ବାଂଲାଦେଶରେ ରାଜନୀତିକ ଉତ୍ତେଜନା- ହାସିନାଙ୍କୁ ନେଇ ହିଂସାର ନିଆଁ!

ହିଂସା ନିଆଁରେ ଜଳୁଛି ବାଂଲାଦେଶ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ନେଇ ଅଦାଲତ ରାୟ ଶୁଣାଇବା ଆଗରୁ ଗଲା ଦୁଇ ଦିନ ହେଲା ଦେଶରେ ବ୍ୟାପକ ହିଂସା ଘଟିଛି। ଢାକାରେ ୫ଟି ବ୍ଲାଷ୍ଟ ହୋଇଛି। ୧୭ ବସରେ ନିଆଁ ଲଗାଇଦେଇଛନ୍ତି ଆନ୍ଦୋଳନକାରୀ। ଆଜି ବାଂଲାଦେଶ ରାଜଧାନୀ ଢାକା ପୁରା ପୁଲିସ ଛାଉଣୀ ହୋଇଥିଲା। ଶେଖ୍ ହାସିନାଙ୍କ ପାର୍ଟି ଅଓ୍ୱାମୀ ଲିଗ୍ ଢାକା ଲକ୍‌ଡାଉନର ଆହ୍ୱାନ କରିଛି। ପୁଲିସ ଓ ବର୍ଡର ଗାର୍ଡ ବାଂଲାଦେଶ ଫୋର୍ସ ମୁତୟନ ଅଛନ୍ତି। ଢାକାର ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ ବ୍ୟାରିକେଡ୍ ଲଗାଇ ସର୍ବସାଧାରଣ ଗାଡ଼ିକୁ କଡ଼ାକଡ଼ି ଯାଞ୍ଚ କରାଯାଇଛି। ଆଇସିଟି ବା ଅନ୍ତରାଷ୍ଟ୍ରୀୟ ଅପରାଧ ନ୍ୟାୟାଧିକରଣ ଆଖପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହି ଅଦାଲତରେ ହାସିନା ଓ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ବିରୁଦ୍ଧରେ ଲାଗିଥିବା ଆରୋପ ଉପରେ ରାୟ ଶୁଣାଇବାକୁ ଆଜି ତାରିଖ ସ୍ଥିର ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଶେକ୍ ହାସିନା ଗଲାବର୍ଷ ଅଗଷ୍ଟରେ ଭାରତରେ ଶରଣ ନେବାକୁ ଆସିଥିଲେ। ତାଙ୍କ ଉପରେ ହତ୍ୟା ଓ ଷଡ଼ଯନ୍ତ୍ର ସହ ଅନେକ ମାମଲା ରୁଜୁ ହୋଇଥିଲା। ରାଜନୀତିକ ଉତ୍ତେଜନା ବାଂଲାଦେଶରେ ଜନଜୀବନକୁ ପ୍ରଭାବିତ କରିଛି। ଏଭଳି ହିଂସା ପଛରେ ଅଓ୍ୱାମୀ ଲିଗ୍ ସମର୍ଥକଙ୍କୁ ଦାୟୀ କରିଛନ୍ତି ସରକାର। ଶେଖ୍ ହାସିନାଙ୍କ ସପକ୍ଷରେ ରାୟ ଆସୁ ବୋଲି ନ୍ୟାୟାଳୟ ଉପରେ ଚାପ ପକାଇବାକୁ ତାଙ୍କ ଦଳ ଏଭଳି ଉଗ୍ର ପ୍ରଦର୍ଶନ କରିଥିବାର ଆରୋପ ଲଦିଛନ୍ତି ସରକାର। ଆନ୍ଦୋଳନକାରୀଙ୍କୁ ମୁକାବିଲା କରିବାକୁ ସରକାର ସେନାକୁ ମୁତୟନ କରିଛନ୍ତି। ଆଜି ସମସ୍ତଙ୍କୁ ଘରେ ରହିବାକୁ ଅପିଲ୍ କରିଥିଲେ ସରକାର। ଦୋଷୀ ସାବ୍ୟସ୍ତ ହେଲେ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଛନ୍ତି ସରକାରୀ ଓକିଲ। ହତ୍ୟା ଓ ମାନବିକତା ଉଲ୍ଲଂଘନର ଅନେକ ଗମ୍ଭୀର ମାମଲା ହାସିନାଙ୍କ ବିରୁଦ୍ଧରେ ରହିଛି। ଲକଡାଉନର ଡାକରା ଆଓ୍ୱାମୀ ଲିଗ୍ ଦଳ ଦେବା ସତ୍ତ୍ୱେ ଆୱାମୀ ଲିଗ୍ ଅଫିସରେ ହିଁ ନିଆଁ ଲଗାଇଦେଇଛନ୍ତି ଦଙ୍ଗାକାରୀ।ଶେଖ୍ ହାସିନାଙ୍କ ବିରୁଦ୍ଧରେ ଆଜି ଇଣ୍ଟରନାସନାଲ କୋର୍ଟର ପ୍ରଥମ ଫୈସଲା ଆସିବାର ଥିଲା। ଆୱ୍ୱାମୀ ଲିଗର ଡର ଯେ, ଯଦି କୋର୍ଟ ହାସିନାଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି, ତେବେ ଆଗାମୀ ଦିନରେ ହାସିନା ବାଂଲାଦେଶ ଫେରିବା ମୁସ୍କିଲ ହୋଇପଡ଼ିବ। ଜୁଲାଇ ୨୦୨୪ରେ ବିଦ୍ରୋହ ବେଳେ ମାନବିକତାର ଉଲ୍ଲଂଘନ ହୋଇଥିଲା। ହାସିନାଙ୍କ ନିର୍ଦେଶରେ ପୁଲିସ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି କରିଥିଲା। ଏହି ମାମଲାରେ ପୂର୍ବତନ ଗୃହମନ୍ତ୍ରୀ ବି ଅଭିଯୁକ୍ତ ଅଛନ୍ତି। ମାନବତା ବିରୋଧୀ ଅପରାଧ ମାମଲାରେ ବିଶେଷ ଟ୍ରିବ୍ୟୁନାଲ ୧୭ରେ ରାୟ ଶୁଣାଇବେ। ୩ ଜଣିଆ ଖଣ୍ଡପୀଠ ୧୭ରେ ରାୟ ଶୁଣାଇବେ। ହିଂସାରେ ଲିପ୍ତ ଶତାଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଗିରଫ କରିଛି। ଶେଖ୍ ହାସିନା ଓ ତାଙ୍କ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ କମାଲ, ତତ୍କାଳୀନ ପୁଲିସ ମୁଖ୍ୟ ଚୌଧୁରୀ ଅବଦ୍ଦୁଲା ଅଲମନୁନଙ୍କ ଉପରେ ମକଦ୍ଦମା ଚାଲିଥିଲା ହାସିନା ଓ କମାନଙ୍କ ଅନୁପସ୍ଥିତିରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଓ ଅଦାଲତ ଏମାନଙ୍କୁ ଫେରାର୍ ବୋଲି ଘୋଷଣା କରିଥିଲେ। ସେହି ସମୟରେ ଚୌଧୁରୀ ଅବଦ୍ଦୁଲା ଅଦାଲତରେ ହାଜର ହୋଇ ନିଜ ଦୋଷ ସ୍ୱୀକାର କରିଥିଲେ ଆଉ ବାକି ଦୁଇ ଅଭିଯୁକ୍ତ ହସିନା ଓ କମାଲଙ୍କ ଭୂମିକା ବାବଦରେ କୋର୍ଟକୁ ଅବଗତ କରାଇଥିଲେ। ଜୁଲାଇରେ ହୋଇଥିବା ଛାତ୍ର ବିଦ୍ରୋହକୁ ଦମନ କରିବାକୁ ହାସିନା ଓ କମାଲ ନିର୍ଦେଶ ଦେଇଥିଲେ। ୨୦୨୪ ଜୁଲାଇରେ ଆଓ୍ୱାମୀ ସରକାର ବିରୁଦ୍ଧରେ ଛାତ୍ର ଆନ୍ଦୋଳନ ତେଜିଥିଲା। ଜାତିସଂଘର ମାନବାଧିକାର ଅଫିସ ରିପୋର୍ଟ ଅନୁସାରେ, ଏଥିରେ ପ୍ରାୟ ୧୪ଶହ ମରିଥିଲେ। ସୁରକ୍ଷାବଳକୁ ଲଗାଇ ବଡ଼ କାର୍ଯାନୁଷ୍ଠାନ ନେଇଥିଲେ ସରକାର। ଦିଲ୍ଲୀରେ ବସି ଶେଖ୍ ହାସିନା ବଡ଼ ବୟାନ ଦେଇଛନ୍ତି। ବାଂଲାଦେଶର ଭରସାଯୋଗ୍ୟ ବନ୍ଧୁ ଅଟେ ଭାରତ। ବାଂଲାଦେଶ ପାକିସ୍ତାନ ହୋଇସାରନ୍ତାଣି, ଯଦି ଭାରତର ପ୍ରମୁଖ ଭୂମିକା ନଥାଆନ୍ତା। ଭାରତ ସବୁବେଳେ ଲୋକତାନ୍ତ୍ରିକ ସ୍ଥିରତା ଉପରେ ବିଶ୍ୱାସ କରେ। ଢାକାରେ ଥିବା ଅନ୍ତରୀଣ ସରକାର ବାଂଲାଦେଶ ଲାଗି ବିପଦ। ମହମ୍ମଦ ୟୁନୁସ ସରକାର କଟ୍ଟରପନ୍ଥୀଙ୍କ ହାତରେ ସଖି କଣ୍ଢେଇ ସାଜିଛନ୍ତି। ୟୁନୁସଙ୍କ ନେତୃତ୍ୱରେ ଢାକାରେ ରାଜନୀତିକ ଅସ୍ଥିରତା ଜାରି ରହିଛି। ଭାରତ ପ୍ରତି ୟୁନୁସଙ୍କ ଶତୃତା ଆତ୍ମଘାତୀ ସଦୃଶ। ଜଳୁଛି ବାଂଲାଦେଶ। ରାଜନୀତିକ ଅସ୍ଥିରତା ଭିତରେ ଆୱାମୀ ଲିଗ୍ ନିଜର ଅସ୍ତିତ୍ୱକୁ ନେଇ ଆଶଙ୍କା କରିଛି। ୟୁନୁସ୍‌ ସରକାର ବିରୁଦ୍ଧରେ ବଡ଼ ଧରଣର ଆନ୍ଦୋଳନ କରି ସବକ୍ ଶିଖାଇବାକୁ ଚାହୁଁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *