ଟ୍ରକ୍ ରେ ଚୋରା ଚାଲାଣ ହେଉଥିବା୯୨ଠ କେଜି ଗଂଜେଇ ଜବତ କଲା ବଲାଙ୍ଗୀର ପୋଲିସ , ଡ୍ରଇଭର ସମେତ ୩ ଫେରାର୍, ଜଣେ ଅଟକ

Spread the love

ବଲାଙ୍ଗିର : କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗୀର ଟାଉନ ଥାନା ଆଇଆଇସି ବିଶ୍ୱଜିତ ମନବୋଧଙ୍କ ନେତୃତ୍ୱରେ ପୋଲିସ ଇନିସପେକ୍ଟର କେ.କେ. ଜାନି. ଏସ୍.କେ. ବାରିକ, ବି.ଡି ବିଶ୍ୱାଲ ଓ ଅନ୍ୟ ମାନେ ଏକ ଗଂଜେଇ ବୋଝେଇ ଟ୍ରକକୁ ଉଦ୍ଧାର କରିବା ସହ ବିପୁଳ ପରିମାଣର ଗଂଜେଇ ଜବତ କରିଛନ୍ତି । ଆଜି ସଂଧ୍ୟା ପ୍ରାୟ ୫ଟା ୩ଠ ମିନିଟ ସମୟରେ ବଲାଙ୍ଗୀର ଜାତୀୟ ରାଜପଥ ନମ୍ବର ୨୬ ସମ୍ବଲପୁର ରୋଡର ଯୁବୋଦୟ କଲେଜ ପାଖରେ ଏହି ଚୋରା ଚାଲାଣ ହେଉଥିବା ଗଂଜେଇ ବୋଝେଇ ଟ୍ରକ(ଡବ୍ଲୁ ବି ୧୪ ଡି-୫୯୬୧)କୁ ଠାବ କରିଛି ବଲାଙ୍ଗୀର ପୋଲିସ ।ଏ ସଂକ୍ରାନ୍ତରେ ଜଣେ ବ୍ୟକ୍ତି ବୀରେନ୍ଦ୍ର ସିଂହ(୫୩) କୁ ସନ୍ଦେହରେ ଅଟକ ରଖାଯିବା ସହ ୪ଠଠ ଟଙ୍କା ଜବତ କରାଯାଇଛି । ବୀରେନ୍ଦ୍ର ଙ୍କ ଘର ବିହାର ରାଜ୍ୟ ସିରୱାନ ଜିଲ୍ଲା ଅଲିପୁର ଅଂଚଳର ବୋଲି ପୋଲିସ ସୂଚନା ଦେଇଛି । ଟ୍ରକ୍ ର ଡ୍ରାଇଭର ସମେତ ତିନି ଜଣ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର୍ ମାରିଛନ୍ତି । ଆଜି ସଂଧ୍ୟାରେ ଏ ସମସ୍ତ ଘଟଣା ସଂପର୍କରେ ଏକ ପ୍ରେସ୍ ମିଟ୍ ମାଧ୍ୟମରେ ବଲାଙ୍ଗୀର ଏସ୍ପି ଋଷିକେଶ ଖିଲାର

ସୂଚନା ଦେଇଛନ୍ତି । ତେବେ ମାଜିଷ୍ଟ୍ରେଟ୍ ଓ ସାକ୍ଷୀଙ୍କ ଉପସ୍ଥିତିରେ ଜବତ ସାମଗ୍ରୀକୁ ଖୋଲାଯାଇଛି । ଜବତ ଗଂଜେଇର ପରିମାଣ ପ୍ରାୟ ୯୨ଠ କେଜି ହେବ ବୋଲି ପୋଲିସ ଟିମ୍ ସୂଚନା ଦେଇଛନ୍ତି । ଟାଉନ ପିଏସ୍ କେଶ ନମ୍ବର ୨୭୩ ରେ ଏନ୍ଡିପିଏସ୍ ଆକ୍ଟ ଦଫା୨୦(ବି) ଓ (ସି) ୨୯ ରେ ଏକ ମାମଲା ରୁଜୁ କରିଛି ଟାଉନ ପୋଲିସ । ଏହି ଲକ୍ଷାଧିକ ଟଙ୍କ ପରିମାଣର ଗଂଜେଇ କେଉଁଠାକୁ ଯାଉଥିଲା ଓ ଏହି ଗଂଜେଇ ସବୁ କେଉଁଠାରୁ ଆସୁଥିଲା ତାର ତଦନ୍ତ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *