ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ

Spread the love

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ସିଂହବିଲା ମୂଷଳନଦୀ ନିକଟସ୍ଥ ବାଇପାସ୍ ରାସ୍ତା ପାର୍ଶ୍ୱରେ ମିଳିଥିବା ନାବାଳିକାର ମୃତଦେହର ପର୍ଦ୍ଦାଫାଶ କରିଛି ପୋଲିସ୍ । ସୂଚନା ଅନୁଯାୟୀ ଗତ ୧୮ ତାରିଖ ସୋମବାର ସକାଳ ସମୟରେ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅବସ୍ଥାରେ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର ହୋଇଥିଲା । ଯାହାକି ଏକ ଛାତିଥରା ଜଘନ୍ୟ ଘଟଣା ହୋଇଥିବାବେଳେ ଏ ଅଞ୍ଚଳର ଲୋକଙ୍କୁ ସ୍ତବ୍ଧ କରିଦେଇଥିଲା ।

ଘଟଣାକୁ ନେଇ ଜିଲ୍ଲା ଅରକ୍ଷୀ ଅଧିକ୍ଷ ନିତିନ କୁଶଲ କର ଡ଼ାଗୁଡୁଙ୍କ ନିର୍ଦ୍ଦେଶ କ୍ରମେ ସାଇଣ୍ଟିଫିକ୍ ଟିମ, ଘଟଗାଁ ଏସଡିପିଓ ଆଲୋକ କୁମାର ଜେନା, ହରିଚନ୍ଦନପୁର ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ବାର୍ଲା, ଅତିରିକ୍ତ ତହସିଲଦାର ବିରାମ କିସ୍କୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ । ଉକ୍ତ ଘଟଣାକୁ ନେଇ ଅଭିଯୁକ୍ତକୁ ଅଟକ ରଖି ମାରାଥନ୍ ଜେରା କରିବା ପରେ ଘଟଣାର ପର୍ଦ୍ଦାଫାଶ କରିଛି ହରିଚନ୍ଦନପୁର ପୋଲିସ ।

ମୃତ ନାବାଳିକା ଜଣଙ୍କ ଘସିପୁରା ଥାନା ମୁରାବାଲି ଗ୍ରାମ ୧୫ ନମ୍ବର ୱାର୍ଡର କୈଳାସ ମୁଖୀଙ୍କ ସାନ ଝିଅ ରଶ୍ମିତା(୧୫) ବୋଲି ଜଣାପଡିଛି । ଅଭିଯୁକ୍ତ ଯୁବକ ଜଣଙ୍କ ସେହି ଗ୍ରାମ ୧୪ ନମ୍ବର ୱାର୍ଡର ରବିନ୍ଦ୍ର ପାତ୍ରଙ୍କ ପୁଅ ପୁପୁନ ପାତ୍ର(୩୦) । କୈଳାସଙ୍କ ଦୁଇ ଝିଅ ବନିତା ଓ ରଶ୍ମିତା ତାମିଲନାଡୁର ଏକ ସୂତା କଳରେ କାମ କରନ୍ତି । ରଶ୍ମିତା ଟ୍ରେନରେ ଯାଜପୁର ପର୍ଯ୍ୟନ୍ତ ଆସି ସେଠାରୁ ଅଟୋରିକ୍ସାରେ ଆନନ୍ଦପୁର ମେଡ଼ିକାଲ ପର୍ଯ୍ୟନ୍ତ ଆସିଥିଲା । ସେହି ସମୟରେ ପୁପୁନ ସେଠାରେ ପହଞ୍ଚିଥିଲା । ମୁଖୀଙ୍କ ପରିବାର ସହ ପୁପୁନର ପୂର୍ବରୁ ଚିହ୍ନା ପରିଚୟ ଥିଲା । ରଶ୍ମିତା ଘରକୁ ଯିବା ପରିବର୍ତ୍ତେ ମାମୁଁ ଘର ହରିଚନ୍ଦନପୁର ଥାନା ଶଙ୍କରପୁର ଗ୍ରାମକୁ ଯିବା ପାଇଁ ପୁପୁନକୁ କହିଥିଲା । ପୁପୁନ ରଶ୍ମିତାକୁ ବାଇକ (ଓଡ଼ି ୦୯ ଏଚ ୧୫୮୩ )ରେ ବସାଇ ହରିଚନ୍ଦନପୁର ଅଭିମୁଖେ ଆସିଥିଲା । ହରିଚନ୍ଦନପୁର ବଜାର ପରିବର୍ତ୍ତେ ବାଇକଟି ବାଇପାସ ରାସ୍ତାରେ ନେବାବେଳେ ରଶ୍ମିତା ବିରୋଧ କରିଥିଲା । ବାଇପାସ ରାସ୍ତାର ମୁଷଳ ନଦୀ ପୂର୍ବ ଆପ୍ରୋଚ ରାସ୍ତା କଡରେ ପୁପୁନ ବାଇକ ରଖି ରଶ୍ମିତାକୁ ଶାରୀରିକ ସମ୍ପର୍କ ରଖିବାପାଇଁ ବାଧ୍ୟ କରିଥିଲା । ଏହାକୁ ରଶ୍ମିତା ବିରୋଧ କରିଥିଲା । ଫଳରେ ପୁପୁନ ରାଗିଯାଇ ରଶ୍ମିତାକୁ ରାସ୍ତାରୁ ତଳକୁ ଠେଲି ଦେଲା । ରଶ୍ମିତା ୨୫ ଫୁଟ ତଳକୁ ଖସି ପଡ଼ିଲା । ପୁପୁନ ତଳକୁ ଯାଇ ରଶ୍ମିତାକୁ ଧର୍ଷଣ କରିବାପରେ ତାର ଓଢଣୀରେ ବେକକୁ ଚିପି ହତ୍ୟା କରିଥିଲା । ଏଥିସହିତ ମୁଁହକୁ ପଥରେ ଛେଚି ପକାଇଥିଲା । ଘଟଣାର ସମସ୍ତ ତଥ୍ୟ ପ୍ରମାଣ ପାଇବା ପରେ ଥାନା କେଶ ନମ୍ବର ୧୦୦/୨୩ ଦଫା ୩୦୨, ୨୦୧, ୩୬୭(+୩), ୦୬ (ପୋସ୍କ ଆକ୍ଟ) ରୁଜୁ କରି ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି ପୋଲିସ୍ ।

Leave a Reply

Your email address will not be published. Required fields are marked *