ପାଳିତ ଝିଅକୁ ଅମାନୁଷିକ ମାଡ଼ ମାରିଲେ ଡାକ୍ତର ବାପା। ଆଉ ମାଆ ବି ସବୁ ନୀରବରେ ଦେଖୁଥିଲେ। ଚଣ୍ଡୀଗଡ଼ ପିଜିଆଇରେ ଡାକ୍ତର ଦମ୍ପତ୍ତିଙ୍କ ଏଭଳି ବର୍ବରତାର ଭିଡ଼ିଓ ଭାଇରାଲ ହୋଇଛି। ସିମଲାରେ ପିଲାଟି ପ୍ରତି ଏଭଳି ଅମାନୁଷିକ ଦଣ୍ଡର ସିସିଟିଭି ଭିଡ଼ିଓ ସାମ୍ନାକୁ ଆସିବା ପରେ ହରଡ଼ଘଣାରେ ପଡିଛନ୍ତି ଡାକ୍ତର ଦମ୍ପତ୍ତି। ୧୩ ବର୍ଷର ଝିଅଟି ଯେତେ କାକୁତିମିନତି ହେଲେ ବି ଡାକ୍ତରଙ୍କ ରାଗ ପଞ୍ଚମକୁ ଚଢ଼ିଯାଇଥିଲା। ପତ୍ନୀ ଓ ଝିଅ ସହ ସିମଲା ଯାଇଥିଲା ବେଳେ ଡାକ୍ତରଙ୍କ ଏ ରୂପ ଓ ତାଙ୍କ ପତ୍ନୀଙ୍କ ସମର୍ଥନର ସିସିଟିଭି ଫୁଟେଜ୍ ଭାଇରାଲ ହୋଇଛି। ଝିଅଟିର ମୁଣ୍ଡକୁ ବାଡ଼ିରେ ପିଟିଥିଲେ ଡାକ୍ତର। ଚାପୁଡା ପରେ ଚାପୁଡା ନାଦିଦେଇଗଲେ। ଝିଅଟି ନିଜକୁ ବଞ୍ଚାଇବାକୁ ଦୌଡ଼ିବାରୁ ଡାକ୍ତର ତାକୁ ଧରିପକାଇ ଆହୁରି ପିଟିଥିଲେ। ଡାକ୍ତରଙ୍କ ପତ୍ନୀ ସେଠାରେ ଥାଇ ବି ଝିଅକୁ ବାପା ମାଡ଼ରୁ ରକ୍ଷା କରିବା ବଦଳରେ ପାଲଟା ଝିଅଟି ଦୌଡ଼ିବା ବେଳେ ତାକୁ ଧରିଥିଲେ। ମେ ୧୪ର ଘଟଣା। କିନ୍ତୁ ଏବେ ଏହାର ଭିଡ଼ିଓ ଭାଇରାଲ ହୋଇଛି। ପିଜିଆଇ ପ୍ରଶାସନର ନଜରକୁ ଏ ଘଟଣା ଆସିବା ପରେ ଦମ୍ପତ୍ତିଙ୍କ ବିରୁଦ୍ଧରେ ଆକ୍ସନ ଲାଗି ଅଭିଯୋଗ କରିଛି। ମାମଲାର ଅଭିଯୋଗ ଚାଇଲଡ ହେଲ୍ପଲାଇନ ୧୦୯୮, ଚଣ୍ଡୀଗଡ଼ ପ୍ରଶାସନ, ମୁଖ୍ୟ ସଚିବ ରାଜୀବ ବର୍ମା ଓ ପ୍ରଶାସକ ଗୁଲାବଚନ୍ଦ କଟରିଆଙ୍କ ପାଖରେ ବି ପହଞ୍ଚିଛି। ପିଜିଆଇ ପ୍ରଶାସନ ଯଦିଓ କହିଛି, ଏହା ପରିବାରର ଆପୋଷ ମାମଲା। କିନ୍ତୁ ତଦନ୍ତରେ ପ୍ରଶାସନ ସବୁପ୍ରକାର ସହଯୋଗ କରିବ ବୋଲି କହିଛି। ୩ ବର୍ଷର ହୋଇଥିବା ବେଳେ ଝିଅଟିକୁ ଗ୍ରହଣ କରିଥିଲେ ଡାକ୍ତର ଦମ୍ପତ୍ତି। ମେ ୧୪ରେ ପୁରା ପରିବାର ସିମଲା ଯାଇଥିଲେ। କାରଣ ସିମଲା ଡାକ୍ତରଙ୍କ ଶ୍ୱଶୁର ଘର। ଏ ଘଟଣା ପରେ ଡାକ୍ତର ଦମ୍ପତ୍ତିଙ୍କୁ ଚାଇଲ୍ଡ ଓ୍ୱେଲଫେୟାର କମିଟି ବା ସିଡବ୍ଲୁସିରେ ହାଜର କରାଯାଇଥିଲା। ତାହା ସହ ମାରଧର ହୋଇଥିବା କମିଟି ଆଗରେ ମାନିଥିଲା ଝିଅଟି। କିନ୍ତୁ ବାପା ମାଆଙ୍କ ସହ ରହିବାକୁ ଚାହୁଁଛି ବୋଲି କହିଛି ଝିଅ। ଡାକ୍ତର ଦମ୍ପତ୍ତି ବି ମାଡପିଟ କଥାକୁ ସ୍ୱୀକାର କରିଛନ୍ତି। ଜୁନ୍ ୨୪ରେ ଆଉ ଥରେ ଡାକ୍ତର ଦମ୍ପତ୍ତି ସିଡବ୍ଲୁସି ଆଗରେ ହାଜର ହେବାକୁ ନିର୍ଦେଶ ଦେବା ସହ ପୁଲିସ ଏତଲା ରୁଜୁ କରିବାକୁ ନିର୍ଦେଶ ଦିଆଯାଇଛି। ସ୍କୁଲରେ ପିଲାଟିର ପାଠପଢ଼ା, ବ୍ୟବହାର ସମ୍ୱନ୍ଧୀୟ ରିପୋର୍ଟ ତଲବ କରାଯାଇଛି। ସ୍କୁଲ ରିପୋର୍ଟ, ପଡ଼ୋଶୀଙ୍କ ତଥ୍ୟ ଆଧାରରେ ହିଁ ପିଲାଟିର କାଉନସେଲିଂ ହେବ। ଏହା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି କମିଟି। ଚଣ୍ଡୀଗଡ଼ ଶିଶୁ ସୁରକ୍ଷା ଆୟୋଗ ବି ଏ ଘଟଣାର ସଂଜ୍ଞାନ ନେଇଛନ୍ତି। ଆୟୋଗର ଅଧ୍ୟକ୍ଷା ସିପ୍ରା ବଂଶଲ ଏ ଘଟଣା ସହ ଜଡ଼ିତ ବିଭାଗରୁ ରିପୋର୍ଟ ମାଗିଛନ୍ତି। ସବୁ ତଥ୍ୟକୁ ସମୀକ୍ଷା ପରେ ଆବଶ୍ୟକୀୟ ଆକ୍ସନ ହେବ ବୋଲି କହିଛନ୍ତି।


Naxatra News is now on Whatsapp
Join and get latest news update delivered to you via whatsapp
Join Now