ପରିତ୍ୟକ୍ତ କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Spread the love

ସମ୍ବଲପୁର : ସମ୍ବଲପୁର ସହରର ଭତ୍ରା ନିକଟ ଏକ ପରିତ୍ୟକ୍ତ କୂଅରୁ ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ମନୋରଞ୍ଜନ କୁମ୍ଭାର । ଧନୁପାଲି ଥାନା ଭତ୍ରା ମଠପାଲିରେ ରହୁଥିବା ମନୋରଞ୍ଜନ ହଠାତ୍ ନିଖୋଜ ହୋଇଯାଇଥିବା ବେଳେ ନିକଟସ୍ଥ ଏକ କୂଅରେ ତାଙ୍କ ମୃତଦେହ ଭାସୁଥିବା ବୁଧବାର ସକାଳେ ଦେଖିବାକୁ ମିଳିଥିଲା । ଏନେଇ ପରିବାର ଲୋକେ ଧନୁପାଲି ଥାନାରେ ଲିଖିତ ଭାବେ ଜଣାଇବା ପରେ ଜାଣିବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ମିଳିତଭାବେ କୂଅ ଭିତରୁ ମୃତଦେହ ଉଦ୍ଧାର କରିଥିଲେ । ବ୍ୟବଚ୍ଛେଦ ପାଇଁ ବୁର୍ଲାସ୍ଥିତ ଭିମସାରକୁ ମୃତଦେହ ପଠାଇ ଦିଆଯାଇଛି ।

ମାତ୍ର ହଠାତ୍ ନିଖୋଜ ଓ ପରେ ଏକ କୂପରୁ ମନୋରଞ୍ଜନଙ୍କ ମୃତଦେହ ଉଦ୍ଧାର ହେବା ଘଟଣାକୁ ପରିବାର ଲୋକେ ହାଲକା ରେ ନନେଇ ପୂର୍ବ ଶତ୍ରୁତାକୁ ନେଇ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ବାଢିଛନ୍ତି । କିଛି ଦିନ ପୂର୍ବରୁ ଜନୈକ ବ୍ୟକ୍ତି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଏମିତିକି ତାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ । ଏନେଇ ମନୋରଞ୍ଜନ ଧନୁପାଲି ଥାନାରେ ସୂଚନା ଦେଇଥିଲେ ମଧ୍ୟ ପୋଲିସ ଏନେଇ କୌଣସି ଗୁରୁତ୍ୱ ଦେଇନଥିଲା ବୋଲି ପରିବାର ଲୋକେ କହିଛନ୍ତି । ସୂଚନାନୂଯାୟୀ ଗତ ମଙ୍ଗଳବାର ସନ୍ଧ୍ୟାରୁ ହଠାତ୍ ମନୋରଞ୍ଜନ ନିଖୋଜ ହୋଇଯିବା ପରେ ବୁଧବାର ଦିନ ସନ୍ଦେହ ଜନକ ଅବସ୍ଥାରେ ନିକଟସ୍ଥ ଏକ କୂଅରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତେବେ ଏହି ଘଟଣା ପୋଲିସ ଗୁରୁତ୍ୱ ଦେଇ ଘଟଣାର ତଦନ୍ତ ପ୍ରକ୍ରିୟା ଜୋରଦାର କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *