ଆତଙ୍କବାଦର ସ୍ଲିପର ସେଲ୍ ଅପରେଟ କରିବାକୁ ମୁଜାହିଦ୍ଦିନ ତିଆରି ଟାର୍ଗେଟରେ ଥିଲେ ୭ ଅଭିଯୁକ୍ତ। କିନ୍ତୁ ବେଙ୍ଗାଲୁରୁର ସ୍ୱତନ୍ତ୍ର କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ୍ ଦେଇଛନ୍ତି। ଏମାନଙ୍କ ବିରୁଦ୍ଧରେ ସଙ୍ଗୀନ ଆରୋପ ଥିଲା ଯେ, ଏମାନେ ଆତଙ୍କବାଦ ସଂଗଠନ ଆଇଏସଆଇଏସ ପାଇଁ କାମ କରୁଥିଲେ। ଆଇଏସଏସ ମଡ୍ୟୁଲରେ ବଛା ବଛା ଯୁବକଙ୍କୁ ନିଯୁକ୍ତି ଓ ତାଲିମ ଦେବା କାମରେ ନିୟୋଜିତ ଥିଲେ। ରାଷ୍ଟ୍ରବିରୋଧୀ କାମରେ ଏମାନେ ସଂପୃକ୍ତ ଥିଲେ। ୨୦୨୫ ସୁଦ୍ଧା ଦେଶର ପ୍ରତି ଜିଲ୍ଲାରେ ୫୦ ମୁଦାହିଦ୍ଦିନ ନିଯୁକ୍ତି ଲାଗି ଷଡ଼ଯନ୍ତ୍ର କରୁଥିଲେ। ଆଉ ଉଦେଶ୍ୟ ଥିଲା ଯେ, ଏହି ଜିହାଦି ବିଶେଷ କରି ସରକାରୀ ସଂସ୍ଥା, ପୁଲିସ, ଆର୍ମି, ନ୍ୟାୟାଳୟ ଓ ନିର୍ଦ୍ଦିଷ୍ଟ ଧାର୍ମିକ ସଂଗଠନକୁ ଟାର୍ଗେଟ କରିବେ। ଭାରତର ଏକତା, ସୁରକ୍ଷା, ସାର୍ବଭୌମତ୍ୱକୁ ବିପଦରେ ପକାଇବା ଟାର୍ଗେଟ ଥିଲା। ବିଭିନ୍ନ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଜରିଆରେ ଧନଜୀବନକୁ ବିପଦରେ ପକାଇ ଏକ ଆତଙ୍କ ଓ ଭୟର ମାହୋଲ ତିଆରି କରିବା। ଟ୍ରାଏଲ ବ୍ଲାଷ୍ଟ ବି କରିଥିଲେ କୁଆଡ଼େ ଏମାନେ। କିନ୍ତୁ ଅଭିଯୁକ୍ତମାନେ କୋର୍ଟରେ ଯୁକ୍ତି ରଖିଥିଲେ ଯେ, ସେମାନଙ୍କୁ କେଉଁ ଗ୍ରାଉଣ୍ଡରେ ଗିରଫ କରାଗଲା, ଗିରଫ ପରେ ସେମାନଙ୍କୁ ଜଣାଗଲାନି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ, ଗିରଫ ବ୍ୟକ୍ତିଙ୍କୁ ଗିରଫର କାରଣ ନିଶ୍ଚିତ କୁହାଯିବ। କିନ୍ତୁ ଏହାକୁ ଅନୁପାଳନ କରିନଥିଲା ପୁଲିସ। ଆଉ ଏହି ଆଧାରରେ ସମସ୍ତ ୭ ଅଭିଯୁକ୍ତ ଆନାସ ଇକବାଲ ସେଖ୍, ମହମ୍ମଦ ସୁଲେମାନ, ମହମ୍ମଦ ମୁନିରୁଦ୍ଦିନ, ସୟେଦ ସମୀର, ମହମ୍ମଦ ସେହେବାଜ୍, ସୟାନ ରେହେମାନ ଓ ମୁଜାମିଲଙ୍କୁ ଜାମିନ ଦେଇଛନ୍ତି ବେଙ୍ଗାଲୁରୁ କୋର୍ଟ। ତେବେ ଅପରାଧର ଗମ୍ଭୀରତାକୁ ଦେଖି ଜାମିନ ଆବେଦନକୁ ବିରୋଧ କରିଥିଲେ ପ୍ରତିପକ୍ଷ। ଅଭିଯୁକ୍ତମାନେ ୨୦୨୩ରେ ଗିରଫ ହୋଇଥିଲେ। ଗିରଫ ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଯଦି ଏମାନଙ୍କୁ ବେଲ୍ ଦିଆଯାଏ, ସେମାନେ ସାକ୍ଷ୍ୟପ୍ରମାଣକୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି। ଏମିତି ହେଲେ ଆଗକୁ ମାମଲା ଦୁର୍ବଳ ହୋଇପାରେ। କିନ୍ତୁ କୋର୍ଟ କହିଛନ୍ତି, ଅଭିଯୁକ୍ତଙ୍କୁ ଡିସେମ୍ୱର ୧୮,୨୦୨୩ରେ ଗିରଫ କରାଯାଇଥିଲା। ହେଲେ ନା ଗିରଫର କାରଣ କୁହାଗଲା ନା ଲିଖିତ ଭାବେ ସେମାନଙ୍କୁ ଅବଗତ କରାଯାଇଥିଲା। ଏହା ସୁପ୍ରିମକୋର୍ଟଙ୍କ ଆଦେଶର ଉଲ୍ଲଂଘନ କରୁଛି। ଯେହେତୁ ମାମଲା ଅତି ଗମ୍ଭୀର ଓ ସମ୍ବେଦନଶୀଳ। ସେଥିଲାଗି ଜାମିନ୍ ଦେଲା ବେଳେ କଠୋର ସର୍ତ୍ତ ବି ଖଞ୍ଜିଛନ୍ତି ଅଦାଲତ। ପ୍ରତି ଅଭିଯୁକ୍ତଙ୍କୁ ୨ଲକ୍ଷ ଟଙ୍କା ପର୍ସନାଲ ବଣ୍ଡରେ ଜାମିନ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ। କୋର୍ଟରେ ନିୟମିତ ହାଜିରା ଦେବେ। ବେଙ୍ଗାଲୁରୁ ଏନଆଇଏ- ଏସପି ଓ କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ମୋବାଇଲ ନମ୍ୱର ବ୍ୟତୀତ ଅନ୍ୟ କୌଣସି ମୋବାଇଲ ବ୍ୟବହାର କରିବେନି। କେସ୍ ର ଫୈସଲା ନ ସରିବା ଯାଏ ଏହାକୁ ଅନୁପାଳନ କରିବାକୁ ପଡ଼ିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now