ଟେଣ୍ଡରକୁ ନେଇ ଟେନସନ। ପୌରନିର୍ବାହୀ ଅଧିକାରୀଙ୍କୁ ତାଙ୍କ ଚାମ୍ୱରରେ ୮ ଘଣ୍ଟା କାଳ ଅଟକ ରଖିଥିଲେ ବିଜେଡି ଅଧ୍ୟକ୍ଷ ଓ କାଉନସିଲର। ଗଲା ୨୬ ତାରିଖ ଅପରାହ୍ନ ୩ଟାରୁ ୮ ଘଣ୍ଟା ଯାଏ ଛାଡ଼ିନଥିଲେ ପୌରନିର୍ବାହୀ ଅଧିକାରୀ ପ୍ରଦୀପ ପାଢ଼ୀଙ୍କୁ। ଅଫିସ ଚାମ୍ୱରରେ ଅଟକ ରଖିଥିଲେ। ବିଭିନ୍ନ କାଗଜପତ୍ରରେ ଜୋର ଜବରଦସ୍ତି ଦସ୍ତଖତ କରିବାକୁ କୁଆଡ଼େ ଚାପ ପକାଇଥିଲେ। ଆଉ ଜବରଦସ୍ତି ଫାଇଲରେ ଦସ୍ତଖତ କରାଇନେଲେ। ଏଥିରେ ମର୍ମାହତ ହୋଇ ଜିଲ୍ଲାପାଳଙ୍କୁ ଫେରାଦ୍ ହୋଇ ୨୭ରୁ ଛୁଟିରେ ରହିଛନ୍ତି ପ୍ରଦୀପ। ୨୭ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ ପ୍ରଦୀପ। ଏଭଳି ନିର୍ଯାତନାରେ ମର୍ମାହତ ହୋଇପଡିଛନ୍ତି ବୋଲି ଦର୍ଶାଇଛନ୍ତି ପ୍ରଦୀପ। ଫକିରପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେ। ଛୁଟି ଦରଖାସ୍ତ ସହ ଫକିରପୁର ସିଏଚସିରେ ଓପିଡି ରେଜିଷ୍ଟ୍ରେସନ ସ୍ଲିପ୍ ଜିଲ୍ଲାପାଳଙ୍କୁ ଦେଇଥିଲେ। ଆଉ ଜୁଲାଇ ୩ ଯାଏ ଛୁଟିରେ ରହିଥିଲେ। ଅନାସ୍ଥାରେ ସମର୍ଥନ ନ କରିବାରୁ ଏହି ଟେଣ୍ଡର ପ୍ରକ୍ରିୟାରେ ଅନ୍ୟ ୬ ଟି ୱାର୍ଡର କାଉନସିଲରଙ୍କୁ ପାତରଅନ୍ତରର ଅଭିଯୋଗ ହୋଇଥିଲା। ଏହି ଟେଣ୍ଡର ପ୍ରକ୍ରିୟା କୁ ନେଇ ପୌର ନିର୍ବାହୀ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ ୬ କାଉନସିଲର। ପ୍ରଦୀପଙ୍କ କେବଳ ଏତିକି ଦୋଷ ଥିଲା ଯେ, ଫାଇଲ ଦେଖିବା ପରେ ଟେଣ୍ଡର ଆରମ୍ଭ କରିବି ବୋଲି ସେ କହିଥିଲେ। ବାସ୍ ଏତିକିରେ କ୍ଷୁବ୍ଧ ହୋଇ ୪ ଘଣ୍ଟା କାଳ ଅଟକ ରଖିଥିଲେ ଅଫିସରଙ୍କୁ। ଅଫିସର ଦଳୀୟ ଭିତ୍ତିରେ କାମ କରୁଥିବା ଅଭିଯୋଗ ବାଢ଼ିଛନ୍ତି ଅଧ୍ୟକ୍ଷ ଓ କାଉନସିଲର। ଅନାସ୍ଥା ଭୋଟ ପରଠୁ ବିଭିନ୍ନ ଉନ୍ନୟନମୂଳକ କାମର ଟେଣ୍ଡର ହେଉନି କି ଟେଣ୍ଡର ଡକାଗଲେ ଖୋଲାଯାଉନି। କାଉନସିଲରେ ପାସ୍ ହୋଇଥିବା ରିଜ୍ୟୋଲୁସନକୁ ବି ଖାତିର କରାଯାଉନି କହି ୧୫ ଜଣିଆ ବିଜେଡି ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଫେରାଦ୍ ହୋଇଥିଲେ। ସେପଟେ ଏହି ଘଟଣାକୁ ନିନ୍ଦା କରିଛନ୍ତି କୋରେଇ ବିଧାୟକ ଆକାଶ ଦାସନାୟକ। ଜଣେ କର୍ତ୍ତବ୍ୟରତ ଅଫିସରଙ୍କୁ ଏମିତି ବେଆଇନ ଅଟକ ରଖିବା, ଟେଣ୍ଡର ପେପରରେ ଦସ୍ତଖତ ଲାଗି ଚାପ ପକାଇବା କେତେଦୂର ଯୁକ୍ତିସଙ୍ଗତ ଓ ନ୍ୟାୟସଙ୍ଗତ ବୋଲି ପଚାରିଛନ୍ତି ବିଧାୟକ। ବିଜେଡି କହିଛି, ସରକାର ଓ ଅଫିସରଙ୍କ ଭିତରେ ସମନ୍ୱୟ ରହୁନି। ସରକାରୀ ଅଧିକାରୀଙ୍କୁ ସରକାର ବିଶ୍ୱାସକୁ ନେବା ଉଚିତ୍। ସେଥିଲାଗି ରାଜ୍ୟରେ ଏଭଳି ସ୍ଥିତି। ସେପଟେ ଓଆରଏସ ସଂଘ ବି ଏ ଘଟଣାକୁ ଗୁରୁତ୍ୱର ସହ ନେଇଛି। ସଂଘ ସଭାପତି କନିଷ୍କ ବୋଧିସତ୍ତ୍ୱ କହିଛନ୍ତି, ପୁଲିସରେ ଅଭିଯୋଗ କରିବାକୁ ପ୍ରଦୀପଙ୍କୁ ପରାମର୍ଶ ଦିଆଯାଇଛି। କିଛି ରାଜନୈତିକ ବ୍ୟକ୍ତି ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି। ଅଫିସର ନିୟମ ମୁତାବକ କାମ କରିବେ। ଯଦି ଅଫିସର ଠିକ୍ ନୁହଁନ୍ତି, ଭିଜିଲାନ୍ସ ଅଛି। ଆଇନକୁ ହାତକୁ କାହିଁକି ନେଲେ। ଦୋଷୀଙ୍କୁ ଦଣ୍ଡ ନ ମିଳିଲେ ସଂଘ ପରବର୍ତ୍ତୀ ପଦକ୍ଷେପ ନେବ। ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଆଇନ ଅନୁସାରେ ନିଶ୍ଚିତ ଆକ୍ସନ ହେବ। ଅଫିସରଙ୍କ ମନୋବଳ ଯେମିତି ନ ଭାଙ୍ଗେ, ସେଥିଲାଗି ସରକାର ସଂକଳ୍ପବଦ୍ଧ। ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ୬ଜଣ ଜେଲରେ। ଚାମ୍ୱର ଭିତରେ ବାଡ଼େଇ ଗେଟ୍ ପାଖକୁ ଘୋଷାଡି ଘୋଷାଡ଼ି ଆଣି ବିଧା ଗୋଇଠା ମାରିଥିଲେ ଜଗାଙ୍କ ଅନୁଗତ। ଅପହରଣ କରିବାକୁ ବସିଥିଲେ। ପ୍ରଦୀପଙ୍କୁ ବିଜେଡି ନେତା ସିନା ଆକ୍ରମଣ କରିନାହାନ୍ତି। କିନ୍ତୁ ୮ ଘଣ୍ଟା କାଳ ବେଆଇନ ଅଟକ ରଖିବା, ଦସ୍ତଖତ ଲାଗି ଚାପ ପକାଇ ଧମକଚମକ ଦେବା ଘଟଣାରେ ମର୍ମାହତ ହୋଇପଡ଼ିଛନ୍ତି ପ୍ରଦୀପ। ଦେଖିବାର କଥା, ଏ ଘଟଣା ଆଗକୁ କି ମୋଡ଼ ନେଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now