ଲାଞ୍ଚ ନେବା ଅଭିଯୋଗରେ ତତ୍କାଳୀନ ଯନ୍ତ୍ରୀଙ୍କୁ ତିନି ବର୍ଷ ଜେଲ ଓ ଜରିମାନା

Spread the love

କନ୍ଧମାଳ : ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ତତ୍କାଳୀନ ଯନ୍ତ୍ରୀଙ୍କୁ ତିନି ବର୍ଷ ଜେଲ ଦଣ୍ଡ। ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଭାବଗ୍ରାହୀ ସାମନ୍ତରାୟଙ୍କୁ ତିନି ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ । ଏଥିସହ ଅଭିଯୁକ୍ତଙ୍କୁ ୫ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ତିନି ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତଙ୍କ ରାୟରେ ଉଲ୍ଲେଖ ରହିଛି ।

ସୂଚନା ଅନୁଯାୟୀ, ଗତ ୨୦୧୯ ମସିହାରେ ବୌଦ୍ଧ ଜିଲ୍ଲା ଖୁଣ୍ଟୁବନ୍ଧ ପଞ୍ଚାୟତର ଜହ୍ନାପଙ୍କ ଠାରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଏକ ସୌର ପ୍ରକଳ୍ପ ସ୍ଥାପନ କରାଯାଇଥିଲା। ତତ୍କାଳୀନ ଖୁଣ୍ଟୁବନ୍ଧ ସରପଞ୍ଚ ମିତ୍ରଭାନୁ ପ୍ରଧାନ ଏହି ପ୍ରକଳ୍ପ ତଦାରଖ ଦାୟିତ୍ଵରେ ଥିଲେ । କାମ ସରିବା ପରେ ସେ ବିଲ ପାଇଁ ଯନ୍ତ୍ରୀ ଭାବଗ୍ରାହୀଙ୍କୁ ଅନୁରୋଧ କରିଥିଲେ । ତେବେ ବିଲ ଅନୁମୋଦନ ପାଇଁ ଯନ୍ତ୍ରୀ ୫୦ ହଜାର ଟଙ୍କା ଦାବୀ କରିଥିଲେ । ଫଳରେ ମିତ୍ରଭାନୁ ଏନେଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ୨୦୧୯ ଫେବୃଆରୀ ୪ ତାରିଖ ଦିନ ଯନ୍ତ୍ରୀ ସାମନ୍ତରାୟ ତାଙ୍କ କାର୍ଯ୍ୟାଳୟରେ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ପ୍ରକାରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲେ । ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୩/୧୯ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିବା ପରେ ଫୁଲବାଣୀ ଭିଜିଲାନ୍ସ ଅଦାଲତରେ ମାମଲାର ବିଚାର ହୋଇଥିଲା। ଆଜି ଏହି ମାମଲାର ଶୁଣାଣୀ କରି ବିଚାରପତି ସମର ବିଳାସ ବେହେରା ୧୩ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ସାମନ୍ତରାୟ ଇତିମଧ୍ୟରେ ସହକାରୀ ଯନ୍ତ୍ରୀ ହିସାବରେ ଚାକିରୀରୁ ଅବସର ନେଇ ସାରିଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଭି.ଭି. ରାମଦାସ ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *