କଟକ ହିଂସା- ଶାନ୍ତି ଆଳରେ ତେଜୁଛି ରାଜନୀତି

କଟକ ଭଳି ଭାଇଚାରା ସହରରେ ଅଶାନ୍ତର ବାତାବରଣ। ସଂଘର୍ଷ ଓ ଉତ୍ତେଜନାର ପରିବେଶ। ଭସାଣୀ ଶୋଭାଯାତ୍ରାରେ ହୋଇଥିବା ଗଣ୍ଡଗୋଳର ନିଆଁ ସମ୍ପୂର୍ଣ୍ଣ ଲିଭିନି। ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଓ ସଂଘର୍ଷରୁ ପରିସ୍ଥିତି ଅଣାୟତ୍ତ ପାଲଟିଛି। ପୁରା କଟକ ପୁଲିସ ଛାଉଣୀରେ ପରିଣତ ହୋଇଛି। ପ୍ରତି ଏଣ୍ଟ୍ରି ପଏଣ୍ଟରେ ପୁଲିସର ନାକାବନ୍ଦୀ। କର୍ଫ୍ୟୁ ବଳବତ୍ତର ରହିଛି। ଅଭିଯୁକ୍ତଙ୍କୁ ଗିରଫଦାରି ଜାରି ରହିଛି। ପଇଁତରା ମାରୁଛି ପୁଲିସ।  ଏଭଳି ହିଂସାକୁ ନେଇ ରାଜନୀତିର ତାତି ବି ସେତିକି ଜୋର୍ ଧରିଛି। ପରସ୍ପରର ଗୋହି ଖୋଳିବାକୁ ସମସ୍ତେ ଯେମିତି ତୟାର। ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି ଆଇନମନ୍ତ୍ରୀ। ଯେଉଁ ଉଦବେଗଜନକ ସ୍ଥିତି ଥିଲା, ସେଥିରେ ସୁଧାର ଆସୁଛି। କଟକ ସମ୍ମାନରେ ଯେଭଳି ଆଞ୍ଚ ଆସିବନି, ସେଥିଲାଗି ପ୍ରାଥମିକତା ଦିଅ। ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। କାହା ନାଁ ନ ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ତେରେଛା ତୀର ମାରିଛନ୍ତି । ଭର୍ତ୍ତୃହରି କହିଛନ୍ତି, କିଛି ଅସାମାଜିକ ଲୋକ ଜେଲରୁ ମୁକୁଳି ବିଶୃଙ୍ଖଳା ଲାଗି ଉସୁକାଇଥିଲେ। କଟକ ବାହାରୁ ଲୋକଙ୍କୁ ଆଣି ହିଂସା ଭିଆଇଲେ। ଯେଉଁମାନେ ବଦମାସି କରିବାର ଅଭ୍ୟାସ ରହିଛି, ସେମାନଙ୍କୁ ଚିହ୍ନଟ ସହ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯାନୁଷ୍ଠାନ ଦରକାର। ଅବଶ୍ୟ କହିଛନ୍ତି, ଏ ଘଟଣାରେ ରାଜନୀତି ଶୋଭା ପାଏନା। ସେପଟେ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି, କୌଣସି ହିଂସାରେ କେହି ବି ଶାନ୍ତିରେ ରହିପାରିବେନି। କଟକ ସହର ଭାଇଚାରାର ସହର। କିନ୍ତୁ କିଛି ଅସାମାଜିକ ତତ୍ତ୍ୱ ଅଶାନ୍ତି ଓ ହିଂସା ଯେଭଳି ଭିଆଇଲେ, ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଆକ୍ସନ ହେଉ।  ଶାନ୍ତି ପାଇଁ ସବୁ ମୁରବୀ ଗୋଷ୍ଠୀ ଆଗେଇ ଆସନ୍ତୁ। ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ କହିଛନ୍ତି, ଯାହା ଘଟିଲା ତାହା ଯୋଜନାବଦ୍ଧ ନୁହେଁ। ଅଚାନକ ଏଭଳି ଘଟିଲା। ସହର ଶାନ୍ତ ଥିଲା ବେଳେ କେହି ବିଚଳିତ ହେବା ଉଚିତ୍ ନୁହେଁ। ୧୯୯୧ ପରେ ଅର୍ଥାତ୍ ୩୪ ବର୍ଷ ପରେ କଟକରେ କର୍ଫ୍ୟୁ ଲାଗିଲା। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ସମସ୍ତେ ସଂଯମତା ରଖିବା ଜରୁରୀ। ଓଡ଼ିଆ ଅସ୍ମିତାକୁ ତଳେ ପକାଇବାନି। ସମସ୍ତ ମତମତାନ୍ତର ଓ ମନାନ୍ତରକୁ ପଛରେ ପକାଇ ପୂର୍ବଭଳି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଲାଗି ଆଗେଇ ଆସିବାକୁ ଅପିଲ୍‌ କରିଛନ୍ତି ଅରୁଣ। କେଉଁଠି ତୃଟି ରହିଲା, କିଏ ଦାୟୀ ସରକାର ବୁଝିବେ। କିନ୍ତୁ ଆଗ ଶାନ୍ତି ଓ ସ୍ଥିରତା ଆଣିବା ପ୍ରାଥମିକତା। କଟକ ଭଳି ଭାଇଚାରା ସହରରେ କିଏ ଅଶାନ୍ତି ଓ ହିଂସା ଭିଆଇଲା। ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ସମସ୍ତ ପ୍ରକାର ଗୁଜବକୁ ପ୍ରତିହତ କରିବାକୁ ପ୍ରୟାସ କରୁଛି ପ୍ରଶାସନ। କିନ୍ତୁ ଉପଦ୍ରବୀଙ୍କୁ ସାବାଡ଼ ସହ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିଲାଗି ସମସ୍ତଙ୍କ ପ୍ରୟାସ ବି ଜରୁରୀ।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *