ଅଭିଯୁକ୍ତ ଅପହରଣକାରୀ- ଅତିରିକ୍ତ ଆଡ଼ଭୋକେଟ ଜେନେରାଲ?

ବିଜେପି ସାଂସଦଙ୍କ ପୁଅକୁ ଆଇନ ଅଧିକାରୀ ଭାବେ ନିଯୁକ୍ତିକୁ ନେଇ ବିବାଦ ଘମାସାନ ହେଲାଣି। ଯିଏ ଜଣେ ଆଇଏଏସ ଅଫିସରଙ୍କ ଝିଅକୁ ପିଛା କରିବା ଓ ଅପହରଣ ମାମଲାରେ ଅଭିଯୁକ୍ତ ଅଟନ୍ତି। ଆଉ ନିକଟରେ ଜାମିନ୍ ପାଇଛନ୍ତି। ବିଜେପିର ରାଜ୍ୟସଭା ସାଂସଦ ସୁବାଷ ବରାଲାଙ୍କ ପୁଅ ବିକାଶ ବରାଲା ହରିଆଣାର ଆଇଏଏସ ଅଫିସର ବିଏସ କୁଣ୍ଡୁଙ୍କ ଝିଅ ବର୍ଣ୍ଣିକା କୁଣ୍ଡୁଙ୍କ ସହ ଜଡ଼ିତ ହାଇ-ପ୍ରୋଫାଇଲ୍ ମାମଲାର ଅଭିଯୁକ୍ତ ଅଛନ୍ତି। ବରାଲା ଏହି ମାମଲାରେ ୫ ମାସ ଧରି ଜେଲରେ ଥିଲେ। କିନ୍ତୁ ବିକାଶଙ୍କୁ ଅତିରିକ୍ତ ଆଡ଼ଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦିଆଯାଇଛି। ଏହାକୁ ନେଇ ବିବାଦ ବଢ଼ିଛି। ପୀଡ଼ିତା ସୋସିଆଲ ମିଡିଆରେ ପୋଷ୍ଟ ଲେଖିକି କହିଛନ୍ତି, ଏହା କେବଳ ଏକ ରାଜନୈତିକ ନିଷ୍ପତ୍ତି ନୁହେଁ, ବରଂ ନୈତିକ ମୂଲ୍ୟବୋଧର ପରୀକ୍ଷା ଅଟେ। ପ୍ରଶ୍ନ ସେ ଅଧିକାରୀଙ୍କୁ ପଚାରିବା ଦରକାର, ଯିଏ ନୈତିକତା ଆଧାରରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ତାଙ୍କରି ମାମଲା ବର୍ଷ ବର୍ଷ ଧରି ଚାଲିଲା। ଜାତୀୟ ମିଡିଆରେ ଚର୍ଚ୍ଚା ଚାଲିଥିଲା। କିନ୍ତୁ କୌଣସି ଠୋସ୍ ପ୍ରଗତି ହେଲାନି। ୫ ବର୍ଷ ପରେ ବି ମାମଲା ଯେଉଁଠି ଥିଲା, ସେଇଠି ଅଟକି ରହିଛି। ନ୍ୟାୟପାଳିକା ଉପରେ ବିଶ୍ୱାସ ଅଛି। କିନ୍ତୁ ହିମ୍ମତ ଦୁର୍ବଳ ପଡ଼ିଯାଉଛି। ଅଗଷ୍ଟ ୨୦୧୭ ରାତିରେ ବର୍ଣ୍ଣିକାଙ୍କ ପିଛା କରି ଅପହରଣ ପ୍ରୟାସ ମାମଲାରେ ଅଭିଯୁକ୍ତ ଥିଲେ ବିକାଶ ବରାଲା। ବିକାଶ ଓ ତାଙ୍କ ବନ୍ଧୁ ଆଶିଷ ତାଙ୍କ ରାସ୍ତା