ଯୌନ ଉତ୍ପୀଡ଼ନ ମାମଲାରେ ଦୋଷମୁକ୍ତ ହେଲେ ମାଲାୟାଲାମ ଅଭିନେତା ଦିଲ୍ଲୀପ। ୨୦୧୭ରେ ଜଣେ ମହିଳା ଅଭିନେତ୍ରୀଙ୍କୁ ଯୌନଶୋଷଣ ମାମଲାରେ ଦିଲ୍ଲୀପ ଅଭିଯୁକ୍ତ ଥିଲେ। କେରଳ କୋର୍ଟ ତାଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିନେତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ୮ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। କିନ୍ତୁ କେରଳର ଏର୍ଣ୍ଣାକୁଲମ କୋର୍ଟ ଆଜି ଦିଲ୍ଲୀପଙ୍କୁ ମୁକ୍ତ କରିଦେଇଛନ୍ତି। ଦିଲ୍ଲୀପ ଥିଲେ ଅଷ୍ଟମ ଅଭିଯୁକ୍ତ। ଦିଲ୍ଲୀପ ଅପରାଧ ଘଟାଇବା ପଛରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବାର ଆରୋପ ଲାଗିଥିଲା। କୋଚିସ୍ଥିତ ସେସନ ଜଜ ହନି ଏମ.ବର୍ଗିସ୍ ଦିଲ୍ଲୀପଙ୍କ ସମେତ ୨ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ଦୁଷ୍କର୍ମ ମାମଲାରେ ଅଦାଲତ ବାକି ୬ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଡିସେମ୍ୱର ୧୨ରେ ସଜ୍ଜା ଶୁଣାଇବେ। ଫେବୃଆରୀ ୧୭, ୨୦୧୭। ତାମିଲ ଓ ମାଲାୟାଲାମ ଫିଲ୍ମରେ କାମ କରୁଥିବା ଜଣେ ଅଭିନେତ୍ରୀଙ୍କୁ ଅପହରଣ କରି ଚଳନ୍ତା କାରରେ ୨ ଘଣ୍ଟା ଧରି ଗଣଦୁଷ୍କର୍ମ କରାଯାଇଥିଲା। ଏହି ଗଣଦୁଷ୍କର୍ମ ମାମଲାରେ ଅଭିନେତା ଦିଲ୍ଲୀପଙ୍କ ସମେତ ୮ ଅଭିଯୁକ୍ତଙ୍କ ନାଁ ସାମ୍ନାକୁ ଆସିଥିଲା। ଦିଲ୍ଲୀପ କିନ୍ତୁ ତାଙ୍କର ସଂପୃକ୍ତିକୁ ନେଇ ସବୁବେଳେ ଅସ୍ୱୀକାର କରି ଆସୁଥିଲେ। ୮ ବର୍ଷ ଧରି ଚାଲିଥିଲା ମାମଲା। ଏହି ହାଇପ୍ରୋଫାଇଲ ମାମଲାରେ ହିଷ୍ଟ୍ରିସିଟର ତଥା ଅଭ୍ୟାସଗତ ଅପରାଧୀ ପଲସର ସୁନି, ମାର୍ଟିନ ଆଣ୍ଟନିଙ୍କ ସମେତ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯୌନ ଉତ୍ପୀଡ଼ନ, ଅପରାଧିକ ଷଡ଼ଯନ୍ତ୍ର, ସାମୂହିକ ବଳାତ୍କାର, ସାକ୍ଷୀପ୍ରମାଣ ନଷ୍ଟ ଆଦି ଧାରାରେ ମାମଲା ହୋଇଥିଲା। ଏପ୍ରିଲ ୨୦୧୭ରେ ଅଭିଯୋଗପତ୍ର ଦାଏର ହୋଇଥିଲା ଓ ଜୁଲାଇରେ ଦିଲ୍ଲୀପଙ୍କୁ ଗିରଫ କରାଯାଇଥିଲା। ପୀଡ଼ିତା ଅଭିଯୋଗ କରିଥିଲେ ଯେ, ମୁଖ୍ୟ ଅଭିଯୁକ୍ତ ପଲସର ସୁନି ତାଙ୍କୁ ଜେଲରୁ ଚିଠି ପଠାଇଥିଲେ। ପୁରା ଅପରାଧିକ ଷଡ଼ଯନ୍ତ୍ର କରି ଘଟଣାକୁ ସାକାର କରିବାକୁ ପଲସର ସୁନିକୁ ଦିଲ୍ଲୀପ ଦେଢ଼ କୋଟି ଟଙ୍କା ଦେଇଥିବାର ଅଭିଯୋଗ ହୋଇଥିଲା। ୨୦୧୮ରେ କେରଳ ପୁଲିସ ବିରୁଦ୍ଧରେ ପକ୍ଷପାତିତା ଅଭିଯୋଗ ଆଣି ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରିଥିଲେ ଦିଲ୍ଲୀପ। ତେବେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ। ଅଭିଯୁକ୍ତ ତଦନ୍ତ ଏଜେନ୍ସି ଚୟନ କରିପାରିବେନି। ୨୦୨୧ରେ ଫିଲ୍ମ ନିର୍ମାତା ବାଲଚନ୍ଦ୍ର କୁମାରଙ୍କ ଦ୍ୱାରା ଦିଲ୍ଲୀପଙ୍କୁ ଆକ୍ରମଣର ଭିଜୁଆଲ୍ସ ପଦାକୁ ଆସିଥିଲା। ୨୦୨୨ରେ ଅଦାଲତ ହେପାଜତରେ ଥିବା ମେମୋରି କାର୍ଡକୁ ବେଆଇନ ଭାବେ ନଷ୍ଟ କରିବାର ଆରୋପ ଆସିଥିଲା। ଏହାକୁ ନେଇ ତଦନ୍ତ ଲାଗି ହାଇକୋର୍ଟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଥିଲେ। ମାମଲାରେ ମୋଟ୍ ୨୬୧ ସାକ୍ଷୀଙ୍କୁ ପଚରାଉଚୁରା ହୋଇଥିଲା। ଏଥିରେ ଫିଲ୍ମ ଉଦ୍ୟୋଗର ନାମକରା ବ୍ୟକ୍ତିତ୍ୱ ବି ଥିଲେ। ତଦନ୍ତ ଏଜେନ୍ସି ୧୦୯ ଦିନ ଯାଏଁ ପଚରାଉଚୁରା କରିଥିଲା। ଅଦାଲତ ୮୩୪ ଦସ୍ତାବିଜ୍ ଗ୍ରହଣ କରିଥିଲେ। ତେବେ ଏ ମାମଲାର ଦୁଇ ପ୍ରମୁଖ ସାକ୍ଷୀ ପୂର୍ବତନ ବିଧାୟକ ପିଟି ଥମାସ୍ ଓ ନିର୍ଦେଶକ ବାଲଚନ୍ଦ୍ର କୁମାରଙ୍କ ମକଦ୍ଦମା ଅବସରରେ ମୃତ୍ୟୁ ହୋଇଯାଇଛି। ଦିଲ୍ଲୀପଙ୍କ ଜାମିନ କେରଳ ହାଇକୋର୍ଟରେ ଦୁଇଥର ଖାରଜ ହୋଇଥିଲା। ଅକ୍ଟୋବରରେ ଜାମିନ ମିଳିବା ବେଳକୁ ସେ ୮୩ ଦିନ ଜେଲରେ ରହିସାରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now