ଅଯୋଧ୍ୟାରେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ- ହତ୍ୟା

ୟୁପିର ଅଯୋଧ୍ୟା ଅନ୍ତର୍ଗତ ସହାନାଓ୍ୱା ଗାଁ ବାହାରେ ଥିବା ଡ୍ରେନରୁ ଦଳିତ ଯୁବତୀଙ୍କ ଉଲଗ୍ନ ମୃତଦେହ ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇଛି। ଗଣଦୁଷ୍କର୍ମ ସହ ହତ୍ୟାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଅପରାଧୀଙ୍କ କୌଣସି ରାଜନୈତିକ ଦଳ ସହ ଲିଂକ ନଥିବା ସ୍ପଷ୍ଟ କରିଛି ପୁଲିସ। ମୁଖ୍ୟ ଅଭିଯୁକ୍ତ ଦିଗବିଜୟ ସିଂଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତ ମାନେ ହେଲେ ବିଜୟ ସାହୁ ଓ ହରି ରାମ କୋରି। ସମସ୍ତ ଅଭିଯୁକ୍ତ ସହାନାଓ୍ୱା ଗାଁର। ନିଶାଗ୍ରସ୍ତ ଅବସ୍ଥାରେ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିଲେ। ପୁଲିସକୁ ଭ୍ରମିତ କରିବାକୁ ଆରମ୍ଭରୁ ଅଭିଯୁକ୍ତ କାରସାଦି କରିଥିଲେ। ଗାଁର ଏକ ସ୍କୁଲରେ ହିଁ ହତ୍ୟା କରିଥିଲେ। ହତ୍ୟା କରି ନାଳରେ ଶବ ଫିଙ୍ଗିଦେଇଥିଲେ।

ଜାନୁଆରୀ ୩୦ ରାତିର ଘଟଣା। ରାତି ୧୧ଟା ଯାଏ ଯୁବତୀ ଜଣକ ଘରକୁ ଫେରିନଥିଲେ। ପରିବାର ଲୋକେ ଖୋଜାଖୋଜି କରି ନ ପାଇବାରୁ ଶୁକ୍ରବାର ଏତଲା ଦେଇଥିଲେ। ଶନିବାର ସକାଳେ ଗାଁ ବାହାରେ ଥିବା ଏକ ଶୁଖିଲା ନାଳରୁ ମିଳିଥିଲା ଶବ। ଦେହସାରା କ୍ଷତବିକ୍ଷତ ଚିହ୍ନ ସହ ଆଖି ବାହାରିଯାଇଥିଲା। ହାତଗୋଡ଼ ବନ୍ଧା ଯାଇଥିଲା। ଭାଙ୍ଗିଯାଇଥିଲା ହାତଗୋଡ଼।ରବିବାର ଫୈଜାବାଦର ସପା ସାଂସଦ ଅଓ୍ୱଧେଶ ପ୍ରସାଦ ପ୍ରେସମିଟ୍ କରି ପୀଡ଼ିତ ପରିବାରକୁ ନ୍ୟାୟ ନ ମିଳିଲେ ନିଜ ଆସନରୁ ଇସ୍ତଫା ଦେବେ ବୋଲି କହିଥିଲେ। ପ୍ରେସମିଟରେ ଭୋ ଭୋ କାନ୍ଦିଥିଲେ ସାଂସଦ। ମଥା ପିଟି କହିଥିଲେ ପ୍ରଭୂ ରାମ କେଉଁଠି। ଆଉ ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଏହା ନାଟକବାଜି। ଝିଅଟିର ହତ୍ୟାରେ ସପାର ହିଁ ହାତ ଥିବ। ଏମାନେ ସୁଧୁରିବେନି। ପୁଅକୁ ମିଲ୍ଲିପୁର ବିଧାନସଭା ଉପନିର୍ବାଚନରେ ଜିତାଇବାକୁ ଅଓ୍ୱଧେଶ ଡ୍ରାମା କରୁଛନ୍ତି ବୋଲି କହିଥିଲେ ମହିଳା ଆୟୋଗ ସଦସ୍ୟା ପ୍ରିୟଙ୍କା ମୌର୍ଯ୍ୟ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବି ସୋସିଆଲ ମିଡ଼ିଆରେ ବିଜେପିର ଜଙ୍ଗଲରାଜରେ ଦଳିତ ଆଦିବାସୀ ଓ ଗରିବଙ୍କ ଚିତ୍କାର ଶୁଭେନି ବୋଲି କହିଛନ୍ତି।

୪ ଭଉଣୀରେ ତୃତୀୟ ଭଉଣୀ ଥିଲେ ପୀଡ଼ିତା। ପୀଡ଼ିତା ପରିବାରକୁ ଉପଜିଲ୍ଲାପାଳ ପ୍ରଶାସନ ପକ୍ଷରୁ ପ୍ରାଥମିକ ଅବସ୍ଥାରେ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି। ଅଭିଯୁକ୍ତଙ୍କୁ ଧରିବାକୁ ୭ଟି ଟିମ୍ ଗଠନ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *