ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛରେ ବଡ ରାଜନେତାଙ୍କ ହାତ!

ପୁରୀ: ପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର କୁମାର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ l ଦୁଇଟି ଫୋନରେ ଥିବା ଭିଡ଼ିଓକୁ ନେଇ ଚର୍ଚ୍ଚା l ସୋସିଆଲ ମିଡ଼ିଆରେ ମୃତ୍ୟୁ ପୂର୍ବରୁ ପୋଷ୍ଟ କରିଥିଲେ ଧର୍ମେନ୍ଦ୍ର l ସେପଟେ ପରିବାର ଓ ସମ୍ପର୍କୀୟଙ୍କ ବିଭିନ୍ନ ମନ୍ତବ୍ୟ ପରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ପୋଲିସ l

ଜୀବନ ହାରିଲେ ପୁରୀ ଜିଲ୍ଲା ଗୋପର ୧୧ ନମ୍ୱର ଜୋନ ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ l ମୃତ୍ୟୁ ପଛରେ ବଡ଼ ରାଜନେତାଙ୍କ ହାତ ଥିବା ସନ୍ଦେହ!  ଦୁଇ ମୋବାଇଲ ଖୋଲିବ ମୃତ୍ୟୁ ପଛର ରହସ୍ୟ! ଶନିବାର ସକାଳ ସମୟରେ ଭୁବନେଶ୍ୱର ଶିଶୁପାଳଗଡ଼ ଲକ୍ଷ୍ମୀବିହାରସ୍ଥିତ ସମ୍ପର୍କୀୟଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ଉଦ୍ଧାର କରିଛି ପୁଲିସ। କିନ୍ତୁ ମୃତ୍ୟୁ ପୂର୍ବର ସୋସିଆଲ ମିଡ଼ିଆ ପୋଷ୍ଟ ସମସ୍ତଙ୍କୁ ଚକିତ କରିଛି l ଯାହାକୁ ନେଇ ପୁରା ରହସ୍ୟ ଘେରରେ ଛନ୍ଦି ହୋଇଯାଇଛି ଆତ୍ମହତ୍ୟା ଘଟଣା।

ପାରିବାରିକ କଳହ, ଆର୍ଥିକ ସମସ୍ୟା, ବ୍ୟବସାୟିକ କ୍ଷତି, ରାଜନୈତିକ ବିବାଦ ନା ଆଉ କିଛି। ଏ ସବୁ ଦିଗକୁ ତର୍ଜମା କରୁଛି ପୁଲିସ। ଜିଲ୍ଲା ପରିଷଦଙ୍କ ଆତ୍ମହତ୍ୟା ଯେତିକି ରହସ୍ୟ ଲାଗୁଛି, ତାଠୁ ଅଧିକ ରହସ୍ୟ ଲାଗୁଚି ତାଙ୍କ ମୋବାଇଲ ରେ ଥିବା ଭିଡିଓ। କେବଳ ଭିଡ଼ିଓ ନୁହେଁ, ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡ଼ିଆରେ ଏମିତି କିଛି ଲେଖିଥିବା କଥାକୁ ନେଇ ନାନା ସନ୍ଦେହ ଉଠୁଛି।

ତେବେ ତାଙ୍କ ମୋବାଇଲରେ ଥିବା ସବୁ ଭିଡିଓକୁ ଲୋକ ଲୋଚନକୁ ଆଣିବାକୁ ଧର୍ମେନ୍ଦ୍ର ତାଙ୍କ ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଥିଲେ। ଏମିତି କଣ ଅଛି ସେହି ଭିଡିଓରେ? କଣ କୌଣସି ବଡ ବଡିଆଙ୍କ କାରନାମା ତାଙ୍କ ମୋବାଇଲରେ ସେ କଏଦ କରିଛନ୍ତି? ପୋଲିସ ମୋବାଇଲ ପାଇବା ବେଳକୁ ଡିଲିଟ ହୋଇଯିବନି ତ ସେହି ଭିଡିଓ ତାକୁ ନେଇ ଉଠିଛି ପ୍ରଶ୍ନ। ତେବେ ବହୁ ଖୋଜା ଖୋଜି ପରେ ସଂଧ୍ୟାରେ ଧର୍ମେନ୍ଦ୍ରଙ୍କ ମୋବାଇଲ ମିଳିଛି।

 ଆତ୍ମହତ୍ୟା ପୂର୍ବରୁ ସିସିଟିଭିରେ କଏଦ ହୋଇଥିଲା ଶେଷ ଦୃଶ୍ୟ। ରାତି ୨ଟା ୪୮ ରେ କାର୍‌ ଉପରେ ଚଢ଼ୁଥିଲେ ଧର୍ମେନ୍ଦ୍ର। ଶିଶୁପାଳ ଗଡ଼ ଲକ୍ଷ୍ମୀବିହାର ଅଞ୍ଚଳରେ ପତ୍ନୀ ଓ ଛୁଆଙ୍କ ସହ ରହୁଥିଲେ ଧର୍ମେନ୍ଦ୍ର। କୌଣସି କାରଣରୁ ୧୫ ଦିନ ତଳେ ଘରେ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ତିନିଦିନ ହେବ ଶିଶୁପାଳ ସ୍ଥିତ ଘରକୁ ଆସିଥିଲେ। ଶୁକ୍ରବାର ରାତିରେ ତାଙ୍କ ପତ୍ନୀଙ୍କ ସହ ଝଗଡ଼ା ହେବାରୁ ପତ୍ନୀ ବିଳମ୍ୱିତ ରାତିରେ ବାପ ଘରକୁ ପଳାଇଥିଲେ।

ବୋଧହୁଏ ଏକୁଟିଆର ସୁଯୋଗ ପାଇ ଏଭଳି ଚରମ ନିଷ୍ପତ୍ତି ନେଇଗଲେ ଧର୍ମେନ୍ଦ୍ର। ତେବେ କେଉଁ କାରଣ ପାଇଁ। ଏହାର ଖୋଳତାଡ଼ ଆରମ୍ଭ କରିଛି ପୁଲିସ। ଘଟଣାକୁ ଚାପିଦେବା କି କାହାର ସଂପୃକ୍ତିକୁ ଘୋଡ଼ାଇବା ପ୍ରଶ୍ନ ଉଠୁନି ବୋଲି ସ୍ପଷ୍ଟ କରିଛି ପୁଲିସ।

ମୃତକ ଧର୍ମେନ୍ଦ୍ର ସାହୁ ନିମାପଡା ନିର୍ବାଚନମଣ୍ଡଳୀର ହୋଇଥିବାରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କ୍ୟାପିଟାଲ ହସ୍ପିଟାଲ ସହ ଶିଶୁପାଳଗଡ଼ ଘରେ ପହଁଚି ଶେଷ ଦର୍ଶନ କରିବା ସହ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

ସିମ୍ପୁଲ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *