ଜବାନଙ୍କୁ ଚୋର କହି ପିଟିଲେ- କାନ ପରଦା ଫଟାଇଦେଲା ପୁଲିସ!

ଫୌଜି ତ ସବୁ ଚୋର। ଏମିତି ଗାଳି ଦେଇ ଜଣେ ଏୟାରଫୋର୍ସ ଜବାନଙ୍କୁ ପୁଲିସ ପିଟିଛି। ଏମିତି ପିଟିଛି ଯେ, କାନର ପରଦା ଫଟାଇଦେଇଛି। କାନପୁରର ଘାଟମପୁର ଥାନା ଏରିଆରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୀଡ଼ିତଙ୍କ ମାଆ କାନପୁର ଡିସିପି ସାଉଥ ଅଫିସରେ ପହଞ୍ଚି ଏତଲା ଦେଇଛନ୍ତି। ଗଲା ୩ ଦିନ ହେଲା ଜବାନଙ୍କ ଚିକିତ୍ସା କାନପୁର ଏୟାରଫୋର୍ସ ହସ୍ପିଟାଲରେ ଚାଲିଛି। ବାୟୁସେନାରେ ଜବାନ ଥିବା ନୀତିଶ ସଚାନ ଗଲା ୧୯ ତାରିଖରେ ଜଣେ ସମ୍ପର୍କୀୟଙ୍କ ବିବାହରେ ସାମିଲ୍ ହେବାକୁ ଆସିଥିଲେ। ରାତି ପ୍ରାୟ ସାଢ଼େ ୧୧ଟା ବେଳେ ମୁସାନଗର ରୋଡ ସ୍ଥିତ ଗେଷ୍ଟହାଉସରେ ଚାଲି ଚାଲି ଫେରୁଥିଲା ବେଳେ ଘାଟମପୁର ଥାନାର ପିସିଆର ଟିମ୍ ତାଙ୍କୁ ପଚରାଉଚୁରା କରିଥିଲା। କିନ୍ତୁ ଅଚାନକ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲା ପୁଲିସ। ବିରୋଧ କରିବାରୁ ତାଙ୍କର ମୋବାଇଲ ଛଡ଼ାଇ ନେଇଥିଲେ ଓ ଜବରଦସ୍ତି ଭ୍ୟାନରେ ବସାଇ ଥାନାକୁ ନେଇଯାଇଥିଲେ। ଥାନା ହାଜତରେ ପୁରାଇ ତାଙ୍କୁ ନିସ୍ତୁକ ପିଟିଥିଲେ। ଗାଲକୁ ଗାଲକୁ ୫୦ରୁ ଅଧିକ ଚାପୁଡ଼ା ମାରିବାରୁ ତାଙ୍କ କାନର ପରଦା ଫାଟିଯାଇଛି। ପୁଲିସ ଏଭଳି କାଣ୍ଡ ଭିଆଇ ତାଙ୍କୁ ଘାଟମପୁର ସିଏଚସିକୁ ନେଇଥିଲା। ସେଠାରୁ କାନପୁରକୁ ରେଫର କରିଦିଆଯାଇଥିଲା। କିନ୍ତୁ ପରିଜନଙ୍କ ଆରୋପ ଯେ, ପୁଲିସ ଆଗ ଚିକିତ୍ସା ଲାଗି ନେଇନଥିଲା। ଶାନ୍ତି ଭଙ୍ଗ କରିବା କାର୍ଯାନୁଷ୍ଠାନରେ ତାଙ୍କୁ ଛାଡ଼ି ଦେଇଥିଲା। ଏହା ପରେ ପରିବାର ଲୋକେ ତାଙ୍କୁ କାନପୁରସ୍ଥିତ ସେଭେନ ଏୟାରଫୋର୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତଦନ୍ତରୁ କାନର ପରଦା ଫାଟିଥିବା କଥା ପୁଷ୍ଟି ହୋଇଛି। କାନପୁର ଡିସିପି ଦୀପେନ୍ଦ୍ର ନାଥ ଚୌଧୁରୀ କହିଛନ୍ତି, ଘଟଣାର ତଦନ୍ତ ଭାର ଏଡିସିପି ଯୋଗେଶ କୁମାରଙ୍କୁ ଦିଆଯାଇଛି। ରିପୋର୍ଟ ଆସିଲେ ଦୋଷୀ ପୁଲିସ କର୍ମୀଙ୍କ ବିରୁଦ୍ଧରେ ଆକ୍ସନ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *