ବିଲକିସ୍ ବାନୋ ବଳାତ୍କାରୀଙ୍କୁ ମୁକ୍ତି ନେଇ ବଢ଼ୁଛି ବିବାଦ ଓ ପ୍ରତିବାଦ। ଗୁଜୁରାଟ ସରକାର ନେଇଥିବା ନିଷ୍ପତ୍ତିକୁ ଖାରଜ କରିବାକୁ ଦାବି କରିଛନ୍ତି ହଜାର ହଜାର ସାମାଜିକ କର୍ମୀ। ସୁପ୍ରିମକୋର୍ଟକୁ ଏହି ସନ୍ଦର୍ଭରେ ଚିଠି ଲେଖିଛନ୍ତି। ୧୧ ଜଣ ବଳାତ୍କାରୀଙ୍କୁ ଆଗୁଆ ମୁକ୍ତ କରାଯିବା ନ୍ୟାୟିକ ବିଫଳତାକୁ ଦର୍ଶାଇଛି ବୋଲି କହିଛନ୍ତି। କେବଳ ସାମାଜିକ କର୍ମୀ ଓ ସାଧାରଣ ନାଗରିକ ନୁହଁନ୍ତି। ଏଭଳି ମୁକ୍ତିକୁ ନେଇ ଅନେକ ଅବସରପ୍ରାପ୍ତ ବିଚାରପତି ବି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
ଗୁଜୁରାଟ ଦଙ୍ଗା ବେଳେ ୫ ମାସର ଗର୍ଭବତୀ ବିଲକିସ ବାନୋଙ୍କୁ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା କରିଥିବା ଅପରାଧୀ ଏବେ ମୁକ୍ତ। ସମସ୍ତ ୧୧ ଦୋଷୀଙ୍କୁ ଗୁଜୁରାଟ ସରକାର ଗୋଧ୍ରା ସବ-ଜେଲରୁ ଛାଡ଼ିଦେଇଛନ୍ତି। ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସ୍ୱତନ୍ତ୍ର ରେମିଶନ ପଲିସି ବା ଉତ୍ତମ ବ୍ୟବହାର ପାଇଁ ଦଣ୍ଡ ମାଫ ନୀତି ଅନୁସାରେ ମୁକ୍ତ କରିଦିଆଗଲା। ବିଡ଼ମ୍ୱନାର ଦୃଶ୍ୟ ଥିଲା କି, ଏଭଳି ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ବ୍ୟକ୍ତିବିଶେଷଙ୍କୁ ଜେଲରୁ ମୁକ୍ତ କଲାବେଳେ ତାଙ୍କ ବେକରେ ଫୁଲମାଳ, ମଥାରେ ଚନ୍ଦନ ଟିକା ଓ ମିଠା ଖୁଆଇ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏଭଳି ସମ୍ୱର୍ଦ୍ଧିତ କରାଯାଇଥିଲା। ଗୁଜୁରାଟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଚାରିଆଡ଼େ ବିବାଦ ଓ ପ୍ରତିବାଦ ତେଜିବା ଜାରି ରହିଛି। ପ୍ରାୟ ୬ ହଜାର ସାମାଜିକ କର୍ମୀ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖି ବଳାତ୍କାରୀ ମୁକ୍ତି ନିଷ୍ପତ୍ତି ଖାରଜ ଦାବି କରିଛନ୍ତି। ୧୧ ବଳାତ୍କାରୀଙ୍କୁ ଆଗୁଆ ମୁକ୍ତ କରିବା ନ୍ୟାୟିକ ବିଫଳତାକୁ ଦର୍ଶାଉଛି। ଏହା ଏକ ଲଜ୍ଜାକର ଘଟଣା।
