୍ନୀ ଜୟନ୍ତୀ ପୁଷ୍ପାଳକ। ଶିବାନୀ ଦଲିଲରେ ଯେଉଁ ଠିକଣା ଦେଇଛନ୍ତି, ତାହା ଅନୁସାରେ ତାଙ୍କ ଘର ଯାଆଁଳାର ଉତ୍ତରମୁଣ୍ଡମୁହାଣ। ଦଲିଲରେ ଯେଉଁ ୮ ଜଣ କିଣିଲେ, ସେମାନଙ୍କ ଭିତରେ ଶିବାନୀଙ୍କ ପତ୍ନୀ ବି ଏକ ଅଂଶ ଅଟନ୍ତି।  ନିୟମରେ ଦେଖିଲେ ଏହା କୌଣସି ବେଆଇନ କାମ ନୁହେଁ। କିନ୍ତୁ ବିଡ଼ମ୍ୱନା ଯେ, ନିଜେ ତ ଫସିଲେ। ତା ସହ ନିଜ ପତ୍ନୀଙ୍କୁ ବି ଫସାଇଦେଲେ ଶିବାନୀ। ଆଉ ଅନ୍ୟ ଯେଉଁ ୭ ଜଣଙ୍କୁ ବିକିଦେଲେ, ସେମାନଙ୍କ ଭେଳା ବି ବୁଡ଼ିଲା କହିଲେ ଭୁଲ୍ ହେବନି। କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାରେ ସିନା କିଣିଲେ ଏହି ଜମି। ହେଲେ ଟଙ୍କା ଗଲା। ତା ସହ ଟେନସନ ବି ମୁଣ୍ଡାଇବାକୁ ପଡ଼ିଲାଣି। କ୍ରେତାଙ୍କ ଭିତରେ ଚାକିରୀଆ ୪ ଜଣ ଅଛନ୍ତି। ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଅବସର ପରେ କଷ୍ଟ ଅର୍ଜିତ ଧନରେ ଭୁବନେଶ୍ୱରରେ ଖଣ୍ଡେ ଜମି କିଣିଛି ବୋଲି ଯେଉଁ ଖୁସି ଥିଲା। ସେତକ ନିମିଷକରେ ମିଳାଇସାରିଲାଣି। ଆଉ ତା ସାଙ୍ଗକୁ ଦୁର୍ନାମ ମୁଣ୍ଡାଇବାକୁ ପଡ଼ିଲା। ଏଭଳି କେଳେଙ୍କାରୀ ବାବଦରେ ସାମାନ୍ୟ ସୁରାକ୍ ପାଇନଥିବା କି ଜାଣିନଥିବା ନିରୀହ କ୍ରେତା ବି ଫସିଗଲେ।  କାରଣ ସେମାନଙ୍କ ବିଶ୍ୱାସରେ ବିଷ ତ ମିଶାଇସାରିଥିଲେ ବିକ୍ରେତା। ଆଉ ଯଦି କିଛି ଭୁଲ୍ ଭଟକା ଥିଲା, ତାହେଲେ ସବ-ରେଜିଷ୍ଟ୍ରାର ଅଫିସ ଧରିଥାଆନ୍ତା। କିନ୍ତୁ ସେଠାରେ ବି ଯେହେତୁ ସବୁ କିଛି ଭଲରେ ଭଲରେ ରେଜିଷ୍ଟ୍ରେସନ ହୋଇଗଲା, ସେମାନେ ଶାନ୍ତିରେ ଥିଲେ। କୌଣସି ଅଳିଆ ହାବୁଡ଼ରେ ପଡ଼ିନାହାନ୍ତି ବୋଲି ଆଶ୍ୱସ୍ତ ମଣୁଥିଲେ ଆଉ ଯିଏ ଏମାନଙ୍କୁ ଏକାଠି କରି କିଣାଇଲା, ବିକ୍ରେତା ଓ ମଧ୍ୟସ୍ଥିଙ୍କ ପାଖକୁ ଧାଇଁବା ସହ ମାମଲାରେ ଛନ୍ଦି ହେବା ସାର ହେବ। ବିକ୍ରେତା ଶିବାନୀ ଶଙ୍କର, ଏମାନଙ୍କୁ ଚିହ୍ନଟ କରିଥିବା ଏନ କୁମାର ସାନୁ ଓ ସବରେଜିଷ୍ଟ୍ରାର ଅର୍ଚ୍ଚନା ଗୌଡ଼ଙ୍କ ମିଲିଭଗତ ନାହିଁ ତ ବୋଲି ସବୁଠି ଚର୍ଚ୍ଚା। ସବ-ରେଜିଷ୍ଟ୍ରାର ବଡ଼ଗଡ଼ ଥାନାରେ ଏତଲା ଦେଲେଣି ୮ ତାରିଖରୁ। କିନ୍ତୁ ୪ ଦିନ ପରେ ବି ଏମାନଙ୍କ ଭିତରୁ ଅନେକ ଏ ବାବଦରେ ବିଲକୁଲ ଜାଣିନାହାନ୍ତି। ଆମେ ଯେତେବେଳେ ଦୁଇ ଜଣ କ୍ରେତା ଆଶୁତୋଷ କର ଓ ଅନୁପମ ପାଣିଗ୍ରାହୀଙ୍କୁ ପଚାରିଲୁ, ଥତମତ ହୋଇଗଲେ। ବିଶ୍ୱାସ କରିପାରିଲେନି ଯେ, ଏମିତି କେଳେଙ୍କାରୀରେ ଫସିସାରିଛନ୍ତି। ରେଜିଷ୍ଟ୍ରେସନରେ ସ୍ୱଛତା ରହିଛି। ସେଥିଲାଗି ତ କିଣାବିକା ବେଳେ କୌଣସି ତୃଟିବିଚ୍ୟୁତି ଥିଲେ ଅନ୍ତତଃ ଖଣ୍ଡଗିରି ସବ-ରେଜିଷ୍ଟ୍ରାରଙ୍କ ସାମ୍ନାରେ ତ ଧରାପଡ଼ିଥାଆନ୍ତା। କିନ୍ତୁ ସବରେଜିଷ୍ଟ୍ରାର ମାଡାମ ଜାଲିଆତିକୁ ଧରିବା ତ ଦୂରର କଥା। ରେଜିଷ୍ଟ୍ରେସନର ସାତ ଦିନ ଯାଏ ଚୁପ୍ ବସିରହିଥିଲେ। ନକ୍ଷତ୍ର ନ୍ୟୁଜରେ ଖବର ପ୍ରସାରଣ ପରେ କାଳେ ନିଜେ ଫସିଯିବେ, ଚିରାଚରିତ ଢଙ୍ଗରେ ବଡ଼ଗଡ଼ ଥାନାକୁ ଖଣ୍ଡେ ଏତଲା ବଢ଼ାଇଦେଲେ। ଭାବିଲେ ଅନ୍ତତଃ ସେ ତ ଖସିଯିବେ। କାରଣ ଦଲିଲରେ ବିକ୍ରେତା ଓ କ୍ରେତାଙ୍କ ଘୋଷଣାନାମା ଯେହେତୁ ରହିଛି, ସମ୍ପତ୍ତିର ମାଲିକାନା, ଦଖଲ, ମୂଲ୍ୟ, ସତ୍ତ୍ୱ ବାବଦରେ କୌଣସି ଭୁଲ୍ ତଥ୍ୟ କି ଗୋପନ ରଖିଥିଲେ, ଉଭୟ ଦେଓ୍ୱାନୀ ଓ ଫୌଜଦାରୀ ଆଇନ ଅନୁସାରେ ଦାୟୀ ରହିବେ ବୋଲି ଉଲ୍ଲେଖ ଅଛି। ରାଜସ୍ୱ ମନ୍ତ୍ରୀ କହିସାରିଛନ୍ତି, ତଦନ୍ତ ଦାୟିତ୍ୱ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ ସିଂଙ୍କୁ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିଲେ ଏମିତିକା ଆକ୍ସନ ହେବ, ଲୋକେ କଳ୍ପନା କରିନଥିବେ। ଆଉ ମନ୍ତ୍ରୀଙ୍କ ମୁହଁରୁ ଏ କଥା ଶୁଣି ଛାନିଆ ହୋଇପଡ଼ିଲେଣି ସବ-ରେଜିଷ୍ଟ୍ରାର ଅର୍ଚ୍ଚନା ଗୌଡ଼। ଆରଓଆର ପ୍ରିଣ୍ଟ୍ ଲାଗି କୌଣସି ଷ୍ଟାଫ୍ ନିୟୋଜିତ କରିନଥିବାରୁ ସତ୍ତ୍ୱ ଜାଲିଆତି ଧରିହେଲାନି କହି ସବୁତକ ଦୋଷ ଠେଲିଦେଇଛନ୍ତି ଟେକ୍ନୋଲୋଜି ପାର୍ଟନର ଟେରାସିସ୍ ଜିଲ୍ଲା ସଂଯୋଜକ ପ୍ରଦୀପ୍ତ ନନ୍ଦଙ୍କ ଉପରେ। କର୍ତ୍ତବ୍ୟରେ ଅବହେଳାକୁ ଦାୟୀ କରି କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି ସବରେଜିଷ୍ଟ୍ରାର। ଏହାକୁ ନେଇ ରେରା ଆକ୍ଚିଭିଷ୍ଟ ବିମଳେନ୍ଦୁ ପ୍ରଧାନ ପ୍ରଶ୍ନ ଉଠାଇଛନ୍ତି। ଜଣେ ଆଉଟସୋର୍ସିଂ ଏଜେନ୍ସି ଉପରେ ବ୍ଲେମଗେମ୍ କୁ ନାପସନ୍ଦ କରିଛନ୍ତି। ଟେରାସିସ୍ ଯାହାକି ପୂର୍ବରୁ ଆଇଏଲ ଆଣ୍ଡ ଏଫଏସ ସଂସ୍ଥା ଥିଲା, ତାକୁ କେବଳ ରାଜସ୍ୱ ବିଭାଗ ପଞ୍ଜୀକରଣର ଡାଟାବେସ୍ ପରିଚାଳନା ଲାଗି ଦାୟିତ୍ୱ ଦେଇଛି। ସେ କେବଳ ଟେକ୍ନୋଲୋଜି ପାର୍ଟନର। ସବରେଜିଷ୍ଟ୍ରାରଙ୍କ ଏଭଳି କାରଣଦର୍ଶାଅ ନୋଟିସ କଅଣ ଇଙ୍ଗିତ କରୁଛି କି ଯେ, ଡକ୍ୟୁମେଣ୍ଟର ଯାଞ୍ଚ ଦାୟିତ୍ୱ ଓ ଭୂଲେଖ ଓ୍ୱେବସାଇଟକୁ ବି କଅଣ ସରକାର ଆଉଟସୋର୍ସିଂ ଏଜେନ୍ସି ହାତକୁ ଟେକିଦେଲେଣି କି। ଏଭଳି ଜାଲିଆତିରେ କଅଣ ପଞ୍ଜୀକରଣ ଅଧିକାରୀଙ୍କ କୌଣସି ଉତ୍ତରଦାୟିତ୍ୱ ନାହିଁ କି ବୋଲି ପଚାରିଛନ୍ତି ବିମଳେନ୍ଦୁ। ଭୂଲେଖ ଓ୍ୱେବସାଇଟକୁ କାହିଁକି ଯାଇ ଜମିର ସତ୍ତ୍ୱକୁ ନିରୀକ୍ଷଣ କଲେନି ସବରେଜିଷ୍ଟ୍ରାର। ଆଖି ବୁଜି ଦଲିଲରେ ମୋହର ମାରିଦେଲେ। ସେପଟେ ବୁଦ୍ଧିଜୀବିଙ୍କ କହିବା କଥା, ଉଭୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ ସିଂ ଜିରାରୁ ଶିରା କାଢ଼ିବା ଲୋକ। ବୋଧହୁଏ ଏ କଥା ଭୁଲିଯାଇଛନ୍ତି କି ଅର୍ଚ୍ଚନା ଗୌଡ଼। ଜ୍ଞାତସାରରେ ହୋଇନି ବୋଲି ସଫେଇ ଦେବାକୁ ପ୍ରୟାସ କଲେ ବି ପୁରା ବ୍ୟବସ୍ଥାକୁ ଅଙ୍ଗୁଳି ଉଠିବ। ସେଥିଲାଗି ତ ରାଜସ୍ୱ ମନ୍ତ୍ରୀ କହିସାରିଲେଣି, ଏମିତି ଆକ୍ସନ ହେବ, ଯାହା କେହି କଳ୍ପନା କରିନଥିବେ। ଆଗରୁ ବି ମନ୍ତ୍ରୀ ସବରେଜିଷ୍ଟ୍ରାର ସମ୍ମିଳନୀରେ ସଙ୍କେତ ଦେଇଥିଲେ, କେହି ଶୀଘ୍ର ତ କେହି ବିଳମ୍ୱରେ ଧରାପଡ଼ୁଛନ୍ତି। କିନ୍ତୁ ଏ ସରକାରରେ ଜାଲିଆତି କରି କେହି ଖସିଯିବେ, ଏ କଥା ତ ବିଲକୁଲ ହୋଇପାରିବନି। ଅଫିସର ରାଜ ନୁହେଁ। ଲୋକଙ୍କ ସରକାରରେ ଲୋକ ହିଁ ମାଲିକ। ଯେଉଁଠି ସ୍ୱଛତା, ପାରଦର୍ଶିତା ନାହିଁ। ଲୋକେ ଅଫିସରଙ୍କ ସେବାରେ ଅସନ୍ତୁଷ୍ଟ। ସେଠି ଅଫିସରଙ୍କୁ ନିସ୍ତାର ନାହିଁ । ଏଭଳି ସଫା ସଫା ଶୁଣାଇଦେଇଥିଲେ ମନ୍ତ୍ରୀ ଓ ସଚିବ। ବିଡ଼ମ୍ୱନା ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅର୍ଚ୍ଚନା ଗୌଡ଼ଙ୍କ କ୍ଷେତ୍ରରେ ଏହା ଯେମିତି ପ୍ରଜୁଯ୍ୟ ନୁହେଁ। ଆଉ କାଶୀପୁର ଜମି କେଳେଙ୍କାରୀରେ ବିକ୍ରେତା ଶିବାନୀଶଙ୍କର ରଥ ଓ ରେଜିଷ୍ଟ୍ରେସନରେ ମୋହର ମାରିଥିବା ସବ-ରେଜିଷ୍ଟ୍ରାର ଅର୍ଚ୍ଚନା ସେଥିଲାଗି ସନ୍ଦେହର ସ୍କାନରକୁ ଆସିବା ସ୍ୱାଭାବିକ କଥା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *