ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇଙ୍କୁ ଜୋତା ଫିଙ୍ଗିଥିବା ଅଭିଯୁକ୍ତ ଆଇନଜୀବି ରାକେଶ କିଶୋରଙ୍କ କୌଣସି ଅନୁଶୋଚନା ନାହିଁ। ଜଷ୍ଟିସ ଗଭାଇ ବି କହିଥିଲେ, ସେ ଏମିତି କଥାକୁ ଧ୍ୟାନ ଦିଅନ୍ତିନି। ଦିଲ୍ଲୀ ପୁଲିସ ରାକେଶଙ୍କୁ ୩ ଘଣ୍ଟା ଧରି ପଚରାଉଚୁରା କରିଥିଲା। କିନ୍ତୁ କୌଣସି ଔପଚାରିକ ଅଭିଯୋଗ ନ ହେବାରୁ ତାଙ୍କୁ ଛାଡ଼ିଦେଇଛି ପୁଲିସ। ପୁଲିସ ରାକେଶଙ୍କ ଜୋତା ବି ଫେରାଇଦେଲା। କିନ୍ତୁ ଦେଶର ପ୍ରଧାନ ବିଚାରପତିଙ୍କୁ ଏଭଳି ଆକ୍ରମଣ ଘଟଣାରେ ସାରା ଦେଶରେ ହଇଚଇ ଖେଳିବା ସହ ରାଜନୀତିକ ଆରୋପ ପ୍ରତ୍ୟାରୋପ ତେଜିଛି। ସାମାଜିକ ଗଣମାଧ୍ୟମରୁ ନେଇ ସମାଜରେ ସବୁଠି ଏହି ଘଟଣାକୁ ନେଇ ଆଲୋଡ଼ନ। କାରଣ ଅଭିଯୁକ୍ତ ଆଇନଜୀବି କହିଛନ୍ତି, ସେ ସନାତନ ଧର୍ମର ଅପମାନ ସହିପାରିବେନି। ସିଜେଆଇ ଆକ୍ସନ ନେଲେ, ଆଉ ଏହା ତାଙ୍କର ରିଆକ୍ସନ ଥିଲା। ସେ କୌଣସି କଥାକୁ ଡରନ୍ତିନି। ଭଗବାନ ବିଷ୍ଣୁଙ୍କ ଉପରେ ସିଜେଆଇ ଦେଇଥିବା ବୟାନକୁ ନେଇ ସେ ବ୍ୟଥିତ ଥିଲେ। ଗଲା ସୋମବାର ଜୋତା ଫିଙ୍ଗା ଘଟଣାରେ ଜଷ୍ଟିସ ଗଭାଇଙ୍କ ମାଆ କମଲାତାଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ସମ୍ୱିଧାନ ଉପରେ ଆକ୍ରମଣ ଓ ଦେଶରେ ଅରାଜକତା ପ୍ରସାର କରିବାକୁ ଉଦ୍ୟମ ବୋଲି କହିଛନ୍ତି ଗଭାଇଙ୍କ ମାଆ। ଜଷ୍ଟିସ ଗଭାଇଙ୍କ ଭଉଣୀ କିର୍ତ୍ତି ଅର୍ଜୁନ କହିଛନ୍ତି, ସମ୍ୱିଧାନ ଉପରେ ଏଭଳି ତତ୍ତ୍ୱଙ୍କ ଆକ୍ରମଣକୁ ନିନ୍ଦା କରୁଛୁ। କିନ୍ତୁ ଏଭଳି ଦୁର୍ବ୍ୟବହାର କଦାପି କ୍ଷମାଯୋଗ୍ୟ ନୁହେଁ। ବାବା ସାହେବ ଆମ୍ୱେଦକର ନମ୍ର ଆଚରଣ ଶିଖାଇଛନ୍ତି। ଏହି ଆକ୍ରମଣ ବ୍ୟକ୍ତିଗତ ଆକ୍ରମଣ ନଥିଲା। ଏଭଳି ଆକ୍ରମଣ ଭବିଷ୍ୟତ ପୀଢ଼ି ଲାଗି ଚିନ୍ତାଜନକ। ସେଥିଲାଗି ସମ୍ୱିଧାନ ସୁରକ୍ଷା ଓ ଅଧିକାର ଲାଗି କାର୍ଯାନୁଷ୍ଠାନ ଜରୁରୀ। ଲୋକେ ଏହାର ସୁରକ୍ଷା ଲାଗି ଏକାଠି ହୋଇ ଆଗକୁ ଆସନ୍ତୁ ବୋଲି ଅପିଲ କରିଛନ୍ତି ଜଷ୍ଟିସ ଗଭାଇଙ୍କ ଭଉଣୀ। ଜଷ୍ଟିସ ଗଭାଇଙ୍କୁ ଏଭଳି ଅପମାନକୁ ନେଇ କଡ଼ା ଭାଷାରେ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ। ଏଭଳି ସ୍ଥିତି ବେଳେ ବି ଯେଭଳି ପ୍ରଧାନ ବିଚାରପତି ଅବିଚଳିତ ରହିଲେ। ଏହା ହିଁ ନ୍ୟାୟ ଓ ସମ୍ୱିଧାନ ପ୍ରତି ତାଙ୍କର ସମର୍ପଣ ଭାବକୁ ସୂଚାଉଥିଲା। ସବୁ ଓକିଲ ସଂଘ ଅଭିଯୁକ୍ତ ଆଇନଜୀବି ରାକେଶଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଆକ୍ସନ ନେବାକୁ ଦାବି କରି ରିଜୋଲୁସନ ପାସ୍ କରିଛନ୍ତି। ଅଭିଯୁକ୍ତର ଲାଇସେନ୍ସ ରଦ୍ଦ କରିବାକୁ ଦାବି କରି ବିଭିନ୍ନ ଜାଗାରେ ଓକିଲ ସଂଘ ରାଜରାସ୍ତାକୁ ଓହ୍ଲାଇଛି। ଦଳିତ ସଂଗଠନ ବି ଆନ୍ଦୋଳନ କରିଛି। ଜଣେ ଦଳିତ ବିଚାରପତିଙ୍କ ପ୍ରତି ଧର୍ମ ନାଁରେ ଏଭଳି ଅପମାନକୁ ବରଦାସ୍ତ କରାଯିବନି କହି ଗର୍ଜିଛି। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଏଭଳି ମାନସିକତା ଓ ବିଚାରାଧାରା ଦେଶ ଲାଗି ବପଦ। ଯଦି ଜଣେ ଓକିଲ ଏଭଳି କରିବାକୁ ଦୁଃସାହସ କରି କୌଣସି ଅନୁତପ୍ତ ବଦଳରେ ଏହାକୁ ବାହାଦୂରୀ ବୋଲି କହୁଛନ୍ତି। ଏହା ସମଗ୍ର ଆଇନଜୀବି ସମାଜର ଗାରିମାକୁ କ୍ଷୁର୍ଣ୍ଣ କରୁଛି। ଆପ୍ ଏହାର ବିରୋଧ କରିବା ସହ କହିଛି, ବିଜେପି ସମର୍ଥକଙ୍କ ଜାତିଆଣ ମନୋଭାବ ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ଆପ୍ ସବୁବେଳେ ବାବାସାହେବ ଆମ୍ୱେଦକରଙ୍କ ରାସ୍ତାରେ ଚାଲିଛି। ବିଜେପିର ଟ୍ରୋଲ ଆର୍ମି ଜଷ୍ଟିସ ଗଭାଇଙ୍କ ବିରୁଦ୍ଧରେ ମାସେ ହେଲା ଟ୍ରୋଲ କରିଚାଲିଛନ୍ତି। ବିଜେପିର କିଛି ୟୁଟ୍ୟୁବର ଯେମିତିକି ଅଜିତ ଭାରତୀଙ୍କ ଭଳି ବ୍ୟକ୍ତି ସୋସିଆଲ ମିଡିଆରେ ସିଜେଆଇଙ୍କୁ କ୍ରମାଗତ ଟାର୍ଗେଟ କରିଚାଲିଛନ୍ତି। ଏହି ପ୍ରସଙ୍ଗରେ ପ୍ରେସମିଟ୍ କରିବା ବେଳେ ବିହାର ପିସିସି ସଭାପତି ରାଜେଶ ରାମ କାନ୍ଦିପକାଇଥିଲେ। ଦଳିତଙ୍କୁ ଯୁଗ ଯୁଗ ଧରି ଚାପି ରଖିବାକୁ ଉଦ୍ୟମ ହେଉଛି। ଆମ୍ୱେଦକର ସୁଯୋଗ ଦେଇଥିଲା ବେଳେ ବିଜେପି କିନ୍ତୁ ଷଡ଼ଯନ୍ତ୍ର କରି ଅସମ୍ମାନ କରି ଚାଲିଛି। କିନ୍ତୁ ଏଭଳି ଚକ୍ରାନ୍ତ ଦଳିତଙ୍କୁ ରୋକିପାରିବନି। ସୁପ୍ରିମକୋର୍ଟ ବାର୍ ଆସୋସିଏସନ, ବାର୍ କାଉନସିଲ ଅଫ ଇଣ୍ଡିଆ ଏହାକୁ ତୀବ୍ର ନିନ୍ଦା କରିଛି। ଅଭିଯୁକ୍ତ ରାକେଶଙ୍କୁ ତୁରନ୍ତ ସସପେଣ୍ଡ କରିଛି ବାର୍ କାଉନସିଲ ଅଫ ଇଣ୍ଡିଆ।
Naxatra News is now on Whatsapp
Join and get latest news update delivered to you via whatsapp
Join Now