ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ- ଆସିଲା କୋର୍ଟ ରାୟ

ବହୁ ଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡକୁ ନେଇ ଆସିଲା ରାୟ। ୨ ବର୍ଷ ୮ ମାସ ପରେ କୋଟଦ୍ୱାର କୋର୍ଟ ଶୁଣାଇଲେ ରାୟ। ୯୭ ସାକ୍ଷୀ, ୫ଶହ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଥିଲା। ଏହି ହାଇପ୍ରୋଫାଇଲ୍ ମାମଲାରେ ଅନେକ ମୋଡ଼ ଆସିଥିଲା। ଏହି ରାୟକୁ ନେଇ ପୁରା ଦେଶର ନଜର ଥିଲା। ଏହି ମାମଲାରେ ତିନି ମୁଖ୍ୟ ଅଭିଯୁକ୍ତ ଥିଲେ। ପୁଲକିତ ଆର୍ଯ୍ୟ, ସୌରଭ ଭାସ୍କର ଓ ଅଙ୍କିତ ଗୁପ୍ତା। ପୁଲକିତ ଆର୍ଯ୍ୟ ବନ୍ତାରା ରିସୋର୍ଟର ମାଲିକ ଥିଲେ। ସେପ୍ଟେମ୍ୱର ୧୮, ୨୦୨୨ରେ ଅଙ୍କିତା ଏହି ରିସୋର୍ଟରୁ ରହସ୍ୟମୟ ଭାବେ ନିଖୋଜ ହୋଇଯାଇଥିଲେ। ଅଙ୍କିତା ଏହି ରିସୋର୍ଟରେ ରିସପସିନଷ୍ଟ ଭାବେ କାମ କରୁଥିଲେ। ନିଖୋଜର ୫ ଦିନ ପରେ ଋଷିକେଶ ନଦୀର ପାଖ ଚିଲ୍ଲା ନାଳରୁ ଅଙ୍କିତାଙ୍କ ମୃତଦେହ ମିଳିଥିଲା। ଏହି ଘଟଣାକୁ ନେଇ ପୁରା ଉତ୍ତରାଖଣ୍ଡରେ ଆକ୍ରୋଶ ସୃଷ୍ଟି ହୋଇଥିଲା। ପୁଲକିତ ଆର୍ଯ୍ୟ ଉପରେ ହତ୍ୟା, ସାକ୍ଷୀ ନଷ୍ଟ, ଅସଦାଚରଣ, ଅନୈତିକ ଦେହବେପାର ନିବାରଣ ଅଧିନିୟମ ଆଧାରରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ଅନ୍ୟ ଦୁଇ ଅଭିଯୁକ୍ତ ସୌରଭ ଓ ଅଙ୍କିତଙ୍କ ଉପରେ ହତ୍ୟା ଓ ଅନୈତିକ କାମରେ ସହଯୋଗର ଆରୋପ ରହିଛି। ଏହି ମାମଲାର ଯାଞ୍ଚ ଲାଗି ଏସଆଇଟି ଗଠନ ହୋଇଥିଲା। ଏସଆଇଟି ୫ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ଯେଉଁଥିରେ ୯୭ ସାକ୍ଷୀଙ୍କ ନାଁ ଥିଲା। ଆଉ ୪୭ ସାକ୍ଷୀଙ୍କ ସାକ୍ଷ୍ୟ ନିଆଯାଇଥିଲା। ରିସୋର୍ଟରେ କାମ କରିବା ବେଳେ ଭିଆଇପି ଅତିଥିଙ୍କୁ ଏକ୍ସଟ୍ରା ସର୍ଭିସ ଦେବାକୁ ରିସୋର୍ଟ ମାଲିକ ପୁଲକିତ ଅଙ୍କିତାଙ୍କୁ ବାଧ୍ୟ କରୁଥିଲେ। ଅଙ୍କିତା ଏହା କରିବାକୁ ମନା କରିଦେବା ପରେ ବିବାଦ ଆରମ୍ଭ ହୋଇଥିଲା। ଏହି ତିନି ଅଭିଯୁକ୍ତ ଅଙ୍କିତାଙ୍କୁ ଚିଲ୍ଲା ନଦୀରେ ଧକା ଦେଇ ହତ୍ୟା କରିଥିଲେ। ତିନି ଅଭିଯୁକ୍ତ ଜେଲରେ ଅଛନ୍ତି। ରାୟ ଆସିବା ଆଗରୁ ଅଙ୍କିତାଙ୍କ ବାପା ବୀରେନ୍ଦ୍ର ସିଂ ଭଣ୍ଡାରୀ ଅପିଲ୍ କରିଥିଲେ କି,ତାଙ୍କ ଝିଅର ହତ୍ୟାକାରୀଙ୍କୁ ଫାଶୀ ମିଳୁ। ଭିଆଇପି ଅଜୟ କୁମାରକୁ ସରକାର ରାଜନୀତିକ ସଂରକ୍ଷଣ ଦେଇଥିବାର ଆରୋପ ବି ଲଦିଥିଲେ। ଶେଷରେ ୩୨ ମାସ ପରେ ରାୟ ଶୁଣାଇଲେ କୋର୍ଟ। ଏଡିଜେ ଜଷ୍ଟିସ ରୀନା ନେଗି ଏହାର ରାୟ ଶୁଣାଇଛନ୍ତି। ତିନି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ଯସ୍ତ କରିଛନ୍ତି କୋର୍ଟ। ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡ ଦେଇଛନ୍ତି ଅଦାଲତ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *