ରାଜଧାନୀ ରାଜରାସ୍ତାରେ ସହଦେବ ନାୟକଙ୍କ ମୁଣ୍ଡ ଗଡ଼ାଇବା ମାମଲାରେ ଥମୁନି ରାଜନୀତି। ୨ ଦମ୍ପତ୍ତିଙ୍କ ସମେତ ୫ଜଣଙ୍କୁ ବାନ୍ଧିସାରିଛି ପୁଲିସ। ହତ୍ୟା ଷଡ଼ଯନ୍ତ୍ରରେ ସାମିଲ୍ ଅନ୍ୟମାନଙ୍କୁ ବି ଖୋଜୁଛି ପୁଲିସ। ଡୁମୁଡୁମାରେ ପୁରା ହତ୍ୟା ଯୋଜନାର ବ୍ଲୁପ୍ରିଣ୍ଟ୍ କରିଥିବା ମାଷ୍ଟରମାଇଣ୍ଡ ସୁଶାନ୍ତକୁ ଧରିବାକୁ ପୁଲିସ ତନାଘନା ଜାରି ରଖିଛି। ପ୍ରତିଶୋଧରୁ ହତ୍ୟା ହୋଇଥିବା ସ୍ପଷ୍ଟ କରିଥିଲା ପୁଲିସ। ହତ୍ୟାକାଣ୍ଡ ପଛରେ ନିଶା କାରବାରକୁ ବିରୋଧ, ଚାକିରୀରୁ ଛଟେଇ ଓ ଗଲା ବର୍ଷ ଲକିକୁ ମାଡ଼ ମାରିବା ଆଦି ୩ଟି କାରଣ ରହିଛି। ସେପଟେ ସଫେଇ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡବିଧାନ, ଅନ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ତୁରନ୍ତ ଧରିବା, ପରିବାରକୁ କ୍ଷତିପୂରଣ, ପରିବାରକୁ ଜଣକୁ ଚାକିରୀ ଆଦି ଦାବି କରି ବିଏମସି ଅଫିସ ଘେରାଓ କରିଥିଲେ ସଫେଇ କର୍ମଚାରୀ। ଦିନ ଦ୍ୱିପ୍ରହରରେ ମାରିଦେଲେ ସହଦେବଙ୍କୁ। ସହଦେବଙ୍କ ପରିବାର ପ୍ରତି କି ନ୍ୟାୟ ମିଳିବ ବୋଲି ସରକାର କହୁନାହାନ୍ତି। ନ୍ୟାୟ ନ ମିଳିଲେ ଅଳିଆ ଉଠିବନି ବୋଲି ଚେତାବନୀ ଦେଇଛନ୍ତି।
ସେପଟେ ଏ ଘଟଣାକୁ ନେଇ ବିଜେଡି ପ୍ରେସମିଟ୍ କରି ରାଜଧାନୀର ଆଇନଶୃଙ୍ଖଳାକୁ ନେଇ ବର୍ଷିଛି। ସହଦେବଙ୍କୁ ଜେଲରେ ପୁରାଇବାକୁ ଚାଲିଥିଲା ଯୋଜନା। ପୂର୍ବରୁ ତାଙ୍କ ଘରେ ବ୍ରାଉନସୁଗାର ରଖି ଧମକ ଦିଆଯାଉଥିଲା। ସ୍ପେଶାଲ ସ୍କ୍ୱାର୍ଡ ନାଁରେ ହଇରାଣ କରାଯାଉଥିଲା। ହତ୍ୟା ଲାଗି ଧମକ ମିଳିବା କଥା ପୁଲିସ ଜାଣିଥିବା ସତ୍ତ୍ୱେ କିଛି କରିପାରିଲାନି। ଗିରଫ କରି ବାହାବା ନେବାକୁ ଚେଷ୍ଟା କରୁଛି। ଗୃହ ବିଭାଗର ମୁଖିଆ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠୁଛି। ହତ୍ୟାକାଣ୍ଡର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେଡି। ହତ୍ୟା ପଛରେ ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡର ଭୂମିକା ସନ୍ଦେହରେ। ସହଦେବଙ୍କ ଘରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ ହେଉ। ଉଚିତ କ୍ଷତିପୂରଣ ଦାବି କରିଛି ଦଳ। ସେପଟେ ଶାସକ ଦଳ କହିଛି, ବିଜେଡିର ୨୪ ବର୍ଷ ଭିତରେ କେତେ ହତ୍ୟା ହୋଇଛି, ହିସାବ ଦେଲେ ବିଜେଡି ମୁହଁରେ କପଡ଼ା ପକାଇ ଚାଲିବେ। କେବଳ ରାଜନୈତିକ ରୋଟି ସେକିବାକୁ ବିଜେଡି ଫନ୍ଦି କରୁଛି। ନିଜ ଅତୀତକୁ ଥରେ ଅନାଉ ବିଜେଡି। ହତ୍ୟାକାରୀଙ୍କୁ ୨୪ ଘଣ୍ଟା ଭିତରେ ଧରାଯାଇଛି। ଯେଉଁମାନେ ଏଥିରେ ସଂପୃକ୍ତ, ସମସ୍ତଙ୍କୁ ଧରାଯିବ। ପ୍ରବାସୀ ଭାରତୀୟ ସମ୍ମିଳନୀ ବେଳେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିବା ମେୟର ସାମ୍ୱାଦିକ ସମ୍ମିଳନୀ କରି ଆନ୍ଦୋଳନର ଧମକ ଦେଲେ। ସଫେଇ କର୍ମଚାରୀଙ୍କୁ ଉସୁକାଇ ଜାଣିଶୁଣି ସଫେଇ ବନ୍ଦ କରାଯାଇଛି। ଏଭଳି ହତ୍ୟାକାଣ୍ଡରେ ରାଜନୀତି କରୁଥିବା ପୂର୍ବତନ ମେୟର ତଥା ମଧ୍ୟ- ବିଧାୟକ ଅନନ୍ତ ଜେନାଙ୍କ ଅତୀତର ଭୂମିକାକୁ ଅଙ୍ଗୁଳି ଉଠାଇ ତାଙ୍କର ଇସ୍ତଫା ଦାବି କରିଛନ୍ତି ବିଜେପି ନେତା। ସହଦେବ ନାୟକ ହତ୍ୟାକାଣ୍ଡ ଚାରିଆଡ଼େ ହଇଚଇ ଖେଳାଇଦେଇଛି। ପୁଲିସ ପ୍ରତି ଥିବା ଭରସାର ଆଞ୍ଚ ଆଣିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। କାରଣ ନିଜେ ପୁଲିସ ମିତ୍ର ଥିଲେ ସହଦେବ। ଆଗକୁ ଏହା କି ମୋଡ଼ ନେଉଛି, ତା ଉପରେ ସମସ୍ତଙ୍କ ନଜର।
Naxatra News is now on Whatsapp
Join and get latest news update delivered to you via whatsapp
Join Now