ଏଭଳି ମୁକ୍ତି ନିଷ୍ପତ୍ତିକୁ ନେଇ ବି ପୁରା ଭାଙ୍ଗିପଡ଼ିଛନ୍ତି ବିଲକିସ୍ ଓ ତାଙ୍କ ସ୍ୱାମୀ। ତାଙ୍କ ସ୍ୱାମୀଙ୍କ କହିବା କଥା, ଦୋଷୀଙ୍କୁ ଆଗୁଆ କ୍ଷମା ନୀତି ଅନୁସାରେ ମୁକ୍ତ କରିବାକୁ କେବେ ଆବେଦନ କରିବାକୁ ସୁଯୋଗ ଦିଆଯାଇଥିଲା, ସେ ବାବଦରେ ତାଙ୍କୁ ପୁରା ଅନ୍ଧକାରରେ ରଖାଯାଇଥିଲା। ବିଲକିସ୍ କହିଛନ୍ତି କି, ଦୋଷୀଙ୍କୁ ଏଭଳି ଛାଡ଼ିଦେବା ନିଷ୍ପତ୍ତି ତାଙ୍କ ଶାନ୍ତିକୁ ଛଡ଼ାଇନେଇଛି। ନ୍ୟାୟ ଉପରେ ଭରସା ତୁଟିଯାଇଛି। ଏଭଳି ବଡ଼ ଓ ଅନ୍ୟାୟ ନିଷ୍ପତ୍ତି ନେବା ଆଗରୁ କେହି ବି ଥରୁଟିଏ ତାଙ୍କର ନିରାପତ୍ତା ଓ ତାଙ୍କର ଭଲ ପାଇଁ ଚିନ୍ତାକଲେନି।
କେବଳ ବିଲକିସ୍ ଓ ସାଧାରଣ ନାଗରିକଙ୍କୁ ଏଭଳି ନିଷ୍ପତ୍ତି ଯୁବ୍ଧ କରିନି। ଅନେକ ଅବସରପ୍ରାପ୍ତ ବିଚାରପତି ବି ଏଥିରେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ମୃଦୁଳା ଭଟ୍ଟକର ସିବିଆଇ ସ୍ୱତନ୍ତ୍ର ଅଦାଲତଙ୍କ ଦ୍ୱାରା ଦୋଷୀଙ୍କୁ ଦିଆଯାଇଥିବା ଆଜୀବନ କାରାଦଣ୍ଡାଦେଶକୁ କାଏମ ରଖିଥିଲେ। ଦୋଷୀଙ୍କୁ ଆଗୁଆ ମୁକ୍ତ କରିବାରେ ନ୍ୟାୟପାଳିକାକୁ ଦୋଷ ଦେବା ଠିକ୍ ନୁହେଁ। କାରଣ ଦୋଷୀଙ୍କୁ ମୁକ୍ତି ନିଷ୍ପତ୍ତି ରାଜ୍ୟ ସରକାର ନେଇଛନ୍ତି। କେବଳ ଜଷ୍ଟିସ ଭଟ୍ଟକର ନୁହଁନ୍ତି। ଅବସରପ୍ରାପ୍ତ ଜଷ୍ଟିସ୍ ୟୁଡି ସାଲଭି ଯିଏ ତଳକୋର୍ଟରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ, ସେ ବି ଏଭଳି ନିଷ୍ପତ୍ତିରେ ଖପ୍ପା। ସାଲଭି କହିଛନ୍ତି, ଯିଏ ଏଭଳି ବିପଦର ସମ୍ମୁଖୀନ ହୋଇଛି, ସେ ହିଁ କେବଳ ଜାଣିପାରିବ ଓ କହିପାରିବ, ତା ଉପରେ ଏବେ କଅଣ ବିତୁଛି। ଆଇଏଏସ ଅଫିସର ସ୍ମିତା ସଭରଓ୍ୱାଲ କହିଛନ୍ତି କି, ବିଲକିସ ବାନୋଙ୍କୁ ସ୍ୱାଧୀନ ଭାରତରେ ନିଃଶ୍ୱାସ ନେବାର ଅଧିକାର ଛଡ଼ାଇ ନିଆଯାଇଛି। ଏଭଳି ସ୍ଥିତିରେ ନିଜକୁ ଏକ ସ୍ୱାଧୀନ ରାଷ୍ଟ୍ରର ନାଗରିକ ବୋଲି କହିପାରିବାନି।
ବିଲକିସ ବାନୋ ବଳାତ୍କାର ମାମଲାରେ ଅପରାଧୀଙ୍କୁ ଏଭଳି ମୁକ୍ତି ନିଷ୍ପତ୍ତିକୁ ନେଇ ଥମୁନି ଝଡ଼। ଯେତିକି ରାଜନୈତିକସ୍ତରରେ ଆରୋପ ପ୍ରତ୍ୟାରୋପ ସେତିକି ସାମାଜିକସ୍ତରରେ ବି ବଡ଼ ପ୍ରତିବାଦର ସ୍ୱର ଉଠିଲାଣି।
- ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now