ବିବାହକୁ ମାତ୍ର ମାସେ ହୋଇଥିଲା। ହେଲେ ସ୍ୱାମୀକୁ ସବୁଦିନ ଲାଗି ରାସ୍ତାରୁ ହଟାଇଦେଲା ପତ୍ନୀ। ମା ସୁଜାତା, ବୟଫ୍ରେଣ୍ଡ ଓ ସୁପାରି କିଲରଙ୍କୁ ଲଗାଇ ସ୍ୱାମୀ ତେଜେଶ୍ୱରକୁ ମର୍ଡର କରିଦେଲା ଐଶ୍ୱର୍ଯ୍ୟା। ବଡ କଥା ହେଲା, ମାଆ ଝିଅଙ୍କର ବୟଫ୍ରେଣ୍ଡ ଜଣେ ହିଁ ଥିଲା। ଯିଏ ବ୍ୟାଙ୍କ କର୍ମଚାରୀ। ସଂପୃକ୍ତ ବ୍ୟାଙ୍କ ମ୍ୟାନେଜର ଥିରୁମାଳା ରାଓ କିଛି କଣ୍ଟ୍ରାକ୍ଟ କିଲରଙ୍କୁ ନିୟୋଜିତ କରିଥିଲା। ତେଲେଙ୍ଗାନାର କୁର୍ନୁଲରୁ ଆସିଛି ଏଭଳି ଛାତିଥରା ଘଟଣା। ମୃତକ ୨୮ ବର୍ଷୀୟ ତେଜେଶ୍ୱର ଜଣେ ଲାଇସେନ୍ସପ୍ରାପ୍ତ ଅମିନ ଥିଲେ। ମେ ୧୮ରେ ବିବାହ ବନ୍ଧନରେ ଉଭୟ ବାନ୍ଧି ହୋଇଥିଲେ। ଜୁନ୍ ୧୮ରେ ତେଜେଶ୍ୱରଙ୍କ ନିଖୋଜ ନେଇ ଏତଲା ଦିଆଯାଇଥିଲା। ତେଜେଶ୍ୱରଙ୍କ ଶ୍ୱଶୁର ଘର ଆନ୍ଧ୍ରର କୁନ୍ନୁଲ ଜିଲ୍ଲାରେ। ତେଜେଶ୍ୱରଙ୍କ ଶବ ଜୁନ୍ ୨୧ରେ କୁନ୍ନୁଲ ଜିଲ୍ଲାର ପନିୟନ ପାଖରେ ଜବତ କରାଯାଇଛି। ତେଜେଶ୍ୱରଙ୍କ ପରିବାର କହିଛନ୍ତି, ବିବାହ ପୂର୍ବରୁ ଐଶ୍ୱର୍ଯ୍ୟାଙ୍କ ଉପରେ ସନ୍ଦେହ ଥିଲା। ଯେତେବେଳେ ଜଣାପଡ଼ିଥିଲା ଯେ, ସପ୍ତାହ ଯାଏ ସେ ଘରୁ ଗାଏବ ଥିଲେ। ମେ ୧୩ରେ ଜଣେ ବ୍ୟାଙ୍କ କର୍ମଚାରୀ ସହ ଘରୁ ପଳାଇଥିଲେ ଓ ମେ ୧୬ରେ ଘରକୁ ଫେରିଥିଲେ। ଏହା ଶୁଣି ବିବାହ ରୋକିବାକୁ ପରିବାର ଲୋକେ ଭାବିଥିଲେ। କିନ୍ତୁ ଐଶ୍ୱର୍ଯ୍ୟା ନିଜେ ତେଜେଶ୍ୱର ସହ ସମ୍ପର୍କ ରଖି ବିବାହ ଲାଗି ମନାଇଦେଇଥିଲା। ବିବାହ ପାଇଁ ଅର୍ଥ ଯୋଗାଡ଼ ଚାଲିଥିବାର ଆଳ ଦେଖାଇଥିଲା ଐଶ୍ୱର୍ଯ୍ୟା। ଥିରୁମାଳା କୁର୍ନ୍ନୁଲରେ ଥିବା ଏନବିଏଫସି ବ୍ୟାଙ୍କରେ ଲୋନ୍ ସେକ୍ସନ ଦେଖୁଥିଲା। ବିବାହ ପରେ ଐଶ୍ୱର୍ଯ୍ୟାର ଅଧିକ ସମୟ ଫୋନରେ ବିତୁଥିଲା। ଏହାକୁ ନେଇ ପରିବାର ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି ହୋଇଥିଲା। ପୁଲିସ ଐଶ୍ୱର୍ଯ୍ୟାର ଫୋନକଲ ରେକର୍ଡ ଚେକ୍ କରି ଜାଣିବାକୁ ପାଇଛି ଯେ, ବିବାହ ପରେ ବି ସେ ଲଗାତାର ଥିରୁମାଳା ସହ କଥାବାର୍ତ୍ତା କରୁଥିଲା। ଯାହା ସହ ବିବାହ ଆଗରୁ ଫେରାର୍ ହୋଇଯାଇଥିଲା। ପୁଲିସ ଜେରା ପରେ ଉଭୟ ମାଆ ଝିଅ ମାନିଛନ୍ତି ଯେ, ସୁଜାତା ଦୀର୍ଘ ଦିନ ଧରି ଥିରୁମାଳା ସହ ସମ୍ପର୍କରେ ଥିଲେ। ସୁଜାତା ସେ ବ୍ୟାଙ୍କରେ ସୁଇପର ଭାବେ କାମ କରୁଥିଲେ। ସୁଜାତା ଅନୁପସ୍ଥିତିରେ ଝିଅ ଐଶ୍ୱର୍ଯ୍ୟା ସହ ବି ସମ୍ପର୍କ ରଖିଥିଲା ଥିରୁମାଳା। ଆଉ ବିବାହ ପରେ ତେଜେଶ୍ୱର ରାସ୍ତାର କଣ୍ଟା ସାଜିବ ଭାବି ତାକୁ ମାରିବାକୁ ଯୋଜନା ହୋଇଥିଲା। ସୁପାରି କିଲରଙ୍କ ଜରିଆରେ ଜୁନ୍ ୧୭ରେ ହତ୍ୟା କରି ଶୂନଶାନ ଜାଗାରେ ଫିଙ୍ଗିଦିଆଯାଇଥିଲା। ୩ ସୁପାରି କିଲର ନଗେଶ, ପର୍ଶୁରାମ ଓ ରାଜୁ ମାନିଛନ୍ତି ସେମାନେ ଋଣ ପାଇବାକୁ ଥିରୁମାଳାକୁ ଅନୁରୋଧ କରିଥିଲେ। କିନ୍ତୁ ତେଜେଶ୍ୱରକୁ ମାରିଦେଲେ ସେମାନଙ୍କ ଲୋନ୍ ପାସ୍ କରିଦେବ ବୋଲି ବୁଝାଇଦେଇଥିଲା ଥିରୁମାଳା। ଅଭିଯୁକ୍ତମାନେ ଜମି ମାପଚୁପ ବାହାନାରେ ଡାକି ଗଡ଼ଓ୍ୱାଲରେ ତେଜେଶ୍ୱରକୁ ହତ୍ୟା କରିଥିଲେ। କାରରେ ବସିଥିଲା ବେଳେ ଗଳା କାଟି ଦେଇଥିଲେ। ମାରିବା ପରେ ଶବକୁ ଥିରୁମାଳାକୁ ଦେଖାଇଥିଲେ। ଆଉ ସେମାନଙ୍କୁ ୨ଲକ୍ଷ ଟଙ୍କା ଦେଇଥିଲା ଥିରୁମାଳା। ମର୍ଡର ପୂର୍ବରୁ ଐଶ୍ୱର୍ଯ୍ୟା ବି ଥିରୁମାଳାକୁ ତେଜେଶ୍ୱରଙ୍କ ଲାଇଭ ଲୋକେସନ ପଠାଇଥିଲା। ଆରମ୍ଭରୁ ବିଶ୍ୱାସରେ ବିଷ ଦେଇ ଶେଷରେ ସବୁଦିନ ଲାଗି ସ୍ୱାମୀକୁ ବାଟରୁ ହଟାଇଦେଲା ପତ୍ନୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now