ରୋକିବା ସହ ତାଙ୍କୁ ଅପହରଣ କରିବାକୁ ଗାଡ଼ିରେ ପଶିବାକୁ ଉଦ୍ୟମ କରିଥିଲେ। ଅକ୍ଟୋବରରେ ଔପଚାରିକ ଭାବରେ ଚାର୍ଜସିଟ୍ ଦାଖଲ ହେବା ପରେ ବିକାଶ ୫ ମାସରୁ ଅଧିକ ସମୟ ଜେଲରେ ଥିଲେ। ଚଣ୍ଡିଗଡ଼ର ସ୍ଥାନୀୟ କୋର୍ଟରେ ଏ ମାମଲା ଚାଲିଛି। କଂଗ୍ରେସ ବିଧାୟକ ଜର୍ସି ପେଟଓ୍ୱାଡ୍ ଓ ଆଦିତ୍ୟ ଚୌଟାଲା କହିଛନ୍ତି, ହରିଆଣାରେ ସହକାରୀ ଆଡ଼ଭୋକେଟ ଜେନେରାଲ ଭାବେ ବିକାଶ ନିଯୁକ୍ତି ପାଇଛନ୍ତି। ଏକ ଅପରାଧିକ ମାମଲାର ଯିଏ ସାମ୍ନା କରୁଛି, ସେ ବ୍ୟକ୍ତି କେମିତି ଆଇନର ଅଧିକାରୀ ସାଜିବେ। ବିଧି ଅଫିସରେ ଏଭଳି ନିଯୁକ୍ତି ଯଦି ହେଉଛି, ଆଇନ କେମିତି ମିଳିବ ସାଧାରଣଲୋକଙ୍କୁ। ଅପହରଣ, ଲୁଟ୍ ଓ ସଙ୍ଗୀନ ମାମଲାରେ ଲିପ୍ତ ଲୋକଙ୍କୁ ସରକାର ଅତିରିକ୍ତ ଆଡଭୋକେଟ ଜେନେରାଲ ଭଳି ସମ୍ୱେଦନଶୀଳ ପଦରେ ବସାଇବା କେତେଦୂର ଯୁକ୍ତିଯୁକ୍ତ। ଜନତାଙ୍କ ଆଖିରେ ଧୂଳି ପକାଇବା ସଦୃଶ। ଏଠାରେ ପରିବାରବାଦ ରାଜନୀତିକୁ ପ୍ରଶ୍ରୟ ଦେଉଛି ବିଜେପି। ହରିଆଣାର ମନ୍ତ୍ରୀ ରଣବୀର ଗଙ୍ଗଓ୍ୱା କହିଛନ୍ତି, ବିକାଶ ବରାଲାଙ୍କ ନିଯୁକ୍ତି ନିରପେକ୍ଷ ଅନୁସାରେ ହୋଇଛି। ଏହି ମାମଲାରେ ଏକ ସମିତି ଗଠନ ହୋଇଥିଲା। ଏହାର ଉଚିତ ଯାଞ୍ଚ ପରେ ହିଁ ବିକାଶଙ୍କୁ ନିଯୁକ୍ତି ଦିଆଯାଇଛି। କଂଗ୍ରେସ ଭଳି କାହାର ସୁପାରିଶ କାମ ଦିଏନା। ବିକାଶଙ୍କୁ ପଦରୁ ହଟାଇବାକୁ କୌଣସି ବିଚାର କରାଯାଉନି। ଦିଲ୍ଲୀରେ ହରିଆଣାର ବିଧି ପ୍ରକୋଷ୍ଠର ପ୍ରତିନିଧିତ୍ୱ କରୁଥିବା ୭ ଜଣିଆ ଅଫିସରଙ୍କ ଭିତରେ ବରାଲା ଅନ୍ୟତମ। ଯୌନ ଉତ୍ପୀଡ଼ନ ମାମଲାର ସାମ୍ନା କରୁଛନ୍ତି ବିକାଶ ବରାଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *